Unknown

 

 

 

 

 

 

 

 

 

ଉତ୍କଳ କମଳା

ଚିନ୍ତାମଣି ମହାନ୍ତି

 

ପ୍ରଥମ ସର୍ଗ

 

କଳ୍ପନେ, କରୁଣା ବହି ହୁଅ ମାତଃ ଆସି

ଅବତୀର୍ଣ୍ଣା, ମୋର ଚିତ୍ତ-କୋକନଦାସନେ,

ବର୍ଣ୍ଣିବି ମୁଁ ଗୀତେ ଭାବୀ ଭୂତ ବର୍ତ୍ତମାନ

 

ତ୍ରିକାଳ ବିଭବ ପୂଜ୍ୟା ଉତ୍କଳ ମାତାର,

(ବଖାଣିଲେ ଯାହା ଦେବୀ ଉତ୍କଳ-କମଳା)

କବିର ସମ୍ୱଳ ବଳ ତୁମ୍ଭେ ଏକା ଦେବି !

ତବ ବଳେ ବଳୀୟାନ ହୋଇ କେତେ କୃତୀ,

 

ଅବହେଳେ ଅତିକ୍ରମି ସାହିତ୍ୟ-ଅର୍ଣ୍ଣବ,

(ଅଲଙ୍ଘ୍ୟ, ଅକୂଳ, ବିଘ୍ନ-ବୀଚି-ବିକ୍ଷୋଭିତ)

ଲଭିଲେ ଗୌରବମୟ କବିସିଂହାସନ,

ତାଙ୍କର ନଶ୍ୱର ଦେହ ହରିଅଛି କାଳ

 

କିନ୍ତୁ କୀର୍ତ୍ତି-ଦେହ ତାଙ୍କ ଅଜର ଅମର

ସଦା, ଭ୍ରମେ ତାହା ଦେଇ ଭବେ ଉପଦେଶ ।

ସେମାନଙ୍କ ପଦଚିହ୍ନ ଅନୁସରିବାକୁ

ବଳିଲା ମାନସ ମୋର, କିନ୍ତୁ ମୁଁ ଅକ୍ଷମ

 

ସେ କାର୍ଯ୍ୟ ସାଧନେ ଦେବି, ତଥାପି କେ ଜାଣି

କାହିଁକି ଧାଉଁଛି ଆଶା ସଦା ସେହି ଦିଗେ,

ଭାବମାତା, ନ କଲେ ତୁ କରୁଣା ପ୍ରକାଶ,

ସେ ଆଶା ମୋ, ହେବ ପଣ୍ଡ, ବାମନମୂର୍ତ୍ତିର

 

ଶଶାଙ୍କ ପରଶ ତୀବ୍ର ଦୁରାକାଙ୍‌କ୍ଷା ପ୍ରାୟ;

ତେଣୁ ଦେବି ! ପ୍ରସାଦାର୍ଥୀ ହୋଇ ମୁ ତୁମ୍ଭର,

ମାଗୁଅଛି ନତଶିରେ ଏ ଭିକ୍ଷା ଶ୍ରୀପଦେ,

ଅଙ୍କିଦିଅ ହୃଦପଟେ ଅଭୀୟିତ ଛବି ।

 

ଦେଖିଲି ଏକଦା ଆହା ! ଶିଶୁ ଦୁଇଗୋଟି

ଅନଶନେ ଶୀର୍ଣ୍ଣକାୟ, ମହାଦୁର୍ଭିକ୍ଷର

ପ୍ରବଳ ପୀଡ଼ନେ ହୋଇ ଜର୍ଜରିତ ପ୍ରାଣ,

ଆହରନ୍ତି ବନ୍ୟପତ୍ର ଆହାର ସକାଶେ,

 

ଅସ୍ଥାନ, କୁସ୍ଥାନ ନିଦ୍ରା ନ ବାରିଲା ପ୍ରାୟ

ଅଖାଦ୍ୟ କୁଖାଦ୍ୟ କିଛି ବାରେ ନାହିଁ କ୍ଷୁଧା,

ଉପଯୁକ୍ତ ଖାଦ୍ୟାଭାବେ ଯାଇଅଛି ଶୁଖି

ରକ୍ତମାଂସ ବେନିଙ୍କର କୋମଳ ଶରୀରୁ,

 

ଦେହସ୍ଥ ପଞ୍ଜର, ଅସ୍ଥି ସୂକ୍ଷ୍ମ ସ୍ନାୟୁ ରାଶି

ଫୁଟିଦିଶେ ବହିର୍ଭାଗେ, ଅହୋ ! ବେନିଶିଶୁ

ଦିଶୁଛନ୍ତି ବହୁଦିନ ରୋଗକ୍ଳିଷ୍ଟ ପ୍ରୟ;

ସ୍ପୁରୁ ନାହିଁ ବାକ୍ୟ ମୁଖୁ, ଚାଲିବା ସମୟେ

 

ଏଣେ ତେଣେ ଖସିଯାଏ ଦୁର୍ବଳ ଚରଣ,

ସ୍ୱଭାବ ସହାସ୍ୟ ଶିଶୁ ବଦନେ ତାଙ୍କର

ଢାଳିଛି ନିବିଡ଼ ଘୋର ବିଷାଦ-କାଳିମା,

ହାୟ ! ସରଳ ହୃଦୟ-କୁସୁମ କୋରକେ

 

ବେନିଙ୍କର, ପଶି ଦୁଷ୍ଟ ପେଟଚିନ୍ତା-କୀଟ

କୋରେ ତାଙ୍କ ଅନ୍ତଃସାର, ବିଧାତଃ, କି କଥା

ଅସମ୍ଭବ ତବ ରାଜ୍ୟେ ? ଯେ ବାଲ୍ୟ ବୟସେ

ନ ଜାଣନ୍ତି କଷ୍ଟ ଲୋକେ ଧୂଳିଖେଳ ବିନା,

 

ନର ଜୀବନର ସେହି ପ୍ରଥମ ସମୟେ

ଶାନ୍ତ ସୁଖମୟ, ହାୟ ! ଶିଶୁ ଦୁଇଜଣ

ଲଭୁଛନ୍ତି ପେଟପାଇଁ ଦୁର୍ଭାର ଯନ୍ତ୍ରଣା !

ଅସହ୍ୟ ଉଦର ଜ୍ୱାଳା, ସ୍ୱୟଂ ଜଗନ୍ନାଥ

 

ପ୍ରପୀଡ଼ିତ ହୋଇ ତହିଁ, ଅତୀବ ଆତୁରେ

ଭକ୍ଷିଲେ ଧାନୁଆ ମୋଟା ଅଧୁଆ ଚାଉଳ ୧

(ଲକ୍ଷ୍ମୀଦ୍ରୋହୀ ହୋଇ ଯେବେ ବଳଦେବ ସହ ଭ୍ରମୁଥିଲେ ଭିକ୍ଷା ମାଗି ଦେଶଦେଶାନ୍ତରେ)

ଯେ ସର୍ବଗ୍ରାସିନୀ କ୍ଷୁଧା, ଭବ-କ୍ଷୁଧା-ହର

ମାଧବେ ବିହିଲା ଏଡ଼େ ଦାରୁଣ କଷଣ,

୧- ଜଗନ୍ନାଥଙ୍କ ଅଧୁଆଚାଉଳ ଭକ୍ଷଣ ବୃତ୍ତାନ୍ତ ଲକ୍ଷ୍ମୀପୁରାଣରେ ଅନଚସନ୍ଧେୟ ।

 

କେଉଁ ଛାର ପାଶେ ତାର ଅନ୍ନଗତ ପ୍ରାଣ

କ୍ଷୁଦ୍ର ମାନବର ଗତି ? ଜଗତେ ଦୁର୍ଜୟ

ସେହୁ, ଶୋଷେ ଅନୁକ୍ଷଣ ଜଗତର ବଳ ।

ଦେଖି ଏ କରୁଣ ଦୃଶ୍ୟ, ଅସହ୍ୟ ନେତ୍ରର

 

ଦହିହେଲା ହୃଦ ମୋର ଘୋର ଦୁଃଖାନଳେ

ଘନ ଘନ, ରକ୍ତମାଂସ ଦେହ ଧରି ଆହା,

ଦେଖିଣ ଶୋଣିତମାଂସ ଦେହୀର ଦୁର୍ଗତି,

ନ ହୁଏ ତରଳ କେଉଁ ପାଷାଣ ହୃଦୟ ?

 

ନଅଙ୍କ ଦୁର୍ଭିକ୍ଷ ୨ କଥା ଲୋକମୁଖୁ ଶୁଣି

ହେଉଥିଲି ତ୍ରସ୍ତ କ୍ଷୁବ୍‌ଧ, ଦେଖିଣ ଦେହକେ

ସେହି ବିଭୀଷଣ ଚିତ୍ର, ହେଲି ମୁଁ ଚକିତ,

ମଣୁଥିଲି ଯାକୁ ମୁହିଁ କଳ୍ପନା ଜଳ୍ପନା

୨- ବିଗତ ୧୮୬୬ ସାଲର କରାଳ ଦୁର୍ଭିକ୍ଷ

 

ଅଥବା ଅତିରଞ୍ଜିତ, ଉପଲବଧି କରି

ଏବେ ସାର ସତ୍ୟ ତାର, ହେଲି ସ୍ତମ୍ଭୀଭୂତ

ବିସ୍ମୟ ଅବଶେ, ଆଜି ଯାହା ଅସମ୍ଭବ,

ହୁଅଇ ସମ୍ଭବ ତାହା କାଲି ପ୍ରତ୍ୟକ୍ଷରେ,

 

ବିଶ୍ୱସଂସାରର ଏହା ବିଧି ଚିରନ୍ତନ ।

କଳ୍ପନା-ତୂଳିକାବଳେ ଚିତ୍ତ-ପଟେ କେତେ

ଅଙ୍କିଲି ସେ ଗତଚିତ୍ର, ହାୟ ! ସେ କାଳର

ସ୍ମରି ମହାପ୍ରାଣିକ୍ଷୟ ହେଲି ମୂର୍ଚ୍ଛାଗତ ।

 

ସଂଜ୍ଞା ଲଭି ସଚକିତେ ଚାହିଁଲି ଅଗ୍ରତେ

ଉଭା ଦେବୀ ମୂର୍ତ୍ତି, ସପ୍ତବର୍ଣ୍ଣ ଶବଳିତ

ଦୀପ୍ତବାସ-ପରିହିତା, ଦକ୍ଷକରେ ଦେବୀ

ଧରିଛନ୍ତି ଷଡ଼ଋତୁ ଚିତ୍ର, ଦିକ୍ଷେତରେ

 

ଫୁଲ୍ଲ ଶତଦଳ, ଶିରେ କାଞ୍ଚନ କିରୀଟ

ଆଭାମୟ, ସ୍ଫୁରି ତହୁଁ ରଶ୍ମି ଊର୍ଜ୍ଜସ୍ୱଳ

ମୁହୁର୍ମୂହୁଃ କରୁଅଛି ଛିନ୍ନ ଦୃଷ୍ଟିରେଖା ।

ବକ୍ଷୋଲମ୍ୱୀ ଦେବପୁଷ୍ପ ଚାରୁ ପାରିଜାତ

 

ସ୍ୱର୍ଗୀୟ ସୌରଭେ ଖରେ ଉଠିଲା ମହକି

ସେ ସ୍ଥାନ, (ଚଣ୍ଡୀମଣ୍ଡପ, ଦୁର୍ଗୋତ୍ସବେ ଯଥା ପୁଷ୍ପଧୂପ ହୋମଧୂମେ ହୁଏ ସୁରଭିତ)

ଦେବୀଙ୍କି ଦେଖି ମୁଁ ହେଲି ବିସ୍ମିତ, ସ୍ତମ୍ଭିତ ।

ଅତିବାହି ଏହିମତେ ଅର୍ଦ୍ଧ ଯାମ କାଳ,

ମାତୃଜ୍ଞାନେ ଶ୍ରୀପୟରେ ପ୍ରଣମି ବିନୟେ

 

ନିବେଦିଲି ଯୁକ୍ତକରେ ଏସନ ଭାରତୀ,

‘‘ଲକ୍ଷଣୁ ଜାଣିଲି ମାତଃ ତ୍ରିଦିବ ଦେବତା

ତୁମ୍ଭେ, ତବ ପୂତପାଦ ଦର୍ଶନେ ମୋହର

ଖଣ୍ଡିଲା ଅଶେଷ ପାପ, ହେଲା ପୂତ ପୁଣି

 

ଚର୍ମନେତ୍ର, ଦେକି ! କିପାଁ ଆବିର୍ଭାବ ତବ

ମୋହମାୟା-କଳୁଷିତ ଏ ମର ଭବନେ ?

କରୁଣା ପ୍ରକାଶି ଦାସେ ପରିଚୟ ଦାନେ

କରନ୍ତୁ କୃତାର୍ଥ, ଏହି ଭିକ୍ଷା ସେବକର ।’’

 

ଉତ୍ତରିଲେ ଦେବୀ,- ‘‘ବତ୍ସ ! ଉତ୍କଳ-କମଳା

ମୁହିଁ ପ୍ରକୃତି ରୂପିଣୀ, ଏ ଉତ୍କଳ ଭୂମି,

ସୁଜଳା, ସୁଫଳା ପୁଣି ଶସ୍ୟ-ସୁଶ୍ୟାମାଳା

ମୋହ ଯୋଗୁଁ ସଦା, ବତ୍ସ ! ମୋ କଳ୍ପ-ତୂଳିକା

 

ଚିତ୍ରୁଅଛି ନାନା ଶୋଭା ସଦା ଏ ଉତ୍କଳେ,-

କାନନ-ଚିକୁରା ଚିରରତ୍ନ ପ୍ରସବିନୀ ।

ଉତ୍କଳୀୟ ଜନେ ଦେଖି ଆଳସ୍ୟ, ଜଡ଼ତା,

ପରମୁଖାପେକ୍ଷିତାର ଏବେ ଅଙ୍କାଶ୍ରୟୀ,

 

ଯାଇଥିଲି କିଛି କାଳ ତେଜି ଏ ମହୀକି

ମୁହିଁ, କିନ୍ତୁ ମୋ ବିହୁନେ ଦୁର୍ଦ୍ଦଶା ତାହାର

ପଡ଼ିଲାଣି ବଳି, ବତ୍ସ ! ଦେଖିବାକୁ ତାହା

ହୋଇଛି ମୁଁ ଆବିର୍ଭୁତା ଆଜି ଏହିଠାବେ ।

 

କି ବର୍ଣ୍ଣିବି ବାଳୁତ ରେ ଉତ୍କଳର ଦଶା

ନାନାବିଭୀଷିକାମୟୀ ନିବିଡ଼ ଅନ୍ଧାରେ

ରହିଛି ଅଭାଗୀ ଏବେ ଢାଙ୍କିହୋଇ ଦେହ,

ଧନଧାନ୍ୟେ ପୂର୍ଣ୍ଣ ରହି ମୋର ଯେ ଭଣ୍ଡାର

 

ସଦାକାଳ, ହରୁଥିଲା ଜଗତର କ୍ଷୁଧା,

ହାୟ ସେ ଭଣ୍ଡାର ମୋର ଶୂନ୍ୟମୟ ଆଜି !

ନ କରି ଅତିଥିସେବା ମୋର ଯେଉଁ ସୁତେ

କରୁ ନ ଥିଲେ ଆହାର, ସେହି ସୁତେ ଏବେ

 

ଅନ୍ନମୃଷ୍ଟି ପାଇଁ ଆହା ଅଣ୍ଡାଳନ୍ତି ପେଟ !

କି ରତ୍ନ ଅଭାବ ମୋର ଅକ୍ଷୟ ଭଣ୍ଡାରେ ?

ଚିହ୍ନିବା ଦୋଷରେ ସିନା ମୋର ପୁତ୍ରଗଣେ

ସୁନାକୁ ମଣନ୍ତି ଭେଣ୍ଡି ଅହୋ ! କି ଦୁର୍ଦ୍ଦଶା !

 

ଚିରସ୍ରୋତା ସ୍ୱର୍ଣ୍ଣରେଖା ସ୍ୱର୍ଣ୍ଣରେଣୁମୟୀ ୧

କରେ ମୋର ପଦ ଧୌତ ଯାମ୍ୟେତରେ ରହି,

ପୂର୍ବେ ବାରାନିଧି-ନାନା ରତ୍ନର ଆକର

ଗର୍ଜ୍ଜଇ ଲହରୀ ଛଳେ ତୁଙ୍ଗ ଶିର ଟେକି,

୧- ଓଡ଼ିଶାର ଉତ୍ତରରେ ସୁବର୍ଣ୍ଣରେଖା ନଦୀ ଅବସ୍ଥିତ ।

ଏହାର ବାଲିରେ ସ୍ୱର୍ଣ୍ଣରେଣୁ ମିଶ୍ରିତ ଥାଏ ।

 

ଉଦ୍ଗାରିଣ ଫେନରାଶି ଯଥା ଫଣିବର ୨

ବିସ୍ତାରି ସହସ୍ର ଫଣା ଉଗାରେ ଗରଳ ।

 

ଋଷିମାଳ ଶୈଳସୂତା ଋଷିକୂଲ୍ୟା ନଦୀ ୩

ବହେ ଯାମ୍ୟେ, ଯଥା ମୋର କଣ୍ଠେ ହୀରାହାର ।

୨- ଶେଷ ଅହ ।

୩- ଋଷିକୁଲ୍ୟା ନଦୀ ଗଞ୍ଜାମର ଋଷିମାଳ ପର୍ବତରୁ ଉତ୍ପନ୍ନ ହୋଇଅଛି ।

 

ପଶ୍ଚିମେ ମେଘ-ମେଦୁର ମହେନ୍ଦ୍ର ଶିଖରୀ

ନାନା ରତ୍ନ ମହୌଷଧି ଯୋଗାଏ ଜଗତେ ।

ଚିର-ଉଲ୍ଲୋଳ-କଲ୍ଲୋଳ-ମାଳିକା ଚିଲିକା,

ଚାରୁ ମତ୍ସ୍ୟମୟୀ ବସୁଗର୍ଭା, ବିରାଜିତ

 

ବକ୍ଷୋଦେଶେ ମୋର ଯଥା ମାରାଗ-ପଦକ ।

ସୁବିଶାଳ କଳେବରା ଚାରୁ ଚିତ୍ରୋତ୍ପଳା,

(ଉତ୍କଳେ ପିୟୂଷଜଳା ଜାହ୍ନବୀରୂପିଣୀ)

ବହ୍ମାଣ୍ତପାଳିନୀ ବ୍ରାହ୍ମୀ, ଗୋନାସା ଶୈଳଜା

ପୁଣ୍ୟତୋୟା ବୈତରଣୀ,

(ସ୍ନାନ କରି ଯହିଁ ଲଭନ୍ତି ପରମ ଗତି ବିନା ତତ୍ତ୍ୱଜ୍ଞାନେ ନରେ)

 

ଦେବ ମନଃ ପ୍ରାୟ ପୁତ ସ୍ୱଚ୍ଛତୋୟା

ସାଳନ୍ଦୀ, ଶାଳ୍ମଳୀ ଶୈଳତନୁଜା ୪ ସୁନ୍ଦରୀ

 

ବଳାଙ୍ଗୀ, ଏ ପଞ୍ଚନଦୀ ପଞ୍ଚରତ୍ନ ହାର

ପ୍ରାୟ, ବିଲମ୍ୱିତ ମୋର ଭରୋଦେଶେ ସଦା ।

୪- ପ୍ରଚଳିତ ନାମ ଶିମୁଳିପାଳ ପର୍ବତ । ଏହା ବଳାଙ୍ଗୀ ନଦୀର ଉତ୍ପତ୍ତି ସ୍ଥାନ ।

 

ଏହି ପଞ୍ଚ ତଟିନୀଏ ଭ୍ରମି ନାନା ସ୍ଥାନେ

ଢାଳିଦେଉଛନ୍ତି ସଦା ଉତ୍କଳ ଶରୀରେ

ବିବିଧ ରତନରାଜି, ମୋର ଆଜ୍ଞାମତେ,

କବି-ନିକୁଞ୍ଜ-ଗଞ୍ଜାମେ-ମଞ୍ଜୁ ମଞ୍ଜୁଷାରେ ୫

୫- ମଞ୍ଜୁଷାରାଜ୍ୟ ଗଞ୍ଜାମ ଜିଲାର ଅନ୍ତର୍ଗତ ।

ପୁରାଣପ୍ରଖ୍ୟାତ ମହେନ୍ଦ୍ର ଗିରି ଏହି ରାଜ୍ୟରେ ଅବସ୍ଥିତ ।

 

ତୋଳିଣ ଉତ୍ତୁଙ୍ଗ ଶୃଙ୍ଗ ମହେନ୍ଦ୍ର ଶିଖରୀ

ମହେନ୍ଦ୍ର ବାଞ୍ଛିତ, ରାଜେ ମୋ ମସ୍ତକେ ଯଥା

ମାରାଗ-ନିଳୀମାନିନ୍ଦୀ ମଞ୍ଜୁଳ ମହୁଡ଼,

ଗିରିରାଜ ମାଲ୍ୟଗିରି ୬ ପୁଣି ମେଘାସନ

୬- ଓଡ଼ିଶାର ଉଚ୍ଚତ୍ତମ ପର୍ବତ । ଏହା ପାଲଲହଡ଼ାରେ ଅବସ୍ଥିତ ।

 

ଆକର୍ଷିଣ ନଭୁଁ ଘନେ ସଞ୍ଚନ୍ତି ଶରୀରେ,

ସେହି ମେଘମାଳେ ଦେଇ ଯଥାକାଳେ ଜଳ

 

ସାଧନ୍ତି ଏ ଉତ୍କଳର ମହାଉପକାର,

ବତ୍ସ ! ଏ ଉତ୍କଳ ଭୂମି ନୁହଇ ମୃତ୍ତିକା-

 

ଅଟେ ରତ୍ନରୂପାନ୍ତର, ପ୍ରଚ୍ଛନ୍ନେ ତହିଁରେ

ଅଛି ନାନାବିଧ ରତ୍ନ,-ଅମୂଲ୍ୟ ଦୁର୍ଲ୍ଲଭ

ଶଙ୍ଖ, ଚକ୍ର, ଗଦା, ପଦ୍ମ ଚାରି କ୍ଷେତ୍ରବର ୭

ବିରାଜିତ ବକ୍ଷେ ତାର ମହାତୀର୍ଥ ରୂପେ,

୭- ପୁରୀ- ଶଙ୍ଖକ୍ଷେତ୍ର, ଭୁବନେଶ୍ୱର- ଚକ୍ରକ୍ଷେତ୍ର,

ଯାଜପୁର-ଗଦାକ୍ଷେତ୍ର, କୋଣାର୍କ-ପଦ୍ମକ୍ଷେତ୍ର ।

 

ଯେ ତୀର୍ଥ ପରଶେ ନର ମହାପାପରାଶି

ହୁଏ ଭସ୍ମୀଭୂତ, ଯଥା ଅନଳେ କାର୍ପାସ;

ଆର୍ଯ୍ୟର ଗୌରବଭୂମି କଳୁଷହାରିଣୀ

ଏ ଉତ୍କଳ ମହୀ, ତେଣୁ ସମଗ୍ର ଭାରତୁ

 

ଆସି ସଦା ଯାତ୍ରିଦଳ, ଏ ତୀର୍ଥ ସେବନେ

ଛଡ଼ାଇ କଳୁଷ-ମଳ ହୁଅନ୍ତି ନିର୍ମଳ ।

ଗତ ଶିଳ୍ପଗୌରବର ସ୍ମୃତି-ସ୍ତମ୍ଭ ପ୍ରାୟ

ବିରାଜିତ ଠାବେ ଠାବେ ଛବିଳ ଦେଉଳ,

 

ନିବସନ୍ତି ତହିଁ ନାନା ଦେବଦେବୀ ମୁଦେ ।

ବୈଷ୍ଣବପ୍ରବର ବୀର ଶ୍ରୀ ଅନଙ୍ଗଭୀମ

ଗଙ୍ଗାବଂଶ ଖ୍ୟାତ ନୃପ, ପ୍ରଚାରିଲେ ଯେହୁ

ଉଠାଇଣ ଶାକ୍ତ ଧର୍ମେ ବୈଷ୍ଣବ ଧରମ

ଉତ୍କଳେ, ତୋଳିଲେ ସେହୁ ନୀଳାଚଳଧାମେ

ତୁଙ୍ଗ ଚଟୁଳ ଦେଇଳ, ଅନିନ୍ଦ୍ୟ ସୁନ୍ଦର;

ଆହା ସେ ମନ୍ଦିର ଶୋଭା ମର୍ତ୍ତେ‌‌‌‌‌‌‌‌‌‌‌‌‌‌‌‌ ଅତୁଳିତ ।

ନିବସନ୍ତି ତହିଁ ଭ୍ରାତୁଭଗ୍ନୀ ସଙ୍ଗେ ଘେନି

ସାକ୍ଷାତ କୈବଲ୍ୟଦାୟୀ ଦାରୁବ୍ରହ୍ମରୂପୀ

ଜଗନ୍ନାଥ, ଜଗତର ଅଭୟ ଆଶ୍ରୟ ।

ଏକାମ୍ରେ ୧ ପାଳିତବୁଦ୍ଧି ଲଳିତକେଶରୀ,

(କେ ସରି ତାଙ୍କର କ୍ରୁଦ୍ଧ କେଶରୀ ବିକ୍ରମେ)

ନିର୍ମାଣିଲେ ଯେଉଁ ଚାରୁ କାରୁକାର୍ଯ୍ୟାନ୍ୱିତ

୧- ଭୁବନେଶ୍ୱରରେ ।

ମନ୍ଦର ସମାନ ତୁଙ୍ଗ ସୁନ୍ଦର ମନ୍ଦିର,

ଦେଖି ତା ଶିଳ୍ପଚାତୁରୀ ମହାସ୍ଥପତିର

ହୋଇଯିବ ବୁଦ୍ଧି ବଣା, ନିବସନ୍ତି ତହିଁ

ହର ଯେଣୁ, ତେଣୁ ତାହା କୈଳାସ ସମାନ ।

 

କୋଣାର୍କେ ଅର୍କ ମନ୍ଦିର ନରସିଂହ କୃତ ୨

ଯାହାର ସୁକ୍ଷଶିଳ୍ପର କୌଶଳ ବର୍ଣ୍ଣନେ

ମାତୃଭାଷା ବର୍ଣ୍ଣମାଳା ହେବ ଅନଟନ ।

ପୁତ ପରିମଳ-ମଳୟକ-ସୁଶୀତଳ

୨- ନରସିଂହ ଦେବଙ୍କ ଦ୍ୱାରା କୋଣାର୍କ ମନ୍ଦିର ନିର୍ମିତ ହୋଇଥିଲା ।

 

ଆଳତି ଶିଖରୀ ୩ ବହୁ ତାପସାଧ୍ୟାସିତ

ଖଣ୍ଡଗିରି ୪, ପୁରାକିର୍ତ୍ତି-ଧବଳ ଧଉଳି ୫,

ଏ ଆଦି ପର୍ବତ ଦେହେ କୌଶଳେ ଅଙ୍କିତ

ହସ୍ତିଗୁମ୍ଫା, ବ୍ୟାଘ୍ରଗୁମ୍ଫା, ତପସ୍ୱିକୁଳର

 

୩- ଓଡ଼ିଶାର ଅଳତିଗିରିରେ ଚନ୍ଦନର ବନ ଅଛି ।

୪- ଭୁବନେଶ୍ୱରର ପାଞ୍ଚକ୍ରୋଶ ଦୂରବର୍ତ୍ତୀ ପଶ୍ଚିମ ପାର୍ଶ୍ୱସ୍ଥ ପର୍ବତ ବିଶେଷ ।

୫-ସ୍ୱନାମପ୍ରସିଦ୍ଧ ପର୍ବତ ।

 

ଧ୍ୟାନ, ଧାରଣା ସାଧନା ଯୋଗ୍ୟ ଗୁମ୍ଫାମାନ,

ଅତୀତ ଗଉରବର ମୂକସାକ୍ଷୀ ପ୍ରାୟ

ରହିଛନ୍ତି ବିଦ୍ୟମାନ ଅକଳିତ କାଳୁ ।

ଉତ୍କଳର ଯଜ୍ଞପୁରୀ ଯଯାତି ସ୍ଥାପିତ

 

ନାଭିଗୟା କ୍ଷେତ୍ରେ ୬, ରାଜେ ଅସଂଖ୍ୟ ଦେଉଳ

ଉତ୍କଳର ପୁତ, ଶୁକ୍ଳ, ପୂର୍ବ ଯଶୋରାଶି

ଠୁଳ ହେଲା ପ୍ରାୟ, ସେହୁ ମହାପୁଣ୍ୟସ୍ଥଳୀ

ମେଖଳା ପାପହା ନଦୀ ବୈତରଣୀ ତାର,

୬- ଯାଜପୁର ।

 

ନିବସନ୍ତି ତହିଁ ଦେବ-ଯଜ୍ଞ-ସମୁଦ୍ଭୂତା ୭

ବିରଜା ସୁନ୍ଦରୀ, ଘେନି ନାନା ଦେବଦେବୀ,

ପୁଣ୍ୟ ତୀର୍ଥ ହେତୁ ତହିଁ ସ୍ୱୟଂ ପିତାମହ,

କରିଥିଲେ ଅନୁଷ୍ଠାନ ଦଶ ଅଶ୍ୱମେଧ ୮,

 

୭- ବିରଜାଦେବୀ ଦେବଯଜ୍ଞରୁ ଜାତ ହୋଇ ଥିବା ପୁରାଣପ୍ରସିଦ୍ଧ ।

୮- ଦଶାଶୁଣି ଘାଟରେ ବ୍ରହ୍ମ । ଦଶଗୋଟି ଅଶ୍ୱମେଧ ଯଜ୍ଞ କରିଥିଲେ ।

 

‘‘ଦଶାଶୁଣି ଘାଟ’’ ନାମେ ସେହି ଯଜ୍ଞଭୂମି

ଅଦ୍ୟାପି ପ୍ରଥିତ ଲୋକେ, ବାରୁଣୀ ଯୋଗରେ

କଲେ ସେ ଘାଟରେ ସ୍ନାନ, ପଳାଏ ଛାଡ଼ିଣ

ପୂର୍ବକୃତ ପାପରାଶି, ପ୍ରଭାତ ଦର୍ଶନେ

 

ପଳାଏ ଯେସନେ ଖରେ ତାମସୀ ରଜନୀ ।

ବିରାଜେ ଅଦୂରେ ତାର ଦିବ୍ୟଶୋଭାମୟୀ

ସପ୍ତମାତୃକା ମୂରତି, ୯ ବିଲୋକିଲେ ତାର

ସୂକ୍ଷ୍ମକଳା, ନରନେତ୍ର ହୁଏ ଅପଲକ ।

୯- ସାଧାରଣତଃ ଏହାଙ୍କୁ ଯମ ମା ସାତଭଉଣୀ ବୋଲି କହନ୍ତି ।

 

ଚଉଦ୍ୱାର, ବାରବାଟୀ, ରାଇବଣିଆଦି, ୧

ଦୁର୍ଗସମୂହର ଦେଖି ନିର୍ମାଣ-କୌଶଳ,

ଉନ୍ନତ ପାଶ୍ଚାତ୍ୟଖଣ୍ଡ ୨ ହୁଅଇ ଚକିତ !

(ଧରଣୀରେ ଧନ୍ୟ ଯେହୁ ଜ୍ଞାନ, ବିଜ୍ଞାନରେ)

ସ୍ଥାପତ୍ୟ, ଗାର୍ହସ୍ଥ୍ୟଶିଳ୍ପେ ମୋର ସୁତଗଣ

 

୧- ଏହା ବାଲେଶ୍ୱର ଜିଲାରେ ଅବସ୍ଥିତ । ଏଠାରେ ପ୍ରାଚୀନ ଦୁର୍ଗର ଭଗ୍ନାବଶେଷ ଅଛି ।

୨- ଇଉରୋପ ।

 

ଥିଲେ ଅତି ଥୟକର, ନବ ହୁନ୍ଦରିଆ,

ମୋହରି ଗାର୍ହସ୍ଥ୍ୟ ଶିଳ୍ପ ଦେଶ ବିଦେଶରେ

ଲଭୁଥିଲା ସୁପ୍ରତିଷ୍ଠା, ଏ ବେ ଲୁପ୍ତ ତାହା ।

 

ଏକଦା ଏ ଦେଶ ଥିଲା ଅତୀବ ବିସ୍ତୃତ ୩

୩- ଗଙ୍ଗାବଂଶୀୟ ରାଜା ପ୍ରତାପରୁଦ୍ରଦେବଙ୍କ ସମୟରେ ଓଡ଼ିଶାର ସୀମା
ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟ ବିସ୍ତୃତ ଥିଲା ।

 

ଆଜାହ୍ନବୀ ଗୋଦାବରୀ, କଳିଯୁଗେ ଯଥା

ସଙ୍କୁଚିତ ଧର୍ମ, ତଥା କାଳକ୍ରମେ ଆହା

ହୋଇଗଲା ସଙ୍କୁଚିତ ଏ ଦେଶର ବପୁ ।

ଔପନିବେଶିକ ରାଜ୍ୟ ଥିଲା ଉତ୍କଳର

 

ସୂଦୁର-ବିସ୍ତୃତ, ଯାଭା, ବାଲିଦ୍ୱୀପ ଯାଏଁ,

ଅଦ୍ୟାପି ସେ ସ୍ଥାନେ ପୁଣି ତାମ୍ରଲିପ୍ତ ପୁରେ ୪

ନିବସନ୍ତି ଉତ୍କଳୀୟେ, ଦିଏ ସାକ୍ଷ୍ୟ ତାର

ଇତିହାସ, ପୁଣି ତହିଁ ବିରାଜିତ ବହୁ

୪- ଆଧୁନିକ ନାମ ତମଲୁକ ।

 

ଉତ୍କଳୀୟ ହିନ୍ଦୁ ଦେବଦେବୀ ପ୍ରତିରୂପ ।

ଏ ସକଳ ଦେଶେ ଆଉ ସାଗର ମେଖଳ

ସିଂହଳେ, ସୁଲୁପେ ଚଢ଼ି ଉତ୍କଳବଣିକେ

ଗତାୟାତ କରୁଥିଲେ ବାଣିଜ୍ୟ ସକାଶେ,

 

ଅହୋ ! କ୍ରୁର ଦେଶାଚାର ଏବେ ସେ ସୁରୀତି

ରଖିଅଛି ଢାଙ୍କି, ଯଥା ପାଉଁଶ ଅନଳେ;

ଜ୍ଞାନର୍ଜ୍ଜନପାଇଁ ସୁଦ୍ଧା ବିଦେଶନିବାସ

କଲେ ଏ କାଳରେ, ହୁଏ ହେବାକୁ ଅବାଧେ

 

ଜାତିଚ୍ୟୁତ, ସମାଜର କଠୋର ଶାସନେ ।

ପରାଶର ୫ କୃଷିଶାସ୍ତ୍ରେ ହୋଇ ସୁପଣ୍ଡିତ

ଉତ୍କଳ କୃଷକକୁଳ, ଜନମାଉଁ ଥିଲେ

ମୃତ୍ତିକାରୁ ସୁନା, ହାୟ ! ତାଙ୍କ ବଂଶଧରେ

୫- ପରାଶର ଋଷି କୃଷିବିଷୟକ ପୁସ୍ତକ ରଚନା କରିଥିଲେ ।

 

ପାସୋରିଣ ଏବେ ସେହି ସ୍ୱାଧୀନତାମୟୀ

କୃଷିବିଦ୍ୟା, ଦୁଃଖସ୍ୱପ୍ନ ପରି, ଏଣେ ତେଣେ

ଭ୍ରମି ଅନ୍ୱେଷନ୍ତି ପେଟ ସକାଶେ ଆତୁରେ

ଦୁଃସହ ପରାଧୀନତା-ନିଗଡ଼ଶୃଙ୍ଖତ ୬ ।

୬- ଚାକରୀ ।

 

ଦ୍ୱିତୀୟ ସର୍ଗ

 

ସଙ୍ଗୀତ ସାହିତ୍ୟ-ଶାସ୍ତ୍ରେ ଉତ୍କଳନନ୍ଦନେ

ଥିଲେ ବାଣୀ ବରପୁତ୍ର କବି ମହାକବି;

ଏ ଉତ୍କଳ ଦେବଧାମ, ଥିଲା ବାଣୀଙ୍କର

ଅମର୍ତ୍ତ୍ୟ ମାଧୁରୀମୟ ପ୍ରମୋଦ କାନନ;

 

ଉଠୁଥିଲା ତହୁଁ ଯେଉଁ ବୀଣାର ଝଙ୍କାର

କର୍ଣ୍ଣରସାୟନ, ତାହା କରାଭଣ ଥିଲା

ଜଗ୍ରତ, ସୁଷୁପ୍ତ ଜନେ, ଜଗାଏ ଯେସନ

ସୁପ୍ତ ସର୍ପେ ଜାଙ୍ଗଳିକ ତୁମ୍ଭଡ଼ି ନିସ୍ୱନ ।

 

ଭଞ୍ଜକୁଳ-ମଞ୍ଜୁକଞ୍ଜ ଗଞ୍ଜାମନିବାସୀ

ବୀରବର ଉପଇନ୍ଦ୍ର, ଗାଇଲା ଯେ ଗୀତ

ବସି ଋଷିକୁଲ୍ୟାକୂଳେ, କି ତୁଳନା ତାହା

ସଙ୍ଗେ ପଦାବଳୀ ଆନ ? ସେ ମହାଗୀତର

(ପଦେ ପଦେକେ ଯାହାର କବିତା ଆଖ୍ୟାତ)

 

ଚାତୁରୀ, ମାଧୁରୀ, ଭଙ୍ଗୀ, ଭାବ ବୈଚିତ୍ର୍ୟାଦି

କବ୍ୟଯୋଗ୍ୟ ଉପାଦାନ, ଏ ମହୀମଣ୍ଡଳେ

ନାହିଁ ଆନ ଦେଶ, ଆନ ଭାଷା ସାହିତ୍ୟରେ ।

କାବ୍ୟମୂଲ୍ୟେ ଏକମାତ୍ର ଭଞ୍ଜ ବୀରବର

 

ନେଇଅଛି କିଣି ଏହି ଉତ୍କଳ ଭୁବନେ

ମହାକବି ସିଂହାସନ, ଲଭିଅଛି ତେଣୁ

ମରି ଅମରତା, ତାର ମୃତ୍ତିକା ଶରୀରେ

ହରିଅଛି ବହୁକାଳୁଁ କାଳ ସର୍ବହର,

 

କିନ୍ତୁ ତାର ଯଶୋଦେହ ଅଜର ଅମର

ସଦା, ଯେତେଦିନଯାଏଁ ଏ ଉତ୍କଳ ଭାଷା

ଥିବ ଧରାଧାମେ, ବତ୍ସ । ତେତେଦିନ ଯାଏଁ

ପ୍ରାତଃସ୍ମରଣୀୟ ହେବ ଭଞ୍ଜ ମହାକବି,

 

ଗୁଣ ସିନା ପ୍ରଦାନଇ ନରେ ଅମରତା ।

ଅଷ୍ଟଦୁର୍ଗ ରାଜ୍ୟେ ଉଇଁ କବିସୂର୍ଯ୍ୟ ରଥେ୧

ଧାର୍ମିକ, ପଣ୍ଡିତ ନବରସେ ସୁରସିକ

ଗାଇଲା ଚମ୍ପୁ, ଚୌପଦୀ ଆଦି ଯେଉଁ ଗୀତ

୧- ବଳଭଦ୍ର ରଥ କବିସୂର୍ଯ୍ୟ ।

 

ଗଭୀର ଭାବବ୍ୟଞ୍ଜକ ସରଳ, ମଧୁର,

ତାର ମଧୁମୟୀ ଭାଷା ଉତ୍କଳ କର୍ଣ୍ଣରେ

ଢାଳି ଦେଉଅଛି ସଦା ସ୍ୱର୍ଗୀୟ ପୀୟୁଷ ।

ଭକ୍ତକବି ଜଗନ୍ନାଥ୨, ଦୀନକୃଷ୍ଣ ଦାସ ୩

 

୨- ଭାଗବତ ରଚୟିତା ।

୩- ରସକଲ୍ଲୋଳ ପ୍ରଭୃତି ଗ୍ରନ୍ଥ ରଚୟିତା ।

 

ବଳରାମ ୪, ଅଭିମନ୍ୟୁ ସାମନ୍ତ ସିଂହାର ୫

ଆବର ସାରଳା ଦାସ ୬ ସାରଳା-ସେବକ,

କେତେ କୃତୀ ସୁତେ ଆହା, ଜନମି ମୋ କୋଳେ

ପବିତ୍ରିଲେ ଅଙ୍ଗ ମୋର ଭକ୍ତିରସ ଢାଳି ।

 

୪- ରାମାୟଣ ରଚୟିତା ।

୫- ବିଦଗ୍‌ଧ ଚିନ୍ତାମଣି ଗ୍ରନ୍ଥ ରଚୟିତା ।

୬- ଉତ୍କଳ ମହାଭାରତ ରଚୟିତା ।

 

ତାହାଙ୍କ ରଚିତ ଗ୍ରନ୍ଥ ଧର୍ମଗୁରୁରୂପେ

ପ୍ରଦାନଇ ଧର୍ମ ସନ୍ଥ ଅଦ୍ୟାପି ଉତ୍କଳେ ।

ଅତୁଳ ଐଶ୍ୱର୍ଯ୍ୟଶାଳୀ ରାଜା କୃଷ୍ଣସିଂହ, ୭

 

ତେଜି ଧନିକ-ସୁଲଭ ଆଳସ୍ୟ, ବିଳାସ

୭- ଧରାକୋଟର ପୂର୍ବବର୍ତ୍ତୀ ରାଜା ।

 

ପୁଣି ମଣିରତ୍ନଖଚୀ ରାଜ-ସିଂହାସନ,

ଉପବିଷ୍ଟ ଥିଲା ସଦା ବାଗ୍ଦେବୀ ମଣ୍ଡପେ,

ନାମେ ମାତ୍ର ସିନା ରାଜା, କିନ୍ତୁ ବ୍ୟବହାରେ

ରାଜର୍ଷିପ୍ରତିମ ଯୋଗୀ ଯଥା ସୀତା-ପିତା, ୮

୮- ଜନକ ।

 

ପଦାଙ୍କାନୁସରି ସେହୁ ଦ୍ୱୈପାୟନଙ୍କର,

ଗାଇଲା ପଞ୍ଚମ ବେଦପ୍ରତିମ ଭାରତ ୯

ନବଛନ୍ଦେ, ସୁମଧୁର ବିଶୁଦ୍ଧ ଭାଷାରେ ।

୯- ରାଜା କୃଷ୍ଣସିଂହ ଉତ୍କଳ ପଦ୍ୟରେ ମହାଭାରତ ରଚନା କରିଅଛନ୍ତି ।

 

ଦାନବୀର ଥିଲା ମୋରି ପୁତ୍ର ରାଧାଶ୍ୟାମ ୧

(ନରେନ୍ଦ୍ର ଆଖ୍ୟାତ ଦାତା ନରରୂପୀ ଦେବ)

ପବିତ୍ର ତୁଳସୀକ୍ଷେତ୍ରେ, ୨ହଳାୟୁଧପୀଠେ

ମେଲି ବସିଥିଲା ସେହୁ ଦାନର ପସରା

ମୁଦେ, ଦାନ-ବାରି ଚଳୁ ଧାରଣେ ସତତ

 

୧-କେନ୍ଦ୍ରାପଡ଼ାନିବାସୀ ରାଧାଶ୍ୟାମ ନରେନ୍ଦ୍ର ।

‘‘ସ୍ୱର୍ଗରେ ଇନ୍ଦ୍ର, ମର୍ତ୍ତ୍ୟରେ ରାଧାଶ୍ୟାମ ନରେନ୍ଦ୍ର’’

ବୋଲି ଅଦ୍ୟାପି ଜନରବ ଘୋଷଣା କରେ ।

୨- କେନ୍ଦ୍ରପଡ଼ା ।

 

ଆର୍ଦ୍ରୀଭୂତ ଥିଲା ତାର ଦକ୍ଷିଣ ଗଣ୍ଡୂଷ ।

ଦରିଦ୍ର ବ୍ରାହ୍ମଣ ପୁତ୍ର ଶ୍ରୀ ପ୍ୟାରୀମୋହନ,

ଥିଲା ଉଚ୍ଚ ଅପାର୍ଥିବ ମନ ଧନେ ଧନୀ,

ତାହା ପରି ଆଉ ବିଧି-ପ୍ରେରିତ ପୁରୁଷ

 

ଖୋଜିଲେ ମିଳିବ ନାହିଁ କୋଟିକେ ଗୋଟିଏ,

ସ୍ଥାପି ଶିକ୍ଷାଗାର ପ୍ୟାରୀ, କଲା ଉନ୍ମୋଚନ

ସ୍ୱଦେଶୀୟ ଜନଙ୍କର ଶିକ୍ଷାର ସୁପଥ;

ବିତରି ପୁଣି ସୁଗ୍ରନ୍ଥ-ବ୍ରହ୍ମନିରୂପକ

 

ମୁକ୍ତିକ ଉପନିଷଦେ, ରଖିଲା ଶାଶ୍ୱତୀ-

କୀର୍ତ୍ତି, ତାହା ତୁଲେ ଆଉ ଅନାଥ ରୋଗୀର

ଅଯାଚିତ ସାହା, ଆହା ଦେଖୁ ନାହିଁ ଏବେ,

ପୀଡ଼ିତ-ପରିଚର୍ଯ୍ୟାରେ ପୀଡ଼ିତ-ଶଯ୍ୟାରେ

 

ପାହୁଥିଲା ରାତି ତାର, ଦେଇ ନିଜ ପ୍ରାଣ,

ରକ୍ଷଣେ ପର ପ୍ରାଣ ସେ ନ ଥିଲା କୁଣ୍ଠିତ ।

ଉତ୍କଳର ଇତିହାସ ବିରଚି ସେ କୃତୀ,

ଧରିଲା ସ୍ୱଦେଶବାସୀ ନୟନ ଅଗ୍ରତେ,

 

ପୂର୍ବ ପୁରୁଷର କୀର୍ତ୍ତ, ଶୌର୍ଯ୍ୟ, ବୀର୍ଯ୍ୟ, ତେଜ,

ରୀତି, ନୀତି ପ୍ରଭୃତିର ଆଲେଖ୍ୟ ଉଜ୍ଜ୍ୱଳ;

ସତତ ଅଷ୍ଟାବଧାନୀ ହୋଇ ଦ୍ୱିଜମଣି

ନିଃସ୍ୱାର୍ଥ ସ୍ୱଦେଶ ସେବା-ବ୍ରତ ଥିଲା ଧରି,

 

ବେଢ଼ିଥିଲେ ତାହା ମନେ ନିବିଡ଼ ବେଷ୍ଟନେ

ବିବିଧ ସ୍ୱଦେଶ ହିତ- ଚିକୀର୍ଷା ସତତ,

ବେଢ଼ନ୍ତି ଚୌଦିଗୁଁ ଯଥା ନଳିନେ ଅଳିଏ ।

ବୀରବର ରାମଚନ୍ଦ୍ର ତାଳଚେର-ପତି,

 

ଉଇଁଥିଲା ଦୀପ୍ତିଶାଳୀ ସାନ୍ଧ୍ୟତାରାରୂପେ

ପ୍ରତୀଚୀ ଗଗନ-ଭାଲେ, ପ୍ରକାଶିଣ ସେହୁ

ଭାଗବତ ମନୁ ଆଦି ମହାଗ୍ରନ୍ଥ ରୂପୀ

ପ୍ରଭାପୁଞ୍ଜ, ବିତାଡ଼ିଲା ଧର୍ମପ୍ରାଣ ପ୍ରାଣୁଁ

 

ଅଜ୍ଞାନ-ତିମିରେ, ପୁଣି ବ୍ୟବସ୍ଥା ସୁପଥ

ଦେଖାଇଲା ଧର୍ମ-କର୍ମ-ସୁବ୍ୟବସ୍ଥାପକେ ।

ତାହାର ରାଜତ୍ୱକାଳେ ତାର ରାଜଧାନୀ,

ପବିତ୍ର ସଂସ୍କୃତଶାସ୍ତ୍ର-ସାହିତ୍ୟ ଚର୍ଚ୍ଚାରେ

 

ଉତ୍କଳରେ ବାରାଣସୀ ଆଖ୍ୟା ଥିଲା ଧରି ।

ଆଉ ଏକ ଦୀପ୍ତ ତାରା ଶ୍ରୀମହେନ୍ଦ୍ର ଦେବ

ଅଷ୍ଟମଲ୍ଲିକ ମହୀନ୍ଦ୍ର, ଅସ୍ତ ଏବେ ସେହୁ,

ମାତ୍ର ତାର ଯଶଃପ୍ରଭା, ଉତ୍କଳ-ଆକାଶେ

 

ରହିଛି ଭାସ୍ୱର, ପୁଣି ଥିବ ଚିରକାଳ;

ଯେଉଁ ‘‘ପଣ୍ଡିତସର୍ବସ୍ୱ’’ ଗଲା ସେ ବିତରି,

ପଣ୍ଡିତ-ସର୍ବସ୍ୱ ତାହା ଆର୍ଯ୍ୟଭୂମଣ୍ଡଳେ ।

ଶମ୍ଭୁପୀଠ କପିଳାସ-ଶିଖର-ବିଳାସୀ

 

ଭଗୀରଥ, କୀର୍ତ୍ତିମାନ ଭଗୀରଥୋପମ,

ମହୀନ୍ଦ୍ର ଆଖ୍ୟାତ; ମାତ୍ର ପ୍ରଜାପାଳନରେ

ଥିଲା ମହେନ୍ଦ୍ର ସମାନ ମହୀରେ ଭୂପତି;

ସ୍ଥାୟୀ ଛାତ୍ରବୃତ୍ତି ଖଞ୍ଜି ବିଶ୍ୱବିଦ୍ୟାଳୟେ

 

ସେହୁ, ଦୀନ ଉତ୍କଳୀୟ ପାଠାର୍ଥି ଗଣର

ହୋଇଅଛି ଯୁଗେ ଯୁଗେ ପ୍ରାତଃସ୍ମରଣୀୟ ।

ଦେଶୀୟ ରାଜନ୍ୟ ମଧ୍ୟେ ସର୍ବପ୍ରଥମରେ

କରି ହସ୍ତକ୍ଷେପ ରାଏ ସ୍ୱଦେଶ ସ୍ୱଜାତି-

 

ହିତ ଅନୁଷ୍ଠାନବ୍ରତେ, ଆଦର୍ଶ ସ୍ଥାନୀୟ

ହେଲା ଆନ ସମଧର୍ମୀ ନୃପତିସମାଜେ ।

ନୃମଣି-ମହୁଡ଼ମଣି ରବିକୁଳ-ରବି

ଭଞ୍ଜାଖ୍ୟ ଶ୍ରୀକୃଷ୍ଣଚନ୍ଦ୍ର, ଭଞ୍ଜଭୂମି-ପତି,

 

ଉତ୍କଳ-କଳ୍ପବୃକ୍ଷର ମଞ୍ଜ ନିଶ୍ଚେଁ ସେହୁ,

ମହାକ୍ଷତ୍ରକୁଳେ ଜନ୍ମ ଯେଣୁ, ତେଣୁ ଥିଲା

ମହାମନା, ମହାଜ୍ଞାନୀ ପୁଣି ମହାରାଜା,

ବିଂଶତି ସହସ୍ର ମୁଦ୍ରା ପ୍ରଦାନି ସେ ନୃପ,

 

କରିଯାଇଅଛି ସ୍ଥାୟୀ କଟକ କଲେଜେ ।

ସୁପାଳନେ କୃଷ୍ଣଚନ୍ଦ୍ର, ପାଳୁଥିଲା ପ୍ରଜା,

ଯଥା କୃଷ୍ଣଚନ୍ଦ୍ର-କୃଷ୍ଣିକୁଳ ସୁପାବନ

ପାଳୁଥିଲେ ପୁଣ୍ୟବତୀ ମଥୁରାନଗରୀ ।

 

ଅହୋ କାହା ନାମ ପୁଣି ପଡ଼ିଗଲା ମନେ !

କ୍ଷତ୍ରିୟ ରାଜନ୍ୟୋଚିତ-ଗୁଣ ବିଚକ୍ଷଣ

ନୃପ ଧନୁର୍ଜୟ ଭଞ୍ଜ, ଧନଞ୍ଜୟୋପମ,

ପ୍ୟାରୀ ଏକାଡ଼େମୀ ଗୃହ, ତାର ଛାତ୍ରାବାସ,

 

ବାଳିକା ବିଦ୍ୟାଆଗାର, ତିନିହେଁ କଟକେ

ଧରିଛନ୍ତି ସେ କୃତୀର କୀର୍ତ୍ତିର ନିଶାଣ ।

କ୍ଷତ୍ରିୟ ତେଜେ ତେଜସ୍ୱୀ ନ ଥିଲା କେବଳ

ରାଏ, ଜାତୀୟ ତେଜରେ ସୁଦ୍ଧା ଥିଲା ସେହୁ

 

ସତତ ତାଜସ୍ୱୀ, ତେଣୁ ସ୍ୱଦେଶୀୟଙ୍କର

ଥିଲା ପୂର୍ଣ୍ଣ ପକ୍ଷପାତୀ, କରୁଥିଲା ପୁଣି

ସ୍ୱଦେଶୀ ଗୁଣି-ଗୁଣର ସମ୍ୟକ ଆଦର ।

ମୁନିକଳ୍ପ ମୁନିପାଳ ଲହଡ଼ା-ମଘବା

 

ଉତ୍କଳ-ମାନମନ୍ଦିର-ମାଲ୍ୟଗିରି-ପତି,

ଥିଲା ମୋର ଯୋଗ୍ୟ ପୁତ୍ର, ଥିଲେ ହେଁ ତାହାର

ବହୁରାଜମନ୍ତ୍ରୀ, ନୀତିମନ୍ତ୍ରଣା-କୁଶଳ,

ମାତ୍ର ସେହୁ ଥିଲା ଆପେ ମନ୍ତ୍ରୀ ଆପଣାର ।

 

ରଖିଥିଲା ଜଗୁଆଳି ଦୁର୍ଗରକ୍ଷା ଲାଗି,

ମାତ୍ର ନିଜ ହୃଦ-ଦୁର୍ଗ-ଦ୍ୱାରେ, ଥିଲା ରାଏ

ନିଜେ ନିଜର ପ୍ରହରୀ, ବିବେକାସ୍ତ୍ରଧାରୀ,

ରାଜଶକ୍ତି, ପ୍ରଜାଶକ୍ତି ସମବାୟେ ଗଢ଼ା,

 

ଜାଣୁଥିଲା ଏହା ସେହୁ, ତେଣୁ ଅହରହ

ଥିଲା ରତ ପ୍ରଜାକୁଳ ଶକ୍ତି ବିବର୍ଦ୍ଧନେ ।

ଯେକାଳେ ରତନା ଭୂୟାଁ, ଭୂୟାଁଦଳପତି

ଗିରିଦୁର୍ଗବାସୀ, ଧରି ଦୁରାକାଙ୍‌କ୍ଷା ମନେ

 

ସ୍ୱାଧିନତା ପ୍ରାପ୍ତି ଆଶେ, ଦେଲା ବେଗେ ଜାଳି

ଅଶାନ୍ତି-ବିପ୍ଳବ-ବହ୍ନି ପ୍ରତିଭୂୟାଁ ହୃଦେ,

ଉଠନ୍ତେ ପ୍ରଜ୍ୱଳି ତାହା ହୋଇ ଊର୍ଦ୍ଧ୍ୱଶିଖ

ଉତ୍ସାହ-ଆହୁତି ପାଇ, ଥର ଥରେ ତହୁଁ

 

ଥରିଲା ଭୀତିବ୍ୟାକୁଳେ କେନ୍ଦୁଝର ମହୀ ।

ବିଚିତ୍ର କୌଶଳେ ଧରି ସେ ଭୂୟା-ପାଂଶୁଳେ

ସମର୍ପିଲା ମୁନିପାଳ ସମ୍ରାଟ ଅଧୀନେ,

ବରଷିଲା ଶାନ୍ତିସୁଧା କେନ୍ଦୁଝର ପ୍ରାଣେ ।

 

ଲଭିଲା ସେ ତହୁଁ ରାଜାବାହାଦୂର ପଦ

ବିପୁଳ ସମ୍ମାନ ସହ, ସମ୍ରାଟ ଛାମୁରୁ,

କ୍ଷତ୍ରିୟ ମହୁଡ଼ମଣି ସେହି ନରମଣି,

ଅଭାଗୀର ଭାଗ୍ୟଦୋଷୁଁ ହେଲା ତିରୋହିତ

 

ଅକାଳେ, କୋଳରୁ ମୋର, ସେ ଦିନୁ ହୃଦୟୁ

ତୁଟିଲା ଉତ୍ସାହ, ବଳ, ତୁଟିଲା ଭରସା ।

ଲୁଚିଲା ବିଚିତ୍ରାନନ୍ଦ ଭବ-ଯବନିକା-

ଅନ୍ତରାଳେ, ଘନମଧ୍ୟେ ପୁର୍ଣ୍ଣ ଶଶୀ ଯଥା;

 

କର୍ମଯୁଦ୍ଧେ ମହାରଥୀ ସହୁ, କର୍ମ ତାର

ରଖିଛି ତା ମାତୃକଳ୍ପା ଭାଷାକୁ ଜୀବିତ ।

ଯେକାଳେ ଉତ୍କଳଭାଷା ହୋଇ ଶୀର୍ଣ୍ଣତରା,

ପଡ଼ି ସୁପୃଥୁଳା ବଙ୍ଗଭାଷାର କବଳେ,

 

ହରାଉଥିଲା ସ୍ୱସତ୍ତା, କର୍ଣ୍ଣଧାରହୀନ

ତରୀପ୍ରାୟ, ବାତ୍ୟାବଳେ ତରଙ୍ଗତାଡ଼ନେ,

ସେକାଳେ ବିଚିତ୍ରାନନ୍ଦ ଯୋଗ୍ୟ ଭାତା ସହ

ସବିନୟେ ରାଜଦ୍ୱାରେ ଦର୍ଶାଇ ପ୍ରମାଣ,-

 

ଦର୍ଶାଇ ପୁଣି ଉତ୍କଳ ସାହିତ୍ୟର ଟେକ,

ଉଦ୍ଧାରିଲା ଚିରସେବ୍ୟା ଚିରସ୍ନେହମୟୀ

ପବିତ୍ର ମାତୃଭାଷାକୁ ସେ ଘୋର ସଙ୍କଟୁ ।

ଉତ୍କଳ ଭାଷାର ସେହି ପୂନର୍ଜନ୍ମଦାତା,

 

ଅଟେ ତୋର ଜ୍ୟୋଷ୍ଠଭ୍ରାତା, ବତ୍ସ, ପ୍ରାତୁ ଉଠି

କରିବୁ ତୁ ନିତ୍ୟ ତାକୁ ସଭକ୍ତି ପ୍ରମାଣ ।

କାହିଁ ସେ ବିଚ୍ଛନ୍ଦ ହାୟ ! ଧୀର ଅମାୟିକ,

ଉତ୍କଳ ରଙ୍କୁଣୀ ଧନ, ପୁଅ ପରି ପୁଅ

 

ଯେହୁ ଥିଲା ତୋ ମାତାର, ବତ୍ସ ! କି ବର୍ଣ୍ଣିବି

ପ୍ରଶସ୍ତି ତାହାର, ଥିଲା ଯେକାଳେ ଅଭାବ

ଉତ୍କଳେ ପାଠ୍ୟପୁସ୍ତକ, ସେକାଳେ ସେ କୃତୀ,

ପ୍ରକାଶି ଅନ୍ୟାନ୍ୟ ଗ୍ରନ୍ଥ ଉତ୍କଳାନୁବାଦ,

 

ଧରାଇଲା ସ୍ୱଦେଶର ଭାବୀ ଆଶାସ୍ଥଳ

ଛାତ୍ରଗଣେ ତାହା, ନବ ଆଦର୍ଶ ପ୍ରକାରେ;

ଗଲାଣି ସେ ଚାଲି କେଉଁ ଅନୁଦ୍ଦେଶ୍ୟ ଦେଶେ

ବହୁଦିନୁ, ମାତ୍ର ତାର ଅନୁଦିତ ପୋଥି

 

ଅଛି ସ୍ମୃତିସ୍ତମ୍ଭ ପ୍ରାୟ, ମହାଜନେ ସିନା

ନିଜ ସ୍ଥାୟୀ ସ୍ମୃତିସ୍ତମ୍ଭ ଗଢ଼ିଯାନ୍ତି ନିଜେ;

ସେ ସ୍ତମ୍ଭ ଗଠନେ ବତ୍ସ, ହୁଏ ନାହିଁ ଲୋଡ଼ା

ଆନ ଶିଳ୍ପୀ ବା ନଶ୍ୱର ମର୍ତ୍ତ୍ୟ ଉପାଦାନ,

 

ଶିଳ୍ପୀ ତହିଁ ମହାଜନ, କୃତ କୀର୍ତ୍ତି ତାର

ଅକ୍ଷୟ ଉପକରଣ, ଅମୂଲ୍ୟ, ଦୁର୍ଲ୍ଲଭ ।

ସର୍ବ ସୁଲକ୍ଷଣବତୀ ସତୀ ସୁଲକ୍ଷଣା,

ଲଭି ସାରସ୍ୱତ କୃପା ପୂର୍ବ ପୁଣ୍ୟଫଳେ,

 

ଗାଇଲା ବିଭୁବନ୍ଦନା ‘‘ପାରିଜାତମାଳା’’

ମଧୁରେ, ସୁସ୍ୱରେ, ପୂତକଣ୍ଠେ; ଦେଖାଇଲା

କବିତ୍ୱେ, ଧର୍ମରେ ଯେଉଁ ଉଚ୍ଚାଦର୍ଶ ସେହୁ,

ଉତ୍କଳ-ଲଳନାକୁଳ-ଗର୍ବ-ଗଣ୍ଠିଧନ,

 

ପଟାନ୍ତର ତାହା ସିନା ତାକୁହିଁ କେବଳ;

ଧନ୍ୟ ସେହୁ ସୁସାଧିକା ସୁକଳ୍ପନାବତୀ,

ପୁଣ୍ୟ ସାରସ୍ୱତାଶ୍ରମ ପ୍ରବୀଣା ତାପସୀ,

ସଂସ୍ଥାପି ଆକ୍ଷରୀ କର୍ତ୍ତି ପବିତ୍ର ମନ୍ଦିର,

 

କରିଯାଇଅଛି ଧନ୍ୟ ମାତୃଭୂମିସହ

ଉତ୍କଳ କରଣକୁଳେ, ଭବିଷ୍ୟବଂଶଜା

ଭକ୍ତ ନାରୀକବିଙ୍କର ନିଶ୍ଚେଁ ବତ୍ସ ସେହୁ,

ଚିରବରଣୀୟା ପୁଣି ପ୍ରାତଃସ୍ମରଣୀୟା ।

 

ବିଶୁ ପାଡ଼ୁଷିର କଥା ଉଦେ ହେଲେ ମନେ,

ଫିଟିଯାଏ ଅଶ୍ରୁଝର ନୟନଯୁଗଳୁଁ

ଦୁର୍ନିବାର, ଦୁର୍ନିବାର ଯଥା ନଦୀସ୍ରୋତ;

ନ୍ୟାୟ-ତର୍କ-ଯୁକ୍ତି-ବଳେ ଜିଣି ଅବହେଳେ

 

ପୁନା ମହାସଭା, (ଦିବ୍ୟ ପ୍ରତିଭା-ପିହିତ-ବହୁଦେଶାଗତ ବହୁ ପଣ୍ଡିତେ ପୂରିତ)

ରଖିଲା ସେ ମାତୃସମା ମାତୃଭୂମି ଟେକ

ସୁଦୂର ପ୍ରବାସେ, ଧନ୍ୟ ଶିକ୍ଷାବଳ ତାର !

ଏହିପରି କେତେ କେତେ ମାତୃ-ହିତବ୍ରତୀ

 

କର୍ମବୀର, ଧର୍ମବୀର, ଦାନବୀର ଆଦି

କୃତିସୁତେ, ମଣ୍ଡିଥିଲେ ଅଙ୍କ ମୋର, କେତେ

ବର୍ଣ୍ଣିବି ତା ବାଳୁତ ରେ ଗୋଟି ଗୋଟି କରି ?

ରଖିଥିଲେ ସେହି ସୂତେ ନିଖିଳ ଭାରତେ

 

ତୋର ମାତୃଭୂମି ଟେକ, ତହୁଁ ଜ୍ୟୋତିର୍ମୟ

ଦିଶୁଥିଲା ଅଭାଗୀର ଶ୍ରୀମୁଖମଣ୍ଡଳ;

ମାତୃଭୂମି ହିତେ ପୁଣି ସେବାଶୁଶ୍ରୁଷାରେ

ସମର୍ପେ ଯେ ମନଃପ୍ରାଣ, ତାହାର ଜୀବନ

 

ଅଟେ ଏକା ଜଗତରେ ଜୀବନ ଆଖ୍ୟାତ

ଆନର ଜୀବନ ସିନା ଜୀବନ୍ତ ମରଣ !’’

ଏହା ଭାଷି ନୀରବନ୍ତେ ଉତ୍କଳ-କମଳା,

ପୁଚ୍ଛିଲି ମୁଁ ସବିନୟେ,- ‘‘ମାତଃ, ଶୁଣି ମୁହିଁ

 

ତବ ମୁଖୁ ଉତ୍କଳର ଅତୀତ ଗୌରବ

ଗଥା, ହେଲି କୃତକୃତ୍ୟ, ପୂତ ହେଲା ପୁଣି

ଭବ-କୋଳାହଳ-ସ୍ତବ୍‌ଧ ଜଡ଼ କର୍ଣ୍ଣ ବେନି,

ମହାଦେବି, କୃପା ବହି ବଖାଣନ୍ତୁ ଭଲା

 

ଉତ୍କଳମାତାର ଏବେ ଉପସ୍ଥିତ ଦଶା,

ବଳବତୀ ଇଚ୍ଛା ମୋର ଶୁଣିବାକୁ ତାହା ।’’

ବିଷାଦ-ନୈରାଶ୍ୟବୋଳା ନିଃଶ୍ୱାସ ପକାଇ

ଭାଷିଲେ ଏସନ ଦେବୀ- ‘‘ହାୟ କି ବର୍ଣ୍ଣିବି

 

ଉତ୍କଳର ଉପସ୍ଥିତ ଦଶା, ବତ୍ସ ! ଦେଖି

ତାହା, ଫାଟିଯାଏ ଛାତି, -ଶତସହସ୍ରଧା;

କି ନୁହେଁ ବିଧି ସନ୍ତୋଷେ ! କି ନୁହେଁ ତା ରୋଷେ

ହାୟ ! ଗୋଟି ଗୋଟି ହୋଇ ଅଭାଗୀ ମୁକୁଟୁ

 

ଝଡ଼ିପଡ଼ୁଅଛି କେତେ ସମୁଜ୍ଜ୍ୱଳ ମଣି !

କାହିଁ ଗଲା ହାୟ, ବୀର ଗଙ୍ଗବଂଶପତି

ଉତ୍କଳ ବାଣୀ-କମଳା ମିଳନ ମନ୍ଦିର

ବାମଣ୍ଡା ମଣ୍ଡଳେଶ୍ୱର ସୁଢ଼ଳ ଭୂପାଳ !

 

ଥିଲା ସେହୁ ଯୋଗଜନ୍ମା ରାଜା, ଏକହାତେ

କରୁଥିଲା ସାଂସରିକ କାର୍ଯ୍ୟ, ଆନ ହାତ

ରଖିଥିଲା ମାତୃସମା ମାତୃଭୂମି ହିତେ

ନିଯୁକ୍ତ ସତତ, ଥିଲା ପୁଣି ସୁସାଧକ

 

ଜଣେ, ଜାଣୁଥିଲା ଯେଣୁ ସାଧନାର ଧାରା,

ତେଣୁ ହେଉଥିଲା ସିଦ୍ଧି ତାର ଅନୁଗତା

ବଳେ ବଳେ ସଦା, ରାଜପଦ ଯୋଗେ ରାଏ

ନ ଥିଲା ଗୌରବାନ୍ୱିତ, ବରଂ ରାଜପଦ

 

ଆଶ୍ରି ତାକୁ ହୋଇଥିଲା ଗୌରବସଙ୍କୁଳ ।

ସତତ ବିବିଧ ଦେବ-ଦୁର୍ଲ୍ଲଭ ସୁଗୁଣେ

ଅଳଙ୍କୃତ ଦେଖି ତାକୁ, ଉତ୍କଳୀୟ ଜନେ

ବୋଲୁଥାନ୍ତି ଶାପଭ୍ରଷ୍ଟ ଦେବତା ବୋଲିଣ,

 

ଆହା, ସେହି ସୁପୁରୁଷ ତେଜି ମର୍ତ୍ତ୍ୟଧାମ

ଗଲା ଯେବେ ଅନାମୟ ନିତ୍ୟଧାମେ ଚଳି,

ସେହି ଦିନୁ ଛିଡ଼ିଗଲା ଉତ୍କଳଭୂମିର

ଦକ୍ଷହସ୍ତ, ହେଲା ସେହୁ ହାୟ ଅନାଥିନୀ !

 

ଉତ୍କଳ-ବିକ୍ରମାଦିତ୍ୟ ରାଜା ବ୍ରଜରାଜ

ଖଡ଼ିଆଳ ଧରାଧିପ, ସ୍ୱୀୟ ରାଜକୋଷେ

ମଣୁଥିଲା ପ୍ରଜାଙ୍କର ଗଚ୍ଛିତ ସମ୍ପଦ,

ସ୍ୱକୀୟ ଅସାଧାରଣ ପ୍ରତିଭାବଳରେ

 

ସାଧିଲା ସ୍ୱରାଜ୍ୟୋନ୍ନତି ଯଶୋଧର୍ମ ଆଦି

ଯଥାତଥା, ଢାଳିଦେଇ ତହିଁ ପ୍ରାଣମନ,

ଘାରିଥିଲା ରାଏ ପୁଣି ସାହିତ୍ୟ-ଅମଳେ

ଆବାଲ୍ୟବାର୍ଦ୍ଧକ୍ୟ; ମନ୍ଥି ସୁଜ୍ଞାନ-ଖୁଆରେ

 

ଉତ୍କଳ-ସାହିତ୍ୟରୂପୀ ଦଧିଭାଣ୍ଡେ, ତହୁଁ

ଜାତ କଲା ଯେଉଁ ସ୍ୱାଦୁ ସୁଗନ୍ଧ ନହୁଣୀ,

ଅମରବାଞ୍ଛିତ ତାହା, ସ୍ୱଧର୍ମ-ନିରତ

ସେହି ରାଜଧର୍ମୀ ରାଜା, ନାହିଁରେ ବାଳୁତ

 

ଆଉ ଏ ରିପୁ-ପିଚ୍ଛିଳ ମର ନରଲୋକେ !

ପାରଳା ରାଜା-ଉଦ୍ୟାନେ ପାରିଜାତରୂପେ

ଫୁଟିଥିଲା ପଦ୍ମନାଭ ନାରାୟଣ ଦେବ,

ସୁଗୁଣ-ସଦ୍ଗନ୍ଧେ ତାର ସମଗ୍ର ଉତ୍କଳ

 

ଥିଲା ପରିବ୍ୟାପ୍ତ, ମାତ୍ର କାଳରୂପୀ କୀଟ

ଦୂରନ୍ତ ନିର୍ମ୍ମମ, ପଶି ଅଲକ୍ଷ୍ୟେ ସେ ଫୁଲେ

କଲା ତାକୁ ଛିନ୍ନ ହାୟ, ଅକାଳେ ନିର୍ଦ୍ଦୟେ ।

ତାହା ପଛେ ଗଲା ତାର ଆରାଧ୍ୟ ଅଗ୍ରଜ

 

ଭାଗୀରଥୀ ବଂଶ ଖଣି ଦୀପ୍ତ ମହାମଣି

ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ

ପାରଳା ନୃବର, ହାୟ, ସ୍ମରିଲେ ତା କଥା

ହୁଏ ନେତ୍ର ଅବାରିତ ଅଶ୍ରୁଦ୍ରବୀଭୂତ ।

 

ଅନୁଜ ବାତ୍ସ୍ୟଲ୍ୟେ ପୁଣି ପ୍ରଜାପ୍ରାଣତାରେ

ଉପମିତ ତାକୁ ଏକା ପ୍ରାତଃସ୍ମରଣୀୟ

ଚିର-ଭାରତ-ଭରସା ବୀର ଦାଶରଥି ।

ଯାଇଛି ସେ ରାଜ୍ୟେ ସ୍ଥାପି ଉଚ୍ଚଶିକ୍ଷାଳୟ,

 

ଯାଇଛି ପ୍ରତିଷ୍ଠା କରି ଛାତ୍ରାବାସରୂପ

ବ୍ରହ୍ମଚର୍ଯ୍ୟାଶ୍ରମ, କେତେ ବାଳ-ବ୍ରହ୍ମଚାରୀ,

ଲାଳିତ ପାଳିତ ତହିଁ ହୋଇ ବିଧିମତେ

ଲଭୁଛନ୍ତି ଶିକ୍ଷା, ଭୁଞ୍ଜି ବାଞ୍ଛିତ ସୁବିଧା ।

 

କର୍ମପ୍ରାଣ ଗୌରଚନ୍ଦ୍ର, ଶିବକର୍ମବଳେ

ନରପ୍ରାଣେ ଅମରତା ଆଣିଲା ଓଟାରି ।

ରାଜା ପାଇଁ ପ୍ରଜାସୃଷ୍ଟି ବିହି ନାହିଁ ବିହି,

ସୃଜିଛି ସେ ପ୍ରଜାପାଇଁ ରାଜା, ଜାଣି ଏହା

 

ଅବିରତ ରତ ଥିଲା ପ୍ରଜାଋଣ ଶୋଧେ ।

ଉତ୍କଳ-ଆକାଶେ ଉଇଁ ଶ୍ରୀ ଚନ୍ଦ୍ରଶେଖର

ଉଜ୍ଜ୍ୱଳ ଜ୍ୟୋତିଷ୍କରୂପେ, ଦେଖାଇ ସ୍ୱପ୍ରଭା

ଅସ୍ତ ହେଲା ଯଥାକାଳେ, ମାତ୍ର ତାର ପ୍ରଭା

 

ସ୍ୱଚ୍ଛ ଅନଶ୍ୱର, ରହି ଉତ୍କଳ ଆକାଶେ

ଉଦ୍ଭାସିତ କରୁଅଛି ଦିଗ ଦିଗନ୍ତରେ,

ନିଶ୍ଚେ ତାହା ଉତ୍କଳର ନବ ଧ୍ରୁବତାରା ।

ଅଦ୍ଭୁତ ଦଇବୀଶକ୍ତି ପ୍ରଭାବରେ ସେହୁ

 

ସାଧିଣ ଅଦ୍ଭୁତ କାର୍ଯ୍ୟ, କଲା ଜଗତକୁ

ଚକିତ ସ୍ତମ୍ଭିତ; ବଂଶନଳ ସାହାଯ୍ୟରେ

ଅନନ୍ତ ଅନନ୍ତେ ଚାହିଁ କଲା ନିରୂପଣ

ଗ୍ରହଗଣ ଗତି, ପୁଣି ସୃଜି ନୂଆ ନୂଆ

 

ଦୂରୁହ ଜ୍ୟୋତର୍ବିଦ୍ୟାର ସୂକ୍ଷ୍ମ ସୁତ୍ରଚୟ

ରଚିଲା ଜ୍ୟୋତିଷ୍କଗ୍ରନ୍ଥ ‘‘ସିଦ୍ଧାନ୍ତ ଦର୍ପଣ ।’’

କରଣକୁଳଚନ୍ଦ୍ରମା ଶ୍ରୀ ନନ୍ଦକିଶୋର

ଦେଶୀୟ ରାଜନ୍ୟଙ୍କର ଆଶ୍ରୟ ସମ୍ୱଳ,

 

ଯାହାଙ୍କ ଦକ୍ଷିଣ ହସ୍ତ ଅଙ୍ଗୁଳି ସଙ୍କେତେ

ହେଉଥିଲା ନ୍ୟାୟେ ଧର୍ମେ ସୁପରିଚାଳିତ

ସମଗ୍ର ଗଡ଼ମଣ୍ଡଳ, ପୁଣି ଗୁପ୍ତଦାନେ

ମହାଦାତା, କର୍ମବୀର ଉତ୍କଳ, ଭୂଭାଗେ,

 

କର୍ମ୍ମମୟ ଜୀବନକୁ ନ ଦେଇ ବିଶ୍ରାମ

ଲବେ ମାତ୍ର, କରୁଥିଲେ କର୍ମର ସାଧନା

ଅନୁବ୍ରତ, ତାହାଙ୍କର ବିଶାଳ ହୃଦୟ

ପୂର୍ଣ୍ଣ ଥିଲା ଜାତିଦେଶ ହିତକାମନାରେ,

 

ଓହୋ ! କି କହିବି ବତ୍ସ ! ମହାଶୋକେ ମୁଖୁ

ସ୍ଫୁରୁ ନାହିଁ ବାକ୍ୟ, ପୁଣି କ୍ରୁର ଗତସ୍ମୃତି

ବ୍ୟଥା ଦିଏ ହୃଦୟର ଅନ୍ତସ୍ତଳ ଚିରି,

ଅକାଳରେ ସେ ମହାତ୍ମା ହୋଇଣ ବିଚ୍ୟୁତ

 

ମାତୃକୋଳୁଁ, ଗଲା କେଉଁ ଅନୁଦ୍ଦେଶ୍ୟ ଦେଶେ

ଅନିର୍ଦ୍ଦିଷ୍ଟ ପଥେ ଚାଲି, ବିସୋରିଲେ ମନୁ

ନ ଯାଏ ବିସୋର ନନ୍ଦକିଶୋରର ଗୁଣ ।

ସାମନ୍ତ ବଂଶଭୂଷଣ ରାଜନାରାୟଣ

 

ଅତିଥିବତ୍ସଳ ଦାତା ସ୍ୱଦେଶାଭିମାନୀ,

ଖୋଜି ଖୋଜି ନିରାଶ୍ରୟ ଅକ୍ଷମ ମାନବେ

କରଇ ସତ୍କାର ଆଣି, ଉପଜୀବ୍ୟ ଦେଇ ।

ଅନ୍ନପୂର୍ଣ୍ଣାଙ୍କର ଅନ୍ନଭଣ୍ଡାର ସଦୃଶ

 

ସ୍ଥାପିଳା ସେ ଅନ୍ନଛତ୍ର, ଅକ୍ଷୟ ଅବ୍ୟୟ ।

କେତେ ପ୍ରାଣୀ ମହାପ୍ରାଣୀ ପାଉଥାନ୍ତି ତହୁଁ

ଅନ୍ନ, ଧନ୍ୟ ଶତଧନ୍ୟ ହୃଦୟ ତାହାର,

‘‘ଅନ୍ନଦାନ ମହାପୁଣ୍ୟ’’ ହୋଇଥିଲା ବ୍ରତ ।

 

ସଜ୍ଜନ ସ୍ୱଳ୍ପାୟୁ ହେବେ ଦୀର୍ଘାୟୁ ଦୂଜନ,

ଅଟେ ଏହା ଯୁଗଧର୍ମ, ତେଣୁ ସେହି କୃତୀ,

ଲଭିଲା ସକଳ ତେଜି ଅକାଳେ ବିଲୟ ।

ଦେଶଭକ୍ତ ରାମଚନ୍ଦ୍ର, ରାମଚନ୍ଦ୍ର ସମ

 

ବହାଇ ଶୋକାଶ୍ରୁ, ବାରି ଉତ୍କଳ-କୋଶଳେ

ଲୁଚିଲା ଯୌବନେ ଭବ-ଯବନିକା ପାରେ,

ଉତ୍ସର୍ଗିଣ ସେହୁ ଆତ୍ମପ୍ରାଣ ଆତ୍ମମନ,

ସ୍ୱଦେଶ ସ୍ୱଜାତି ପୁଣି ସ୍ୱଧର୍ମୋନ୍ନତିରେ,

 

ସମାଜର କଳ୍ପବୃକ୍ଷ ଦ୍ୱିଜାତିକୁଳର

ଉଦ୍ଧାରାର୍ଥ, ସ୍ଥାପିଲା ସେ ବ୍ରାହ୍ମଣ ସମିତି

ବହୁଶ୍ରମେ ଶଙ୍ଖତୀର୍ଥେ, ତାହା ସମକକ୍ଷ

ନୀରବ କର୍ତ୍ତବ୍ୟ-ବୀର ନାହିଁ ଜଣେ ଆଉ

 

କରିବାକୁ ପୂର୍ଣ୍ଣ ତାର ସ୍ଥାନ ଏ ଉତ୍କଳେ ।

ଥିଲା ରାମଚନ୍ଦ୍ର କ୍ଷୁଦ୍ର ବ୍ୟବହାରାଜୀବ,

ମାତ୍ର ଦେଶ-ହିତ-ପ୍ଳୁତ ହୃଦୟ ନିକଟେ

ତାର, ପରାଜୟ ସଦା ମାନୁଥିଲା ରାଜା-

 

ମହାରାଜାଗଣଙ୍କର ବଦାନ୍ୟ ହୃଦୟ,

ନ ଚାହିଁ ସେ ସ୍ୱୀୟ ଶିଶୁ ସନ୍ତାନଗଣର

ଭବିଷ୍ୟତ ଜୀବନର ସୁଖଦୁଃଖ ଆଡ଼େ,

ସମ୍ପତ୍ତି-ଆବଦ୍ଧ-ଲବ୍‌ଧ ଧନରାଶି ଦେଇ

 

ପୂଜିଗଲା ନାନାଭାବେ ଜନ୍ମଭୂମି ପାଦ ।

ଉତ୍କଳ-ସରସୀ-ମଞ୍ଜୁକଞ୍ଜ ବିପ୍ରବର

ଭଞ୍ଜାଖ୍ୟ ସ୍ୱଦେଶଜନ-ନୟନାଭିରାମ

ଅଭିରାମ, କରାଇଣ ଆହା ସ୍ୱଜୀବନ-

 

ପୂର୍ବାହ୍ନରେ ସଞ୍ଜ, ଖରେ ପଡ଼ିଲା ମଉଳି !

ଥିଲା ସେହୁ ଜନ୍ମଭୂମି ସୁପୂଜକ ଜଣେ,

ସମ୍ପାଦିଣ ପୂଜାଦ୍ରବ୍ୟ ଭ୍ରାତୃମେଳେ, ଯାଇ

ମାତୃମନ୍ଦିର ସମୀପେ, ବଜାଇବା ବେଳେ

 

ପ୍ରଭାତୀ ମଙ୍ଗଳ ଘଣ୍ଟା ନିଦ୍ରାଭଙ୍ଗ ପାଇଁ

ମାତୃଦେବୀଙ୍କର, ହାୟ ହେଲା ସେ ଗତାୟୁ !

ଅଦୂର ଭବିଷ୍ୟ ତାର ସ୍ଥାନ ଏ ଉତ୍କଳେ

ପୂର୍ଣ୍ଣ ହେବ ବୋଲି ହେଉ ନାହିଁ ମୋ ପ୍ରତୀତି ।

 

ପ୍ରାଣସ୍ପର୍ଶୀ ଓଜସ୍ୱିନୀ ବକ୍ତୃତା ତାହାର

ଅଗ୍ନିମୟୀ, ତେଜୋମୟୀ, କରୁଥିଲା ତାହା

ମୁମୂର୍ଷୁ ହୃଦେ ଆଶାର ବିଦ୍ୟୁତ ସଞ୍ଚାର ।

ପଣ୍ଡିତ ବିହାରୀ ବିହାରୀଲାଲ କାଶ୍ମୀର-ନିବାସୀ

 

ମାନବ-କୁବେର, ତୋର ଉତ୍କଳ-ମାତାର

ସମ୍ୱନ୍ଧେ ପୁତୁରା ସେହୁ, ମାତ୍ର ତାହା ପ୍ରତି

ପ୍ରକାଶୁଣ ଥିଲା ଭକ୍ତି ସଦା ମାତୃବତ,

ବିତରି ଭଗବଦ୍ଗୀତା (ମୂମୁକ୍ଷୁ-ବାଞ୍ଛିତ)

 

ଆବର ଚିକିତ୍ସାଗ୍ରନ୍ଥ, ବହୁ ଅର୍ଥବ୍ୟୟେ,

ହୋଇଅଛି ଉତ୍କଳର ଚିରସ୍ମରଣୀୟ ।

ସତ୍କାର୍ଯ୍ୟେ ଯେ ମୁକ୍ତହସ୍ତ, ସାର୍ଥ ସିନା ତାର

ଧନି-ଆଖ୍ୟା, ଦାତାନାମ, ମାନବ ଜନମ,

 

ମାତ୍ର ଆନ ଧନୀ ଖାଲି ଧନ ଜଗୁଆଳି ।

କେତେ ବଖାଣିବି ଆଉ ବତ୍ସ ! ଉତ୍କଳର

ଗତଜୀବ ମାତୃଭକ୍ତ ନନ୍ଦନଙ୍କ କଥା,

ଏହି ପରି କେତେ କେତେ ଉଜ୍ଜ୍ୱଳ ତାରକା

 

ହୋଇ ସ୍ଥାନଚ୍ୟୁତ, ଗଲେ ଆକାଶେ ଉଭେଇ ।

ଏ ସର୍ବ ସୁତେ ହରାଇ ତୋ ଉତ୍କଳ-ମାତା,

ଅତି କଷ୍ଟେ ଧୈର୍ଯ୍ୟ ଧରି ଥିଲା ମାତ୍ର ପ୍ରାଣେ,

କିନ୍ତୁ ବତ୍ସ ! ଯେଉଁ ଦିନୁ ଗଲା ରାଧାନାଥ,

 

ସେହି ଦିନୁ ଆଉ ତାର ମିଳୁ ନାହିଁ ନାଡ଼ୀ,

ହାୟ, ସେହି ମର୍ମଭେଦୀ ଗୁରୁ ଶୋକାଘାତେ

ଯାଇଅଛି ଅଭାଗୀର ଅଣ୍ଟା ଭାଙ୍ଗି, ତେଣୁ

ହୋଇଛି ଅଶ୍ରୁପଙ୍କିଳ ଗଣ୍ଡସ୍ଥଳ ତାର !

 

ଏକମୁଖେ କି ଗାଇବି ରାଧାନାଥ ଗୁଣ,

ଥିଲା ସେହୁ ଉତ୍କଳର କାବ୍ୟ-ଧ୍ରୁବତାରା,

ମାତୃଭାଷା ପୂତଅଙ୍ଗ ସୌଷ୍ଠବ-ସାଧନେ

ଥିଲା ସେ ନିଯୁକ୍ତ, କାୟମନୋବାକ୍ୟେ ଆହା,

 

ଆବାଲ୍ୟବାର୍ଦ୍ଧକ୍ୟେ, ତାର ସୁଆରାଧନାରେ

ପରିତୁଷ୍ଟି ଲଭି ଦେବୀ ଉତ୍କଳ ଭାରତୀ

ସମର୍ପିଲେ ତାହା କରେ ବୀଣାଯନ୍ତ୍ର ସହ

ଉତ୍କଳ-ସାହିତ୍ୟ-ରତ୍ନଭଣ୍ଡାର କଞ୍ଚିକା-

 

ତହୁଁ ଫେଇ ସେ ଭଣ୍ଡାର ଅବହେଳେ କବି

ଘେନି ମନୋମତ ରତ୍ନ, ବିରଚିଲା ତହିଁ

ଚାରୁ କାରୁକଳାଯୁକ୍ତ ନବ ଅଳଙ୍କାର,

ତାର ରମଣୀୟ ପ୍ରଭା ବିପ୍ଲାବି ଉତ୍କଳେ

 

ଉଜ୍ଜ୍ୱଳାଏ ପୁଣି ତାର ସୀମାତୀତ ଦେଶେ ।

ବାଉଥିଲା ବାଣୀ ବୀଣା ଚଢ଼ାଇ ପଞ୍ଚମେ,

ଯେତେ ଶୁଣିଲେ ତା, କର୍ଣ୍ଣେ ଶୁଭୁଥିଲା ସଦା

ନୂଆ ନୂଆ ପରି, ଅହୋ ସେହି ରାଧାନାଥ

 

ଉତ୍କଳ-ସାହିତ୍ୟ-ନବ-ମନ୍ଦିର-ବିନ୍ଧାଣୀ

ନାହିଁ ରେ ବାଳୁତ ଆଉ ନଶ୍ୱର ବିଶ୍ୱରେ ।

ଯଶୋନିଧି ହରିହର ମର୍ଦ୍ଦରାଜ ଦେବ

ଖଲ୍ଲିକୋଟ ଅଷ୍ଟଦୁର୍ଗପତି, ଥିଲା ଜଣେ

 

ଉର୍ବରମସ୍ତିଷ୍କ ନୃପ, ହୃଦୟ ତାହାର

ପ୍ରଶସ୍ତ, ପ୍ରଶସ୍ତ ଯଥା ତାହା ରାଜ୍ୟସ୍ଥିତ

ଅମର-ଗୀତମୁଖରା ବିରାଟ ଚିଲିକା ।

ତା ଜୀବନ-ପଞ୍ଜିକାର ପ୍ରତ୍ୟେକ ପତର

 

ପରିପୂର୍ଣ୍ଣ ଶୁଭଶ୍ଳୋକେ, ଘେନିଥିଲା ସେହୁ

ପ୍ରଜାଠାରୁ କର ଦାନ ପାଇଁ, ଯଥା ଧରା,

ଗୁଣେ ଶସ୍ୟ ବିନିମୟେ ଅର୍ପେ ବହୁଗୁଣ ।

ଲକ୍ଷାଧିକ ମୁଦ୍ରାବ୍ୟୟେ ସଂସ୍ଥାପି ସେ ରାୟେ

 

ଉଚ୍ଚ ଶିକ୍ଷାଶାଳା, କଲା ଅମରତ୍ୱ ଲାଭ,

ସାଧକ ବାଳକେ ସେହି ସାଧନା-ଆଶ୍ରମେ

କରୁଛନ୍ତି ସ୍ୱୀୟ ଭାବୀ ଅଦୃଷ୍ଟ ଗଠନ,

ଗାଇ ତା ଅମର ସ୍ମୃତି ପବିତ୍ର ଗୀତିକା ।

 

ଜନହିତାକାଙ୍‌କ୍ଷୀ ଜନେ ସ୍ୱଳ୍ପାୟୁ ଜଗତେ,

ସାକ୍ଷୀ ତାର ଗ୍ରୀଷ୍ମ ରାତ୍ରି, ଶିଶିର ଦିବସ ।

ନିୟତି ନିୟମେ ହାୟ, ସେ ମହାନୁଭବ

ହୋଇଗଲା ଅକାଳରେ କାଳ-କବଳିତ ।

 

ତା କରୁଣ ମହାସ୍ମୃତି ନ ଲଭି ବିସ୍ମୃତି

ଦେଖାଏ ଅଦ୍ୟାପି ମହା ନୈରାଶ୍ୟର ଛାୟା ।

ଗଲା ଆହା, ମାତୃଭକ୍ତ ଶ୍ରୀ ବୀରବିକ୍ରମ

ଖଡ଼ିଆଳ ଧରାଧିପ, ଅକାଳେ ସ୍ୱରଗେ,

 

ଥିଲା ସେ ଉତ୍ସର୍ଗି ପ୍ରାଣ ସମାଜ ସଂସ୍କାରେ,

ପୁଣି ସାହିତ୍ୟ-ସେବାରେ, ଯାଇଛି ସେ ଲେଖି

ସୁକାବ୍ୟ ନାଟକ କେତେ, ଅତି ଉପାଦେୟ,

ସାହିତ୍ୟ-ଭଣ୍ଡାରେ ତାହା ଦୀପ୍ତ ରତ୍ନରେଣୁ ।

 

ନିଜେ ଲେଖି କ୍ଷାନ୍ତ ନୋହି ଲେଖାଇ ଅପରେ,

ପ୍ରଦାନି ପାରିତୋଷିକ, ଉତ୍ସାହ ତାହାର

କରୁଥିଲା କ୍ରମେ ବୃଦ୍ଧି, ଗ୍ରାହକତା-ହାଟେ

ଥିଲା ବୀରମଣି ଜଣେ ଚିହ୍ନରା ଗ୍ରାହକ ।

 

ତାର ରାଜସଭା (କାବ୍ୟକୋଳାହଳମୟୀ)

ପରିପୂର୍ଣ୍ଣ ଥିଲା ସଦା ସୁକବି ପଣ୍ଡିତେ ।

ବନ୍ଦିଶାଳେ ଦେହ ନିହି ବନ୍ଦିଜନ ଯଥା

ରଖିଥାଏ ଧ୍ୟାନଜ୍ଞାନ ମାତୃଭୂମି କତି,

 

ତଥା ସେ ସୁଧୀରବର ରହି ଚିରକାଳ

ହିନ୍ଦୀଭାଷା ଆବରଣ ମଧ୍ୟେ, ଅର୍ପିଥିଲା

ପ୍ରାଣମନ ପ୍ରାଣାଧିକା ମାତୃଭାଷା ପଦେ ।

ହାୟ, କି ଦାରୁଣ ସ୍ମୃତି ଉଇଁଲା ମାନସେ

 

ଆସି ବତ୍ସ ! କେମନ୍ତେ ବା କହିବି ମୁଁ ତାହା ?

କହିବାର ଥାଉ ଦୂରେ, ସ୍ମରଣେ ଯେ କଥା

ହୁଏ ନେତ୍ର ଅଶ୍ରୁପୂର୍ଣ୍ଣ, ବାକ୍‌ଶକ୍ତି ଶିଥିଳା;

ଉତ୍କଳ ମହୁଡ଼ମଣି ଭଞ୍ଜଭୂମିପତି

 

ରାମଚନ୍ଦ୍ର ରବିକୁଳ-ପ୍ରଗୌରବ-ରବି

ହେଲା ଅସ୍ତ ଜନ୍ମଭୂମି ଦୁର୍ଭାଗ୍ୟେ ଅକାଳେ ।

ଉତ୍କଳ ଜାତୀୟ ମହା ସମ୍ମିଳନୀ-ଯାଗେ

ହୋଇ ପଟ୍ଟପୁରୋହିତ ବୀର ଜାଳିଥିଲା

 

ଆଶା-ଦୀପ ଉଗ୍ର ତେଜେ ସ୍ୱଦେଶ ସମ୍ମୁଖେ,

ମାତ୍ର କ୍ରୁର କାଳ-ବାୟୁ ସେ ଦୀପ ସହିତେ

ନିଭାଇଲା ଖରେ ଆହା ତାହା ପ୍ରାଣ-ଦୀପ !

ଆଧିନିକ ଉତ୍କଳୀୟ ରାଜନ୍ୟ ମଧ୍ୟରେ

 

ଥିଲା ଉଚ୍ଚଶିକ୍ଷିତ ସେ କ୍ଷଣଜନ୍ମା ରାଜା,

ଉନ୍ନତ ଉଦାର ଧୀର, ତା ହୃଦୟ ସହ

ତୁଳିକା କେବଳ ତାର ରାଜ୍ୟ ଅନ୍ତଃପାତୀ

ଉତ୍କଳର-ହିମାଳୟ ମେଘାସନ ଗିରି ।

 

ବହୁବିଦ୍ୟା ବହୁଗୁଣ ବହୁକୀର୍ତ୍ତିଯୁତ

ଦେଖି ତାକୁ, ଗୁଣଗ୍ରାହୀ ରାଜରାଜେଶ୍ୱର

ଅର୍ପିଥିଲେ ଅଯାଚିତେ ମହାରାଜା ପଦ,

ରାଜର୍ଷିପ୍ରତିମ ସେହି ନରରୂପୀ ଦେବ

 

ଭ୍ରମି ସସାଗରା ଧରା କଲା ଉପାର୍ଜନ

ବିପୁଳ ସୁଜ୍ଞାନ-ରତ୍ନ, ସ୍ୱଦେଶରେ ତାହା

ବିତରିବା ବେଳେ ଅହୋ ! ହେଲା ସେ ରତାୟୁ ।

ରାଧାନାଥ ଶୋକକ୍ଷତ ନ ଶୁଖୁଣୁ ତହିଁ

 

ମିଶି ପୁଣି ଆନ ଶୋକ ଲବଣ ପରାୟେ

କଲା ତାକୁ ବିସର୍ପିତ, ବତ୍ସ ! ଆସେ ନାହିଁ

ବିପଦ-ଭୁଜଙ୍ଗ ଏକ ଫଣା ବହି, ଆସେ

ସେହୁ ହୋଇ ଶତଫଣ, ଦଂଶେ ଶତ ସ୍ଥାନେ !

 

ଏଥୁଅନ୍ତେ ଭକ୍ତକବି ଶ୍ରୀ ମଧୂସୁଦନ

(ଆଜୀବନ ସାରସ୍ୱତତୀର୍ଥ-ତାର୍ପଣିକ)

ହେଲାକ ଗତାୟୁ ହାୟ, ନାମ ପରି ତାର

ମଧୁର ଚରିତ୍ର, ବାକ୍ୟ, ବ୍ୟବହାର ପୁଣି ।

ଋଷିପ୍ରକୃତିକ ସେହୁ ଧର୍ମଗତପ୍ରାଣ,

 

ତୋ ଜନ୍ମ-ଭୂମିର ଥିଲା ଗୌରବ-ପଦକ;

ସର୍ବବିଧ ଶିକ୍ଷୋନ୍ନତି ସାପେକ୍ଷ ଶିକ୍ଷାର,

ବୁଝିଥିଲା ଏହା ସେହୁ, ତେଣୁ ଶିକ୍ଷାଦାନେ

ଉତ୍ସର୍ଗିଥିଲା ଜୀବନ, ତେଜି ଆତ୍ମସୁଖ,

 

କେତେ ଶିକ୍ଷାର୍ଥିଗଣର କରିଗଲା ସେହୁ

ଅଦୃଷ୍ଟ ଗଠନ, ତାହା ହେବ ନାହିଁ ଗଣି;

ଏତିକିରେ ନୋହି କ୍ଷାନ୍ତ ସେ କର୍ତ୍ତବ୍ୟବୀର,

ଭାବୀ ବଂଶଧର ପାଇଁ ସହି କେତେ କ୍ଳେଶ

 

ଜରାଜୀର୍ଣ୍ଣ କ୍ଷୀଣଦେହେ ବୁଲି ଗ୍ରାମେ ଗ୍ରାମେ,

ସଂଗ୍ରହିଣ ଅର୍ଥ, ସ୍ଥାପି ଉଚ୍ଚ ଶିକ୍ଷାଗାର,

କରିଗଲା ଚିରସ୍ଥାୟୀ କାମ ସହ ନାମେ ।

ଅହୋ ପୁଣି ବିନା ମେଘେ ହେଲା ବଜ୍ରପାତ,

 

ବିନା ଅଣସରେ ହେଲା ଘୋର ଗୁଳୁଗୁଳି, *

ଚଳିଲା ବୈକୁଣ୍ଠନାଥ ବୈକୁଣ୍ଠ ଭୁବନେ

ତେଜି କର୍ମ ଉପାସନା, ମର୍ତ୍ତ-ଦେବାଳୟୁଁ,

ଅର୍ପି ଶୋକ ଅରୁନ୍ତୁଦ, ଉତ୍କଳ-ଜୀବନେ,

*ଜଗନ୍ନାଥଙ୍କର ଅନବସର ମନ୍ଦିର ଅବସ୍ଥାନ ସମୟରେ ଅସହ୍ୟ ଗ୍ରୀଷ୍ମ ହୁଏ ।

 

କରି ତାକୁ ମିୟମାଣ, ଉଦ୍‌ଯାପିଲା ଆହା

ପୂତପ୍ରାଣ-ଯଜ୍ଞାନଳ ମହାକାଳ-ନୀରେ ।

ବତ୍ସ, ସେହି ଶୋକରୂପା ଅଦୃଶ୍ୟ ତଟିନୀ

ବୃଦ୍ଧି ଲଭି ହେଉଅଛି କ୍ରମେ କୂଳଙ୍କଷା ।

 

ଖୋଳାଇ କାସାର କୂପ ତୋଳାଇ ଦେଉଳ,

ଦୁଃସ୍ଥ ରୋଗୀ ପାଇଁ ସ୍ଥାପି ଚିକିତ୍ସା ଆଗାର

ଯଶୋ-ରତ୍ନ-ଖଚୀ ଚୂଡ଼ା ମଣ୍ଡିଥିଲା ମାଥେ ।

ଥିଲାକ ବୈକୁଣ୍ଠନାଥ ରାଜଭକ୍ତି ଗୁଣେ

 

ରାଜଭକ୍ତି ଉପମୂର୍ତ୍ତି, ସମ୍ପାଦି ସେ କୃତୀ

ବିପୁଳ ଯୋଗ୍ୟତା ସହ ବିଶ୍ୱାସ ଭାବରେ

ଦେଶକାର୍ଯ୍ୟ ରାଜକାର୍ଯ୍ୟ ସହ, ଲଭିଥିଲା

ରାଜଦ୍ୱାରୁଁ ମହାରାଜା ପଦ, ସସମ୍ମାନେ;

 

କିନ୍ତୁ ହାୟ ସେ ଦୁର୍ଲ୍ଲଭ ଗୌରବଭୂଷଣ

ନ ପାରିଲା ପିନ୍ଧି ସେହୁ ଅଧିକ ଦିବସ ।

ନୁହଇ ଏ ଭବେ ସ୍ଥିର କାହାରି ଜୀବନ,

ତପ୍ତ-ସିକତିଳ-ସ୍ଥଳେ ପାନ୍ଥ ପଦ ଯଥା,

 

ମରିବେ ସକଳେ ଯଥାକାଳେ, ମଲା ତଥା

ବୈକୁଣ୍ଠର ମୂର୍ତ୍ତି, ମାତ୍ର ତା ଅମର ସ୍ମୃତି,

କନ୍ଦାଇବ ବହୁକାଳ ଉତ୍କଳ ସନ୍ତାନେ ।

କେତେ ଆଉ ବଖାଣିବି ଦୁର୍ଦ୍ଦଶାର କଥା,

 

ସ୍ମରଣେ ଯାହାର ହୁଏ ଶତଧା ବିଭକ୍ତ

ହୃଦ-ଭାଣ୍ଡ, ବଖାଣିଲେ ତାହା, କି ଯାତନା

ଆହା, ହୁଏ କରିବାକୁ ଉପଭୋଗ, ତାହା

ଅନୁଭବୀ ବିନା ଆନ କେ ବୁଝିବ ଏହି

 

ଚରାଚରେ ? ଆସୁଅଛି ରୁନ୍ଧି ହୋଇ କ୍ରମେ

ଶୋକ-ବାଷ୍ପପୂରେ ଶଙ୍କି, *ନ ପାରିବି ଆଉ

କହି, ଯଦି ଦେଖିବୁ ରେ ବତ୍ସ, ତୋ ମାତାର

ଉପସ୍ଥିତ ଦଶା ନେତ୍ରେ, ତେବେ ମୋ ସହିତ

*ତଣ୍ଟି

 

ଚାଲ, ଦେଖାଇବି ତାହା ତୋତେ ମାୟାବଳେ ।

କିନ୍ତୁ ବତ୍ସ ! ସେ ଅଦ୍ଭୁତ ବିକଟ କରୁଣ-

ମହାଦୃଶ୍ୟ, ନ ସହିବ ଚର୍ମଚକ୍ଷୁ ତୋର,

ଏଣୁ ଘେନ ଦିବ୍ୟ ଚକ୍ଷୁ, ତାହାର ପ୍ରସାଦେ

 

ଦେଖିବୁ ତୁ ସ୍ୱମାତାର ମର୍ମ୍ମନ୍ତୁଦ ଛବି !’’

ଏହା ଭାଷି ଦେବୀ ମୃଦୁ ମଧୁର ଭାଷାରେ,

ପ୍ରଦାନିଣ ମୋତେ ଦିବ୍ୟନେତ୍ର, କୃପା ବହି,

ପାଟଳ କମଳ କରେ ମାରନ୍ତେ ତ୍ରିତାଳି,

 

ଉଦ୍‌ଘାଟିତ ହେଲା ତହିଁ ରମ୍ୟଗୁପ୍ତଦ୍ୱାର ।

ପଶିଲି ନିଃଶଙ୍କେ ତହିଁ ଦେବୀଙ୍କ ସଙ୍ଗତେ,

କି ଭୟ ମୋହର, ଯେଣୁ ଦେବୀ ମୋ ରକ୍ଷିକା ।

 

ତୃତୀୟ ସର୍ଗ

 

ଦେଖିଲି, ବିଶାଳ ରାଜ୍ୟ ରହିଛି ବିସ୍ତୃତ

ଅଗ୍ରଭାଗେ,- ରତ୍ନରେଣୁମୟ, ତହିଁ ରାଜେ

କେତେ ତୀର୍ଥ, ନଦୀ, ବନ, ଗ୍ରାମ, ରାଜଧାନୀ,

(ଅଚଳ ପ୍ରାଚୀରା ପୁଣି ସାଗର-ମେଖଳା)

ତାହା ହେବ ନାହିଁ ଗଣି, ମହାପୁଣ୍ୟଭୂମି

 

ସେହୁ, ତେଣୁ ହୋଇଅଛି ଦେବଦେବୀଙ୍କର

ମର୍ତ୍ତ୍ୟର ଉପନିବେଶ ପବିତ୍ର ଆବାସ ।

ଶୋଭା-ଗନ୍ତାଘର ପ୍ରାୟ ଆଭାସେ ସେ ଦେଶ,

କିନ୍ତୁ ଦିଶେ ବିଷଦୃଶ ଶ୍ରୀହୀନ ଏକାଳେ,

 

ଶିଶିରେ ସରୋଜ ବନ ଜୀର୍ଣ୍ଣ ଶୀର୍ଣ୍ଣ ଯଥା

ଅଙ୍ଗୁଳି ସଙ୍କେତେ ମୋତେ ଉତ୍କଳ-କମଳା

ବୋଇଲେ ଦେଖାଇଦେଇ ରେ ବତ୍ସ, ଦେଖ ଏ

ଉତ୍କଳ ପ୍ରଦେଶ ତୋର ପ୍ରିୟ ମାତୃଭୂମି,

 

ଯୋଜନ ଯୋଜନବ୍ୟାପୀ ବିସ୍ତାର ଏହାର

ନେତ୍ର ଅଗୋଚର, ତେଣୁ ମୁହିଁ ସଙ୍କୋଚାଇ

ସେ ଦେଶର ବପୁ ଦିବ୍ୟ ଯୋଗମାୟା ବଳେ,

ଦେଖାଇଲି ତୋତେ, ଯେଣୁ ଦିବ୍ୟ ନେତ୍ରଧାରୀ

 

ତୁହି, ତେଣୁ ତୋତେ ହେବ ସକଳ ଗୋଚର ।

ଯେଉଁ ଦେଶ ସ୍ୱାଧୀନତା ନିର୍ମଳ ଅନିଳେ

କେଶରୀ, ଗାଙ୍ଗେୟବଂଶ-ଅବତଂସ ଭୂପେ

କରୁଥିଲେ ଉପଭୋଗ, ନିଖିଳ ଭାରତେ

 

ଶ୍ରେଷ୍ଠ ଯେହୁ, ସ୍ୱର୍ଗେ ଯଥା ବୈକୁଣ୍ଠଭୁବନ,

ସେହି ବସୁପ୍ରସୂ ପୂତ ଉତ୍କଳ ଦେଶର

କି ଦୁର୍ଦ୍ଦଶା ଏବେ ହାୟ ! ଅସହ୍ୟ ଦାରୁଣ,

ଏହା ଭାଷି ହେଲେ ଦେବୀ ଅଗ୍ରସରା, ସେହି

 

ମାୟାନଗରୀର ମଧ୍ୟେ, ତହୁଁ ଅନୁଗାମୀ

ହେଲି ମୁଁ ତାଙ୍କର, ଯଥା ଗୁରୁ ପଛେ ଚେଲା,

ଦେଖି ଦେଖି ଶୋଚନୀୟ ଦୃଶ୍ୟ ଅଗଣନ ।

କେଉଁ ଅଂଶେ ଅତିବୃଷ୍ଟି ହୁଏ ଅନର୍ଗଳ,

 

ପୂର୍ଣ୍ଣ ବାରିଗର୍ଭ ଘନେ ଆଚ୍ଛାଦିଣ ଘନେ

ନଭୋଦେଶେ, ବରଷନ୍ତି ମୂଷଳ ଧାରାରେ

ଗମ୍ଭୀର ହୁଙ୍କାରେ ଗର୍ଜି ମୂହୁର୍ମୂହୁଃ, ସତେ

ଗଲା କି ଆକାଶ ଫାଟି ଚଡ଼ ଚଡ଼ ହୋଇ

 

ଶତଖଣ୍ଡେ, ପ୍ରତେ ହୁଏ ମାନସେ ଏସନ,

ଖେଳଇ ସେ ଘନକୋଳେ ଚପଳେ ଚପଳା

ହିରଣ୍ୟ-କିରଣମୟୀ, ବିଶ୍ୱ-ଶୋଭାରାଣୀ,

ହରିକୋଳେ ଯଥା ରମା କ୍ଷୀରୋଦ-କନ୍ୟକା ।

 

ରୁଦ୍ର ଭୀମ ପ୍ରଭଞ୍ଜନ ବହିଣ ପ୍ରଖରେ

କରେ ସୃଷ୍ଟି ଚୂର୍ଣ୍ଣୀଭୂତ, ପ୍ରଳୟେ ଯେସନ

ବହେ ଅଣଚାଶ ବାୟୁ ହୋଇ ଏକଯୋଗ ।

ଘନ ଘନ ଘନ ଘୋଷେ, ବତାସ ଗର୍ଜନେ

 

ସତତ ବାରି ବର୍ଷଣ ଝଙ୍କାର ନିନାଦେ

ଥରିଲା ଧରଣୀ, ସତେ ବା ଯେସନ ସେହୁ

ପଡ଼ିବ ଲେଉଟି କିମ୍ୱା ଯିବ ଚୂର୍ଣ୍ଣ ହୋଇ !

ପୂର୍ଣ୍ଣ ହେଲା ଜଳେ ନଦୀ ତଡ଼ାଗ ପ୍ରାନ୍ତର,

 

ଚଳେ ସ୍ରୋତ ଭୟଙ୍କର ଖେଳାଇ ଭଉଁରୀ

କଳ କଳେ, ମୁହୂର୍ତ୍ତକେ ସୃଜି ନବାର୍ଣ୍ଣବ,

ଭାସିଯାଉଅଛି କେତେ ନର ପଶୁ ପକ୍ଷୀ

କୀଟ ପତଙ୍ଗାଦି-କେହି ମୁମୂଷୁ, କେ ମୃତ,

 

ପ୍ରାଣଭୟେ ଆହା କେହି ଚଢ଼ିଥିଲା ଗଛେ,

କେହି ଅବା ଗୃହଛାଦେ, କିନ୍ତୁ ହାୟ ତହିଁ

ନ ପାରିଲେ ହତଭାଗ୍ୟେ ବର୍ତ୍ତି, ମୁହୂର୍ତ୍ତକେ

ସେ ପ୍ରଚଣ୍ଡ ଜଳସ୍ରୋତ ଉତ୍ପାଟି ପାଦପେ,

 

ପୁଣି ଭସାଇଣ ଛାଦେ ଘେନିଗଲା ବେଗେ-

ଜୀବନ-ଆତୁର ସେହି ଆରୋହୀ ସହିତେ,

ଭୀଷଣ ଆବର୍ତ୍ତେ ସବୁ ଦେଲାକ ବୁଡ଼ାଇ !

କେଉଁ ଖଣ୍ଡେ ଅନାବୃଷ୍ଟି ବସି ଦୃଢ଼ାସନେ

 

ବିସ୍ତାରିଛି ରାଜପଣ, କଠୋର ଶାସନେ

ତାର, ଦିଶେ ସୃଷ୍ଟି ବିଶ୍ରୀ, ପୁଣି ଭୟଙ୍କର,

ପ୍ରଚଣ୍ଡ ମର୍ତ୍ତଣ୍ଡ କରେ କେଦାର, ପ୍ରାନ୍ତର

ଫାଟି ହୋଇଅଛି ଭୀମ ଭୁଆଁ ଗାଢ଼ମୟ ।

 

ଶୁଷ୍କ ଜଳାଶୟ, ତହିଁ ଜଳଜନ୍ତୁଚୟ

ଜୀବନ ବିସର୍ଜୁଛନ୍ତି ଜୀବନ ଅଭାବେ,

ବହେ ତପ୍ତବାୟୁ ଖରେ ବାସର-ଯୌବନେ

ସନେ ସନେ

(ସୌରକର-ତପ୍ତା ଧରଣୀର ନୈରାଶବ୍ୟଞ୍ଜକ ଉଷ୍ଣ ପ୍ରଶ୍ୱାସ କି ସେହୁ)

 

ଘୋର ଗ୍ରୀଷ୍ମେ ଜଳିଯାଏ ତନୁ, ଶୁଷ୍କ ହୁଏ

କଣ୍ଠ, ଏଣୁ ଜୀବକୁଳ ଜୀବନ୍ମୃତ ପ୍ରାୟ

ଲଭନ୍ତି ଯନ୍ତ୍ରଣା ବହୁ, ଅସହ୍ୟ ଦାରୁଣ

ହୁଏ ନାହିଁ ଚାହିଁ ରୌଦ୍ରେ, ଦିଗ ବିଦିଗରେ

 

ଜଣାଯାଏ ଅଗ୍ନିଗୁଣ୍ଡି ବୃଷ୍ଟି ହେଲା ପ୍ରାୟ,

ଶିଳ୍ପି-ଗୁରୁ ବିଶ୍ୱକର୍ମା ସୂର୍ଯ୍ୟଙ୍କୁ କି ଅବା

ବସାଇଅଛନ୍ତି ଶାଣେ, ରବିଙ୍କ ଶରୀରୁଁ

ବହୁ ଦିନୁ ଘନୀଭୂତ ସିନ୍ଧୁସ୍ନାନ ମଳ

 

ଅପନୋଦନ ମାନସେ ? ଛିଡ଼ିକି ତହିଁରୁ

ଅଗ୍ନିକଣା ଆସଇ କି ଅନମ୍ୱରେ ଉଡ଼ି ?

ତରୁଲତାକୁଳେ ରସ ନ ପାଇ ନୀରସ,

ମୃତକଳ୍ପ, କେହି ମୃତ ଛିନ୍ନଭିନ୍ନ ହାୟ !

 

ମେଲିଥାନ୍ତି ଯେଉଁମାନେ ଶୋଭାର ପସରା

ସଦା ଧରା-ଅଳଙ୍କାରରୂପେ, ସେହୁ ଏବେ

ଦେଖାନ୍ତି ନୀରସ ରୁକ୍ଷ ଶୋଭା-ଶ୍ମଶାନର

କୁତ୍ସିତ ଆଲେଖ୍ୟ, ତାହା ଅସହ୍ୟ ନେତ୍ରର

 

ନାହିଁ ଶସ୍ୟ ଶସ୍ୟକ୍ଷେତ୍ରେ, ଜଳାଶୟେ ଜଳ,

ଅନ୍ନ ଜଳ ଅଭାବରେ ସର୍ବ ନାଗରିକେ

ଦୁର୍ଭିକ୍ଷ-ରାଜାର ଦ୍ରୋହୀ ତ୍ୟକ୍ତ ପ୍ରଜା ପ୍ରାୟ

ଭ୍ରମୁଛନ୍ତି ଦଳେ ଦଳେ ଯଦୃଚ୍ଛାକ୍ରମରେ ।

 

ସମ୍ଭାଳି ନ ପାରି କେହି ଉଦରର ଜ୍ୱାଳା

ଭକ୍ଷନ୍ତି ଅଖାଦ୍ୟ ନାନା, ପିଅନ୍ତି, ଅପେୟ,

ସଂଗ୍ରହି କେ ବନ୍ୟମୂଳ ବନ୍ୟପତ୍ର ଆଦି

ସିଦ୍ଧ କରୁଁ କରୁଁ ତାକୁ, ନ ପାରିଣ ସହି

 

ଦୁର୍ଭାର କ୍ଷୁଧାର ବାଧା, ଅଳ୍ପ ସିଦ୍ଧ ସେହି

ଅତ୍ୟୁଷ୍ଣ ପଦାର୍ଥେ, ଦିଏ ଗର୍ଭକୁ ନିକ୍ଷେପି

ବେନି ହାତେ,- ତରତରେ; ଖାଏ କେହି ଅବା

ବୃକ୍ଷର ବକଳ କାଢ଼ି କଞ୍ଚା ସେହିପରି ।

 

ଅଖାଦ୍ୟ ଖାଦନେ ପୁଣି ଅପେୟ ପାନରେ,

ନାନା ସଂକ୍ରାମକ ରୋଗେ ନାଗରିକ ଲୋକେ

ହୋଇଣ ଆକ୍ରାନ୍ତ, ହାୟ ଲଭୁଛନ୍ତି କ୍ଳେଶ,

କେହି ଥରେ ଥରଥରେ ଜ୍ୱରେ, ବାତେ ଯଥା

 

ରମ୍ଭାପତ୍ର, ବାଜୁଅଛି ଦନ୍ତେ ଦନ୍ତ ଶୀତେ,

ନାହିଁ ବସ୍ତ୍ର ତାର, ଯେଣୁ ଭୂସମ୍ପତ୍ତି ସହ

ବସ୍ତ୍ର ଅଳଙ୍କାର ଆଦି ସକଳ ସମ୍ୱଳେ

ବିକି ପୂର୍ବୁଁ ଲଗାଇଛି ଉଦର ପୂଜାରେ

 

ତେଣୁ ବିଲୁଣ୍ଠି ସେ ରୌଦ୍ରେ, କରଇ ପ୍ରଳାପ;

କେବେ ଉଚ୍ଚ ସ୍ୱରେ କେବେ ଗୁଣୁଗୁଣୁ ହୋଇ

ଗାଏ କେତେ ଗୀତ, ଯଥା ଉପସ୍ଥିତ କବି ।

କାହିଁ ବା କୁନ୍ଥନେ ରତ ଆମାଶୟ ରୋଗୀ,

 

ମର୍ଦ୍ଦି ବଳେ ଉଦରକୁ ମୂହୁଃ ବେନି କରେ,

କ୍ଷଣେ ଉଠେ, କ୍ଷଣେ ବସେ, କ୍ଷଣେ ନଇଁପଡ଼ି

କୁନ୍ଥାଏ କଷ୍ଟରେ ସ୍ତମ୍ଭେ ଟାଣି ଧରି ହାତେ ।

କାହିଁ ଅତିସାରଗ୍ରସ୍ତ ପଞ୍ଜରାସ୍ଥିସାର

 

ଭୁଞ୍ଜେ ଗରିଷ୍ଠ ଭୋଜନ ଫଳ, ଯାଉଁ ଯାଉଁ

ବହିର୍ଭୁମେ, ଅସମ୍ଭାଳେ ତାର ପାଦ ଦେଇ

ବହି ଆସେ ମଳ, ଯଥା ବରଷା ସମୟେ

ବହିଆସେ ଜଳଧାରା ବୃକ୍ଷକାଣ୍ଡ ଦେଇ ।

 

କାହା ଦେହୁଁ ଶୋଷେ ଲହୁ ବିସୂଚୀ-ପିଶାଚୀ

ନର ଶୋଣିତ-ଲୋଲୁପା, ଶୋଷଣନିପୁଣା,

ସେ ତୀବ୍ର ଶୋଷଣେ ଖରେ ହୋଇଯାଏ ଚୋପା

ରୋଗୀ ଦେହ, ସଙ୍କୋଚଇ ଯଥା ରସମୟ

 

ସୁପକ୍ୱ ରସାଳ ଫଳ, ଖାଦକ ଶୋଷଣେ ।

ମୁଖ, ମଳଦ୍ୱାର ବାଟେ ଜଳ ଅନର୍ଗଳ

ହୁଏ ବହିର୍ଗତ, ତହୁଁ ଗୁରୁ ପିପାସାରେ

ହୋଇ ରୋଗୀ ବ୍ୟତିବ୍ୟସ୍ତ ଖୋଜେ ସଦା ଜଳ,

 

କିନ୍ତୁ ଅହୋ ! ନାହିଁ ଜଳ ଘରେ ତାର, ରୋଗୀ

ହୋଇ ଶୁଷ୍କକଣ୍ଠ, କରେ ପ୍ରଳାପ ବହୁତ-

ଗମ୍ଭୀର, ଭୀତିଦ କ୍ଷୀଣ ଅର୍ଦ୍ଧଭଙ୍ଗସ୍ୱରେ;

ଶିରାମୟ ଶରୀରରୁ ଉଠେ ଶିରାମୟୀ

 

ସେ ତୀବ୍ର ଯନ୍ତ୍ରଣା ରୋଗୀ ନ ପାରିଣ ସହି

ପ୍ରହାରଇ ହସ୍ତପଦ ଧରଣୀ ଉପରେ

ପୁନଃ ପୁନଃ, ସନ୍ତରଣ ଶିକ୍ଷାର୍ଥୀ ଯେପରି

କଚାଡ଼ଇ ହାତଗୋଡ଼ ଜଳେ ଶିକ୍ଷାବାଳେ ।

 

କୋଟରସ୍ତ ଚକ୍ଷୁ, ଦନ୍ତପନ୍ତି ବାହାରକୁ

ପଡ଼ିଛି ବାହାରି ଛାଡ଼ି ଦଶନବସନ, *

ମୁଖେ ନାସାରନ୍ଧ୍ରେ ପଶି ମକ୍ଷିକାମଣ୍ଡଳୀ

ହେଉଛନ୍ତି ଘଣ ଘଣ, ହାୟ ସେହି ରୋଗୀ

*ଓଷ୍ଠାଧର

 

ଜୀବନ୍ତେ ନରକଭୋଗ ଭୋଗେ ରୋଗେ ପଡ଼ି ।

ମେଲିଛି ବସନ୍ତ କାହିଁ ଅନନ୍ତ କ୍ଷମତା,

କାର ଦେହ ଯାଇଅଛି ଫଳି ଘଞ୍ଚେ ଅତି

ଆପାଦମସ୍ତକ, ନାହିଁ ସ୍ଥାନ ଥୋଇବାକୁ

 

ତିଳ ତହିଁ, ଅଠା ସହ ମସୁର ମିଶାଇ

ବୋଳିହେଲା ପ୍ରାୟ ଦିଶେ ସର୍ବାଙ୍ଗ ବନ୍ଧୁର;

ଅସ୍ୱାଭାବିକରୂପରେ ଫୁଲିଯାଇ ଦେହ

କିଏ ମୁଣ୍ଡ କିଏ ଗୋଡ଼ ହେଉ ନାହିଁ ବାରି ।

 

ଏହିପରି ଦୁରାରୋଗ୍ୟ ଦାରୁଣ ଆମୟେ

ହୋଇଣ ଆକ୍ରାନ୍ତ କେତେ ଶିଶୁ ବୃଦ୍ଧ ଯୁବା

ହୁଅନ୍ତି ଗତାସୁ, ତାଙ୍କ ଶବଦେହ ବହି

ଆତ୍ମୀୟେ, କୁଣପରଥେ ନିଅନ୍ତି ଶ୍ମଶାନେ

 

ଧାଡ଼ି ଧାଡ଼ି ହୋଇ, ହାୟ ! ନରଜୀବନର

ମହାଯାତ୍ରା ସେହୁ, ଯେଣୁ ସେ ଯାତ୍ରାର ଗତି

ହୁଏ ନାହିଁ ପଶ୍ଚାନ୍ମୁଖୀ କାହିଁ କେଉଁକାଳେ ।

ପୋଡ଼ା ପୋତା ଘଟେ ନାହିଁ ଭାଗ୍ୟେ ସକଳର,

 

କେତେ ଶବଦାହୀ ଜନେ, ମଡ଼ା ପରେ ମଡ଼ା

ଦେଇ ଆସୁଛନ୍ତି ନେଇ ଗଡ଼ାଇ ଶ୍ମଶାନେ,

ବିସ୍ତୀର୍ଣ୍ଣ ଶ୍ମଶାନ ଗୋଟା ଯାଇଅଛି ପୂରି

ଚଣ୍ଡ ରୁଦ ଦୃଶ୍ୟେ, ତାହା ଦେଖିଲେ ନୟନେ,

(ଅକ୍ଷମ ଯେ ତୀବ୍ର ଦୃଶ୍ୟ ଧାରଣେ ଈକ୍ଷଣ)

 

ଫାଟିଯାଇ ଚକ୍ଷୁ ନିଶ୍ଚେଁ ହେବ ରକ୍ତପାତ !

ପଡ଼ିଛି ଅସଂଖ୍ୟ ଶବ ବିକୃତ ଆକୃତି,

ପଡ଼ିଛି କି ଆହା କାଳ-କୁଠାର କୁନ୍ତନେ

ସୁବିସ୍ତୃତ ଉଦ୍ୟାନର ସର୍ବ ତରୁରାଜି

 

ଛିନ୍ନ ଭିନ୍ନ ହୋଇ, ତହିଁ ଲାଗିଅଛି ଶିବା-

ଗୃଧ୍ର, ଶ୍ୱାନ ଆଦି ସର୍ବ ମାଂସାଶୀ ଜୀବର

ମହାଭୋଜୀ, ପାଇଣ ସେ ଚିରାଭିଳଷିତ

ସୁଖ-ଖାଦ୍ୟ ଅପର୍ଯ୍ୟାପ୍ତ, ରତ ଅବିରତ

 

ଗ୍ରାସେ, ଗ୍ରାସ ପରେ ଗ୍ରାସ ପୁଣି ମହାଗ୍ରାସ

ତା ଉପରେ, ଏହିପରି ବାରମ୍ୱାର ଅତି-

ଭୋଜନରେ ପଡ଼ି ଆହା ଅଜୀର୍ଣ୍ଣ କବଳେ

ଲଭନ୍ତି ପଞ୍ଚତ୍ୱ କେତେ, କେତେ ଅବା ରତ

 

ହର୍ଷ କଳରବେ, ସେହି କରାଳ ତୁମୁଳ

କୋଳାହଳେ ମୁଖରିତ ଦିଗ ଦିଗନ୍ତର ।

ସେମାନେ ଦୁର୍ଭିକ୍ଷ ରକ୍ଷ ପ୍ରସାଦ ପ୍ରୟାସୀ,

ମିଳିଛି ତା ଯୋଗୁଁ ମହାଭୋଜୀର ସମ୍ଭାର,

 

ତେଣୁ କରନ୍ତି କି ସେହୁ କୋଳାହଳ ଛଳେ

କୃତଜ୍ଞତାବ୍ୟଞ୍ଜୀ ତାର ଜୟ ଜୟକାର ।

ଅହୋ ! କି ଭୀଷଣ ଚିତ୍ର ଆଙ୍କିଛି ଶ୍ମଶାନ

ନିଜ ଦେହେ, ଅସ୍ଥିମାଳେ ଭସ୍ମଜାଳେ ହୋଇ

 

ବିମଣ୍ଡିତ, ଧରିଛି ସେ ଶିବଙ୍କର ଭୂତି ।

ଗଡ଼ିଅଛି ଗଣ୍ଡା ଗଣ୍ଡା ନରମୁଣ୍ଡ ତହିଁ,

ବିଜନ ଭୀଷଣ ସ୍ଥଳୀ, ହୋଇ ମୂର୍ତ୍ତିମତୀ

ନାନା ବିଭୀଷିକା ତହିଁ, ରତ କି ସରବେ

 

ବିକଟ ତାଣ୍ଡବ ନୃତ୍ୟେ ? ଆଗ୍ନେୟ ମନ୍ଦିର-

ପ୍ରାୟ ତାହାଙ୍କର, ଜଳେ କେତେ ଚିତାଗଦା

ସ୍ଥାନେ ସ୍ଥାନେ, ଲହଲହି ଜିହ୍ୱା; କାହିଁ ଅବା

ଶିବାଗଣ ହର୍ଷେ ଫାଡ଼ି ଶବର ଉଦର

 

ଓଟାରି ଆଣନ୍ତି ଖରେ ଅନ୍ତ ସହ ନାଡ଼ ।

କାହିଁ ବା ନରକପାଳେ ରକ୍ତ, ବସା, ମେଦ

ଘୋଳିଯାଇ ରହିଅଛି, ଶ୍ମଶାନ-କାଳୀର

ଭୋଗଯୋଗ୍ୟ ସୂର୍ଯ୍ୟପାଗି ସୁରା ଅବା ସେହୁ !

 

କାହିଁ ବା ଶବ ଉପରେ ଗୃଧ୍ର ପକ୍ଷୀ ବସି,

ଡ଼େଣା ଝାଡ଼ି ଝାଡ଼ି, ବଜ୍ରସମ ଥଣ୍ଟେ ତାର

ଟାଣିଆଣି ଖଣ୍ଡେ ଖଣ୍ଡେ ଖାଉଛି କଲିଜା,

ହାତଗୋଡ଼ ଖଞ୍ଜା ଟାଣି ଗିଳେ ହାଡ଼ଗିଳା,

 

ପଡ଼ିଅଛି କେତେ ସ୍ଥାନେ ଗୋଟା ଗୋଟା ହୋଇ

ଶୁଷ୍କ ଶବ, ଶୁଖିଯାଇ ମାଂସଚର୍ମ ସବୁ

ଦିଶେ ଭୟଙ୍କର, ସେହୁ ଦେଶଦ୍ରୋହୀ ପାପୀ,

ତେଣୁ ନ ଛୁଅନ୍ତି ତାକୁ କୁଆ କି କୁକ୍କୁର !

 

ବିଜେ କରିଛନ୍ତି କାହିଁ ଚାମୁଣ୍ଡା ଭୈରବୀ,

ହସ୍ତରେ ପ୍ରଚଣ୍ଡ ଖଣ୍ଡା; ନରମୁଣ୍ଡମାଳ

ଲମ୍ୱିଅଛି ବକ୍ଷସ୍ଥଳେ, ଚିତ୍ରାଙ୍ଗ ଶାର୍ଦ୍ଦୂଳ-

ଚର୍ମ ହୋଇ ପରିହିତା ଉପବିଷ୍ଟା ଦେବୀ

 

ନରାସ୍ଥି ନରକଙ୍କାଳ ସ୍ତୁପ-ସିଂହାସନେ;

ସଙ୍ଗରେ କିଙ୍କରୀଦଳ ଉଲଗ୍ନ ମୂରତି,

କଜ୍ଜଳ-କୃଷ୍ଣାଙ୍ଗୀ ସର୍ବେ ମୁକୁଳିତ କେଶେ

ଢାଙ୍କିହୋଇ ଦିଶୁଛନ୍ତି ଭଲ୍ଲୂକୀ ପରାୟେ ।

 

ଭାଲପଟେ ସୁବିଶାଳ ସିନ୍ଦୂର ମୁଣ୍ଡଳା

ଜ୍ୱଳନ୍ତ ଅନଳ ପ୍ରାୟ ଦିଶେ ଦାଉଦାଉ;

ନର ରକ୍ତ ମାଂସ ଗନ୍ଧେ ଉନ୍ନତ୍ତା ସରବେ,

ନାଚୁଛନ୍ତି ଘନଘନ କରତାଳି ମାରି,

 

କେବେ ବା ହୃତ୍କମ୍ପୀ ଉଚ୍ଚ ହୁଳାହୁଳି ନାଦେ;

ନାଚୁ ନାଚୁ କେହି ନରକପାଳ-ପାତ୍ରରେ

ପାନ କରେ ମୂହୁର୍ମୂହୁଃ ରୁଧିର-ପ୍ରପାନ;

ଚୋବାଏ ନିଷ୍ଠୁରେ କେହି ନରହସ୍ତ, ପଦ,

 

ଯଥା ଈକ୍ଷୁଦଣ୍ଡ, ପଡ଼େ ରକ୍ତ ବହି ମୁଖୁଁ;

ଦିଶେ ସେ ବୀଭତ୍ସ ମୁଖ ହାସ୍ୟରେ ଭୀଷଣ ।

କେହି ବା ଚୋବାଏ ମୁଣ୍ଡେ ମଣ୍ଡାପିଠା ପରି,

କାହିଁ ଅବା ଭୟଙ୍କରୀ କିଙ୍କରୀମଣ୍ଡଳୀ

 

ନୃମୁଣ୍ଡ-କୁଣ୍ଡଳା ଭୀମା ଦୂରନ୍ତା ଦୁର୍ମୁଖା,

ଘେନି ନରମୁଣ୍ଡ କରେ ସଦ୍ୟ ଛିନ୍ନ, ରତ

କନ୍ଦୁକ କ୍ରୀଡ଼ାରେ, ତହୁଁ ଶୋଣିତର ଛିଟା,

ପଡ଼ୁ ପଡ଼ୁ ତଳେ ତାକୁ ଦେଉଛନ୍ତି ଲେହି

 

ବିସ୍ତାରି ଆରକ୍ତ ଲୋଳ କରାଳ ରସନା !

କାହିଁ ବା ପଡ଼ିଣ ଶବ ଯାଉଅଛି ପଚି,

ଫୁଟାଇ ଚର୍ମକୁ ତାର ଲାଙ୍ଗୁଳିଆ କୀଟେ

ହେଉଛନ୍ତି ହଳ ହଳ ତହିଁ, ବର୍ଷକାଳେ

 

ଫୁଟାଇଣ ରସା-ପୃଷ୍ଠ ଯଥା ମହୀଲତା ।

ହାୟ ! ଯେ ଶରୀର ଥିଲା ଶୋଭାର ଆଧାର,

ଯତ୍ନର ରତ୍ନ, ତାର କି ପରିଣାମ ଏବେ !

କଣ୍ଟକ ଆଘାତେ ଯେହୁ ମଣୁଥିଲା କ୍ଳେଶ,

 

କୃମିକୀଟ ଭକ୍ଷ୍ୟ ହାୟ ଶେଷେ ସେ ଶରୀର !

ଶ୍ମଶାନ ସାମ୍ୟ ଭୂଖଣ୍ଡ, ନାହିଁ ନାହିଁ ରାଜା,

ପ୍ରଜା, ଧନୀ, ଦୀନ, ମୂର୍ଖ, ପଣ୍ଡିତର ଭେଦ

କିଛି, ତହିଁ ସକଳର ଅନ୍ତିମ ଆସନ,

 

ସେହି ଏକା ଭସ୍ମେ, ସେହୁ ସର୍ବଗ୍ରାସୀ ସ୍ଥଳୀ;

ମାନବର ସତ୍ତା ତହିଁ ଭଜଇ ବିଲୟ ।

ନିରେଖି ଏସନ ଦୃଶ୍ୟ ବିକଟ କରୁଣ

ପୁଣି ବୀଭତ୍ସ ଅଦ୍ଭୁତ ଆଲୋଡ଼ିଲା ହୃଦ-

 

ମୋର ଶୋକେ ଭୟେ କ୍ଷୋଭେ, ତହୁଁ କର ଯୋଡ଼ି

କହିଲି କାତର ସ୍ୱରେ ଦେବୀଙ୍କୁ ଏସନ,-

‘‘ମାତଃ ! କେତେ ମୁଁ ଦେଖିବି ନରଦେହ ବହି

ଏ ଦୃଶ୍ୟ ଆଉ ? ଅସହ୍ୟ ଜୀବିତ ଜନର

 

ତାହା, ଦେଖି ଦେଖି ସିନା ହେବି ଖାଲି ଦହି

ଦୁର୍ବାର ଯାତନାନଳେ; କି ଫଳ ତହିଁରେ ?

ଚାଲ ଏବେ ଅନ୍ୟ ଦିଗେ’’ । ତଥାସ୍ତୁ ଉଚ୍ଚାରି

ଚାଲିଲେ ଅଗ୍ରତେ ଦେବୀ ଅନ୍ୟ ଦିଗମୁଖେ,

 

ତହୁଁ ଏକତାରେ ପଛେ ଗୋଡ଼ାଇଲା ପ୍ରାୟ

ବିକ୍ରମ, ଗମିଲି ମୁହିଁ ଦେବୀଙ୍କ ପଶ୍ଚାତେ ।

 

ଚତୁର୍ଥ ସର୍ଗ

 

ଯାଉଁ ଯାଉଁ ଏକସ୍ଥାନେ ଦେଖିଣ ଗୋଟିଏ

ବଟତରୁ, ଶତଶାଖ, ଦେବୀ ବସିଗଲେ

ତହିଁ, ବସିବାକୁ ମୋଇତ ଦେଇ ଅନୁମତି ।

ମରକତ ଛତ୍ର ପ୍ରାୟ ସେହି ମହାତରୁ

 

ସୁନ୍ଦର, ବିଶାଳ, ଉଭା ବହୁଦୂର ବ୍ୟାପି,

ବିଲମ୍ୱିଛି ଅବରୋହ ଆପାଦମସ୍ତକ,

ଆହା ! କିବା ଊର୍ଦ୍ଧ୍ୱବାହୁ ଜଟିଳ ତାଫସ

ହୋଇଛନ୍ତି ଧ୍ୟାନେ ମଗ୍ନ, ମୋକ୍ଷଲାଭ ଆଶେ ?

 

ସେ ତରୁକୁ ଆଉଜିଣ ନାରୀମୂର୍ତ୍ତି ଏକ

(ଦୁର୍ଦ୍ଦିନ ନଳିନ ପ୍ରାୟ ମଳିନବଦନା)

ଉପବିଷ୍ଟା, ଚାରୁଦେହା ମଳିନବସନା,

ବଙ୍କିମ ଠାଣିରେ ଭାଙ୍ଗି ଗ୍ରୀବା, ଅଛନ୍ତି ସେ

ନିବେଶିଣ ଅଶ୍ରୁସିକ୍ତ-ଗଣ୍ଡଦେଶେ କର,

 

ଆହା, ଶିଶିରାମ୍ୱୁସିକ୍ତ ସରୋଜିନୀଟିଏ

ପଡ଼ିଛି କି ଆନ ପଦ୍ମ ପାଖୁଡ଼ାରେ ଢଳି ?

ବିଲୁକିତ କେଶବ୍ୟାଜେ ସେ ପୁଷ୍ପକୁ କିବା

ବେଢ଼ିଛନ୍ତି ଚଉପାଶୁଁ ଭ୍ରମରନିକର ।

 

କି ଅଜ୍ଞାତ ଗୁରୁ ଶୋକେ ହୋଇଛି ତାଙ୍କର

ନେତ୍ର ଅପଲକ, ଅଙ୍ଗ, ପ୍ରତ୍ୟଙ୍ଗ ଅବଶ,

ଦିଶୁଛନ୍ତି ସେହୁ ଯଥା କରୁଣ ରସର

ଜୀବନ୍ତ ପ୍ରତିମା । ସ୍ଫୁରୁ ନାହିଁ ବାକ୍ୟ ମୁଖୁଁ,

 

କେବଳ ସେ ଛାଡ଼ଛନ୍ତି ଦଣ୍ଡକେ ଘଡ଼ିକେ

ନୈରାଶ୍ୟ-ସୁଚକ ଦୀର୍ଘ ତପ୍ତ ଖରଶ୍ୱାସ ।

ଆକଣ୍ଠ ଶୋକଗ୍ରସ୍ତା ସେ ନାରୀଶିରୋମଣି,

ନୁହନ୍ତି ଚିହ୍ନିତା ମୋର; ତଥାପି କେଜାଣି

 

କାହିଁକି ଦେିଲାକ୍ଷଣି ହୃଦୁଁ ଭକ୍ତି ମୋର

ହେଲା ପ୍ରଧାବିତ ତାଙ୍କ ପ୍ରତି, ତାଙ୍କ ଶୋକ

(ହେଲେ ହେଁ ଅଜ୍ଞାତ ମୋର) ଦେଲା ହୃଦେ ପ୍ରାଣେ

ମହାବ୍ୟଥା, ସ୍ପର୍ଶି ମୋତେ ବିଦ୍ୟୁତ ବେଗରେ ।

 

ନ ଜାଣିଣ ତଥ୍ୟ କିଛି ଏହି ପ୍ରସଙ୍ଗର,

ଦୋଳି ହେଲା ହୃଦ ମୋର ସଂଶୟ-ଦୋଳାରେ

ସଘନେ, ଜିଜ୍ଞାସା ହେଲା ଅତୀବ ପ୍ରବଳ,

କମଳମୁଖୀ ଉତ୍କଳ-କମଳାଙ୍କୁ ତହୁଁ

 

ପଚାରିଲି ଯୁକ୍ତକରେ ବିନୀତ ବଚନେ-

‘‘ଦେବି ? ଦେବୀ କି ମାନବୀ ଉପବିଷ୍ଟାଧନୀ

କାହିଁକି ବା ଧରିଛନ୍ତି ଅନାଥିନୀ ବେଶ ?

କୌଣସି ସମ୍ପର୍କ ମୋର ନାହିଁ ତାଙ୍କ ସହ,

 

ତେବେ କିପାଁ ତାଙ୍କ ଶୋକ ତୀବ୍ର ପ୍ରତିଘାତେ

କମ୍ପୁଅଛି ଅନ୍ତରର ଅନ୍ତସ୍ତଳ ମୋର ?

ବଖାଣନ୍ତୁ କୃପା ବହି ଏଥିର କାରଣ ।’’

ଉତ୍ତରିଲେ ଦେବୀ, ‘‘ଏହି ଅନିନ୍ଦ୍ୟା ସୁନ୍ଦରୀ

 

ତୋର ମହା ମହୀୟସୀ ଉତ୍କଳ-ଜନନୀ,

ପାଦପ ସଙ୍ଗେ ସମ୍ପର୍କ ଫଳରେ ଯେପରି

ସେହିପରି ତୋ ସମ୍ପର୍କ ଫଳର ଯେପରି

ସେହିପରି ତୋ ସମ୍ପର୍କ ଦେବୀଙ୍କ ସଙ୍ଗତେ,

 

ତାଙ୍କରି ପରମାଣୁରେ ଗଠିତ ତୋ ଦେହ

ଯେଣୁ, ତେଣୁ ତାଙ୍କ ଶୋକଚ୍ଛାୟା, ପ୍ରତିଫଳେ

ତୋ ହୃଦ-ମୁକୁରେ । ବତ୍ସ ! ମୋର ପ୍ରତିକୃତି

ଅଟନ୍ତି ଏ ଦେବୀ, ତେଣୁ ନାହିଁ ଭେଦେଭେଦ

 

ତାଙ୍କର ମୋହର କିଛି, ଜୀବାତ୍ମା ସେ ଦେବୀ,

ପରମାତ୍ମା ବୋଲି ମୋତେ ଘେନ ତୁ ତାଙ୍କର,

ଭୁଞ୍ଜିବ ଜୀବାତ୍ମା ଦୁଃଖ ଏ ମର ଶରୀରେ

କିନ୍ତୁ ନୁହେଁ ତହିଁପାଇଁ ପରମାତ୍ମା ଦାୟୀ,

 

ଖରା ବର୍ଷା ଖାଏ ସିନା କୁଲାୟ କେବଳ;

କିନ୍ତୁ ବାୟା ବିହଙ୍ଗର କି ଯାଏ ତହିଁରେ ?

ଏହି ହେତୁ ଏକା ଦେବୀ ଭୁଞ୍ଜୁଛନ୍ତି କ୍ଳେଶ,

ନିର୍ଲିପ୍ତା ହେତୁ ମୁଁ ଭବଜଞ୍ଜାଳରହିତା ।

 

ଦେବୀଙ୍କ ଏ ଉପସ୍ଥିତ ଦୁର୍ଦ୍ଦଶା ନିଦାନ

ଅଟେ କେତେ ଦୁଷ୍ଟ ଦୁଷ୍ଟା, ସେମାନେ ସତତ

ଘେରିର ଚୌପାଶୁ ତାଙ୍କୁ କରନ୍ତି ଧର୍ଷଣ,

ଜାନକୀଙ୍କି ଯଥା (ପ୍ରତି-ବିରହ ବିଧୁରା ଶୋକକ୍ଷୀଣା ଦେହା)

 

ଘେରି ଦୁର୍ମୁଖା ଚେଟିଏ

ଧର୍ଷିଲେ ପୂର୍ବେ ଲଙ୍କାର ଅଶୋକ କାନନେ ।

ସେ ଦୁଷ୍ଟ ଦୁଷ୍ଟାଏ ଏବେ ଆସି ଏକେ ଏକେ

ଆଚରିବେ ନିଜ ନିଜ କ୍ରୁର ଅଭିନୟ,

 

ମୁହୂର୍ତ୍ତେ ଅପେକ୍ଷା କର ଦେଖିବୁ ସକଳ ।

ରୋଧୁଛି ମୁଁ ମାୟାବଳେ ଚକ୍ଷୁକର୍ଣ୍ଣ ପଥ

ଅନ୍ୟର ଏ ସ୍ଥଳେ; ସେହି ମାୟାପ୍ରଭାବରେ

ଦେଖିବୁ ତୁ ସକଳର ସର୍ବକାର୍ଯ୍ୟ, ପୁଣି

 

ଶୁଣିବୁ ସକଳ କଥା; କିନ୍ତୁ ତୋର ରୂପ

ହେବ ନାହିଁ ଅନ୍ୟେ ଦୃଷ୍ଟ, ବଚନ ତୋହର

ମୋ ଭିନ୍ନ ନୋହିବ କାର ଶ୍ରବଣ-ଅତିଥି ।’’

ନୀରବନ୍ତେ ଏହା ଭାଷି ଇନ୍ଦିରା ସୁନ୍ଦରୀ,

 

ରହିଲି ମୁଁ ଭାବି ଦୃଶ୍ୟ ଦର୍ଶନ ଆଶୟେ

ସମୁତ୍ସୁକେ, ସମୁତ୍ସକେ ଯଥା ବସିଥାଏ

ଯାତ୍ରାସଭା ମଧ୍ୟେ ଯାତ୍ରା ପୂର୍ବରୁ ଦର୍ଶକ ।

କେତେ କ୍ଷଣ ପରେ ଦୂରେ ଶୁଭିଲା ଚୌଦିଗେ

 

ନାନାବାଦ୍ୟ କୋଳାହଳ, ଗହଳ ପୃଥୁଳ,

ବାଜିଲା ମୃଦଙ୍ଗ ସହ ଝାଞ୍ଜ କରତାଳ

ମନ୍ଦିରା, ମହୁରୀ, ବୀଣା, ବେଣୁ, ଘଣ୍ଟା ଘଡ଼ି

ଶଙ୍ଖ, ଶିଙ୍ଗା, ତୁରୀ, ଭେରୀ, ବେହେଲା, ସେତାରା,

 

ମର୍ଦ୍ଦଳାଦି ଐକ୍ୟ ତାନେ ସିନ୍ଧୁନାଦ ପ୍ରାୟ

ଶୁଭିଲା ଚହଳ ଘୋର, କମ୍ପିଲା ଶରୀର ।

ସେହି ଭୀମ ବାଦ୍ୟ ରୋଳେ ଭାଙ୍ଗିଯାନ୍ତେ ଖରେ

ଉତ୍କଳ ମାତାଙ୍କ ମୂର୍ଚ୍ଛା, ବସିଲେ ସଳଖି

 

ଆଉଜି ପାଦପେ ଦେବୀ, ନିବର୍ତ୍ତିଲା ତହୁଁ

ବାଦ୍ୟରୋଳ ଅକସ୍ମାତ, ନିବର୍ତ୍ତଇ ଯଥା

ବଜ୍ରଧ୍ୱନି-ଦକ୍ଷିଣାଶେ ଅଗସ୍ତ୍ୟ ଉଦୟେ ।

ସଂଜ୍ଞା ଲଭି ମହାଦେବୀ ଉତ୍କଳ-ଜନନୀ

 

ବିଳପିଲେ ଏହିରୂପେ ଛାଡ଼ି ଦୀର୍ଘଶ୍ୱାସ,-

‘‘କେତେ ମୁଁ ସହିବି କଷ୍ଟ ଆଉ ଦଗ୍‌ଧ ପ୍ରାଣେ,

କେତେ ମୁଁ ସହିବି ହାୟ ତୀବ୍ର ଆକ୍ରମଣ

ଏହି ଦୁଷ୍ଟ ଦୁଷ୍ଟାଙ୍କତ୍ତ ? ସର୍ବେ ମହାମୁଦେ

 

ମହାଗର୍ବେ ଆସୁଛନ୍ତି ବଜାଇ ବାଜଣା

ପୋତିବାକୁ ହୃଦେ ମୋର ବିଜୟ ନିଶାଣ ।

ରିପୁର ଏ ଗର୍ବ ଖର୍ବ କରିବାକୁ କେହି

ନାହିଁ କି ମୋ ପୁତ୍ର ମଧ୍ୟେ ଜଣେ ହେଁ ସକ୍ଷମ !

 

ହା ପୁତ୍ରେ ! ସକଳେ ତୁମ୍ଭେ ଥାଉଁ ଥାଉଁ ପ୍ରାଣେ

ଭୁଞ୍ଜୁଥିବି କେତେ କାଳ ଏ ଯନ୍ତ୍ରଣା ମୁହିଁ

ଆଣ୍ଠୁ କୁଡ଼ୀ ପ୍ରାୟ, ତିଳେ କି ରେ ନୁହେଁ ଦୁଃଖୀ

ମାତୃଦୁଃଖେ ? କି କହିବି ମନ୍ଦ ମୋ କପାଳ !’’

 

ଏମନ୍ତ ସମୟେ ଏକ ବିକଟ ପୁରୁଷ

ଦୀର୍ଘନଖ, ଉପଗତ ତହିଁ ଆଚମ୍ୱିତେ,

ତାର ଦନ୍ତଶ୍ରେଣୀ, କେଶ, ହସ୍ତପଦାଙ୍ଗୁଳି

ପରସ୍ପର ଅସଂଲଗ୍ନ, ଯାକିଣ କାଖରେ

 

ଦୁଷ୍ଟ ତୃଣବିଡ଼ାଟାଏ, ଦୃଢ଼ ତୀକ୍ଷ୍‌ଣ ନଖେ

ଛିଡ଼ାଉଛି ତାକୁ ସଦା ଟିକି ଟିକି କରି,

ମସ୍ତକେ ରକ୍ତ ଉଷ୍ଣୀଷ, ଆଭାସଇ ଯଥା

ଧ୍ରୁବ କିଂଶୁକ ମସ୍ତକେ କୁସୁମ ସ୍ତବକ ।

 

ଲେଖା ତହିଁ ଅତ୍ୟୁଜ୍ଜ୍ୱଳ ଆଗ୍ନେୟ ଅକ୍ଷରେ-

‘‘ଅନୈକ୍ୟ’’ ବୋଲିଣ; ତାର ଆକାରୁଁ ଆଭାସେ

ମହାଦୁଷ୍ଟମତି ଦୁଷ୍ଟ, ଗରଜି ଗମ୍ଭୀରେ

ଦେବୀଙ୍କୁ ନିରେଖି ସେହୁ ବୋଇଲା ଏସନ-

 

ଲୋ ଉତ୍କଳ ! କି କହିଲୁ କହ ଆଉ ଥରେ,

ଡ଼ାକୁଛି ପୁତ୍ରଙ୍କୁ ପରା ସାହା ହେବାପାଇଁ ?

କିପାଁ ପୋଷୁ କାଙ୍ଗାଲୁଣି, ଏ ଦୁରାଶା ମନେ ?

ଦେଖ ଯାଇ ପୁତ୍ରେ ତୋର ସୁଖେ ଛନ୍ତି ଶୋଇ,

 

ଘୋର ଅଦଃପତନର ଗଭୀର ଗହ୍ୱରେ ।

ଥିଲା ତୋ ସୁଦିନ ଯେବେ ଆ ଲୋ ଗରବିଣି !

ପ୍ରକାଶି ମୋ ପ୍ରତି ପରା ବିଜାତୀୟ ଘୃଣା

ଦେଉ ନ ଥିଲୁ ଟିକିଏ ପାଖରେ ପୂରାଇ ?

 

ପୁତ୍ରବଳେ ବଳୀୟାର ଥିଲୁ ତୁ ସେକାଳେ;

କାହାନ୍ତି ସେ ପୁତ୍ରେ ତୋର, କାହିଁ ସେ ଗରବ,

ସେ ସୁଖ-ରଜନୀ ତୋର ବେଗେ ଯାନ୍ତେ ପାହି

ପଡ଼ିଲୁ ହାବୁଡ଼େ ମୋର, ନାହିଁ ଆଉ ଚାରା,

 

ହେବୁ ଚିରକାଳ ମୋର ପଦ-ବିଦଳିତା,

ଉତ୍‌ଫଣା ଫଣିନୀ ଯଥା ଫଣିଭୁବ ପଦେ ।

ଅନୈକ୍ୟ ଏସନ କଳ୍ପି ହୁଅନ୍ତେ ନୀରବ

ଆସିଲା ଅପର ଏକ ସ୍ଥୂଳକାୟ ରିପୁ,

 

ପକାଏ ପହଣ୍ଡ ସେହୁ ଦଣ୍ଡକେ ଘଡ଼ିକେ,

ମଠଗତି ଦେଖି ତାର ହୁଏ ଅନୁମିତ

ଘଡ଼ିକ ବାଟକୁ ସେହୁ ଚାଲିବ ଦିନକେ ।

ଘନ ଘନ ଅଙ୍ଗ ମୋଡ଼ି ମାରି ଦୀର୍ଘ ହାଇ

 

ଢୁଳାଇ ପଡ଼ୁଛି ଦୁଷ୍ଟ ଚାଲୁ ଚାଲୁ ପଥେ;

ଅଯତ୍ନରୁ ମସ୍ତକସ୍ଥ କେଶରାଶି ତାର

ଯାଇଅଛି ଜଟା ବାନ୍ଧି, ଅତି କଷ୍ଟେ ତହିଁ

ଗଳାଇଣ ଦୀର୍ଘନଖ କୁଣ୍ଡାଇବା ବେଳେ,

 

ପଡ଼ନ୍ତି ଉକୁଣୀ ଝଡ଼ି ପଣ ପଣ ହୋଇ !

ଦୋହଲେ ବକ୍ଷରେ ଲୌହନିର୍ମିତ ପଦକ

ଅତି ବିଶ୍ରୀ କଳଙ୍କିତ ଖୋଦିତ ତହିଁରେ

ଅସ୍ପଷ୍ଟ ଅକ୍ଷରରତ୍ନ ‘‘ଆଳସ୍ୟ’’ ବୋଲିଣ ।

 

ଉପସ୍ଥିତ ହୋଇ ଦୁଷ୍ଟ ଦେଖିଣ ସେଠାରେ

ଅନୈକ୍ୟେ, ପ୍ରହରେ ଯାଏ ହସିଲା ଆହ୍ଲାଦେ,

ଦୁର୍ଜନ-ସଙ୍ଗଳାଳସୀ ସତତ ଦୁର୍ଜନ;

ଦୈବେ ଯଦି ଭେଟେ ସେହୁ ସମଧର୍ଜିଜନେ

 

ଅପୂର୍ବ ଆନନ୍ଦ ତେବେ କରେ ଉପଭୋଗ;

ଅମାଦୃଷ୍ଟେ ଚୌର ଯଥା, ତିମିର-ପ୍ରଣୟୀ ।

ଅନନ୍ତର ଯାଇ ଦୁଷ୍ଟ ଅନୈକ ସମୀପେ,

ମହାପ୍ରେମଭରେ ତାକୁ ଆଲିଙ୍ଗି ଆଦରେ

 

(ପାଦପେ ବଲ୍ଲରୀ ପ୍ରାୟ) ବୋଇଲା ସମ୍ବୋଧି

‘‘ସଖେ ! ସୌଭାଗ୍ୟ ସୁଦିନ ଆଜି, ହେବ ବହୁ

ବନ୍ଧୁ ସମ୍ମିଳନ ଆନ ମିତ୍ରେ ପଶ୍ଚାତେ ସଭିଏଁ,

ସକଳେ ମିଳିଣ ଆଜି ଏହି ଉତ୍କଳୀକି

 

ଧରଷି ଚୌପାଶୁଁ ନେବା ପୂର୍ବ ପ୍ରତିଶୋଧ ।

ନୋହଛନ୍ତି ଉପସ୍ଥିତ ଯାବତ ବନ୍ଧୁଏ,

ଜାବତ କରିବା ଆସ ଅନ୍ୟ ବାକ୍ୟାଳାପ ।

ଏ କାଳେ ଶୁଭିଲା ପୁଣି ହାଟଶବ୍ଦ ପ୍ରାୟ

 

ଘୋର ଘୋ ଘୋ ରବ ଦୂରେ ଦେଖିଲି ନିରେଖି

ଆସୁଛି ପୁରୁଷ ଚଢ଼ି ଦିବ୍ୟ ଚତୁଦ୍ଦୋଳେ;

(ନାନାବର୍ଣ୍ଣ ନାନା ଜାତି ରତନେ ଖଚିତ)

ପ୍ରତିଫଳ ସେ ରତନେ ବରମାଳିକର

 

ବିକାଶେ ବିବିଧ ବିଭା ଇନ୍ଦ୍ରଧନୁନିଭ,

ମଣି-ରତ୍ନ-ବିମଣ୍ଡିତ ବସନ-ଭୂଷଣେ

ଆବୃତ ଆରୋହି ଦେହ-ଅଳଙ୍କାର ଭାରେ

ଭାରାକ୍ରାନ୍ତ ସଦା ସେହୁ, ତଥାପି ସେବକେ

 

ଖଞ୍ଜୁଛନ୍ତି ସର୍ବାଙ୍ଗରେ ନାନା ଆଭରଣ-

ବେଢ଼ିଛନ୍ତି ଆରୋହୀରେ ଚୌପାଶେ କିଙ୍କରେ,

କେହି ଧରିଛନ୍ତି ଟେକି ପିନ୍ଧାକୁଞ୍ଚ, କେହି

ବକ୍ଷଲମ୍ବୀ ରତ୍ନ-ପୁଷ୍ପାହାର, କେହି ଅବା

 

ଧରିଅଛି ଟେକି କାନ୍ଧ ଉତ୍ତରୀୟାଞ୍ଚଳ ।

ସିଞ୍ଚଇ ଅତର କେହୁ, ବିଞ୍ଚେ କେ ଚାମରେ,

ସ୍ତାବକେ ଛାମୁରେ ଉଭା, ରତ ସ୍ତୁତିପାଠେ ।

ଅଗ୍ରେ ଅଗ୍ରେ ଚାଲିଛନ୍ତି ବାରାଙ୍ଗନାଦଳ

 

ମତ୍ତ ତୈର୍ଯ୍ୟତ୍ରିକେ ସର୍ବେ, ବିବିଧ ଭଙ୍ଗୀରେ,

କାହିଁବା ଗୁଟୁପ ନାଚ ଲାଗିଛି ଆଟୋପେ ।

କୁଟିଳେ ଖେଳାଇ ପୁଚ୍ଛ ଉଡ଼ଇ ପତାକା

ଫର ଫରେ ଅଗଣିତ, ଚିତ୍ର- ଚେଳଖଚୀ,

 

‘‘ଜୟ ବିଳାସର ଜୟ’’ ଲିଖିତ ତହିଁରେ ।

ପଶ୍ଚାତେ ଉଭୟ ପାର୍ଶ୍ୱେ ଭକ୍ତ ସଙ୍ଗିଦଳ

ଚାଲିଛନ୍ତି ନାନା ଯାନବାହନେ ଆରୋହି,

କେହି ଅବା ପଦବ୍ରଜେ, ଉଚ୍ଚାରି ଉଚ୍ଚରେ

 

‘‘ଜୟ ବିଳାସର ଜୟ’’ ପୃଥୁଳି ନିନାଦେ;

ଅନୁଯାତ୍ରୀ ଚାଲିଛନ୍ତି କହି ନାନା କଥା ।

କେହି କହେ ଜଳି ନାହିଁ ଘରେ ଚୁଲି ମୋର

ସପ୍ତ ଦିବାନିଶି, ବାଲି ଡ଼ାକିଲା ଡ଼ାକୁଆ,-

 

‘‘ବିଜେ ହେବେ ନୃପମଣି ଉତ୍କଳ ବିଜୟେ,

ସଜ ହୋଇ ସର୍ବେ ବେଳ ଛଅ ଘଡ଼ିଠାରେ

ରାଜସିଂହଦ୍ୱାରେ ଯାଇ ହେବ ଉପସ୍ଥିତ ।’’

ଶୁଣି ଏ ଘୋଷଣାବାଣୀ ପଡ଼ିଲା ଭାଳୁଣି,

 

ନାହିଁ ମୋର ଉପାନହ, ଯିବି ମୁଁ କିପରି

ନଗ୍ନପଦେ କାଲି ଭଲା ନୃପତି ଗହଣେ ?

ସୌଭାଗ୍ୟବଶରୁ କିନ୍ତୁ ବିଦେଶସ୍ଥ ଭାଇ

ପଠାଇଲା ଦଶ ଟଙ୍କା ହୁଣ୍ଡିଆ ହାତରେ,

 

ସେତକ ଦେଇଣ ପୁଣି କାଳି ରଖି କିଛି

ତକ୍ଷଣେ କିଣିଲି ଏହି ପାଦୁକାଯୁଗଳ ।

କେହି କହେ ଥିଲା ନାହିଁ ଘୋଟକ ମୋହର,

ବଡ଼ କଷ୍ଟ ହେଉଥିଲା ଚାଲିବାକୁ ବାଟ,

 

ପରିଶୋଧ ଅଭିପ୍ରାୟେ ଉତ୍ତମର୍ଣ୍ଣ ୠଣ

ଜମି ବିକି ରଖିଥିଲି ମୁଦ୍ରା ଦୁଇ ଶତ,

ଏକାଳେ ନୃପ-ନବରୁ ଆସିଲା ହକରା

ଅତି ତ୍ୱରା ସଜ ହୋଇ ଯିବାକୁ ବାହାରି,

 

ଦେଇଣ ଅଗତ୍ୟା ତହୁଁ ସେହି ମୁଦ୍ରାତକ

ଦିନକପାଇଁ ଏ ଘୋଡ଼ା ଆଣିଲି ଭଡ଼ାରେ ।

ଏହିରୂପେ ନାନାମତେ କହି କହି କଥା

ମିଳିଲେ ଆସି ଉତ୍କଳ-ଜନନୀ ସମୀପେ,

 

ଦେଖି ତହୁଁ ପୂର୍ବାଗତ ବନ୍ଧୁଦ୍ୱୟେ, ହେଲେ

ଅତୀବ ଉସତ, ଯଥା ନିଧି ପାଇ ଦୀନ ।

ପୁଚ୍ଛାପୁଚ୍ଛି ହୋଇ ସର୍ବେ ସ୍ୱାଗତ ସମ୍ବାଦ,

ବସିଲେ ଅପର ବନ୍ଧୁ ପ୍ରତୀକ୍ଷାରେ ତହିଁ ।

 

ଏଥୁଅନ୍ତେ ପ୍ରବେଶିଲା କୁରୂପା ରମଣୀ -

ଏକ, ଦନ୍ତୁରା ଭୀଷଣା, ସ୍ୱୟଂ ବିଭୀଷିକା

ଉପସ୍ଥିତ ହେଲା ଅବା ମୂର୍ତ୍ତି ପରିଗ୍ରହ;

ପରିଧାନ ଜୀର୍ଣ୍ଣକନ୍ଥା ଅତୀବ ମଳିନ,

 

ଶତ ଗ୍ରନ୍ଥିଯୁକ୍ତ, ତୈଳ ବିନା ତନୁ ତାର

ଦିଶଇ ପାଣ୍ଡୁର ବର୍ଣ୍ଣ ଶରଭଦ୍ର ଯଥା;

ବିମଣ୍ଡିତ ଦକ୍ଷକର ଅୟସ୍କଙ୍କଣରେ,

କିନ୍ତୁ ଦକ୍ଷେତର ହସ୍ତ ବର୍ଜିତ ଭୂଷଣ ।

 

ଅତୀବ ଦୁର୍ବଳା ସେହୁ, ଯଷ୍ଟି ଭରାଦେଇ

ଚାଲୁ ଚାଲୁ ମୁହୂର୍ମୁହୁଃ ବସୁଅଛି ପଥେ ।

ସଙ୍ଗେ ଉପାସିକାଦଳ କଙ୍କାଳାସ୍ଥିସାର,

ଚାଲିଛନ୍ତି ଅଗଣିତ, ଦିଶନ୍ତି ସକଳେ

 

କୁଶ୍ରୀ ବିଭୀଷଣା ଯଥା ଦୁର୍ଭିକ୍ଷା-ପୀଡ଼ିତା ।

କାହାର ସମ୍ବଳ କୁଣ୍ଡା ବାହାର ବା ଖୁଦ;

ପୂରାଇ ଅଣ୍ଟିରେ ତାହା ଚାଲୁଁ ଚାଲୁଁ କେହୁ

ଦେଉଅଛି ମୁଠା ମୁଠା ତୁଣ୍ଡକୁ ନିପେକ୍ଷି;

 

ଆରମ୍ଭିଛି କେହୁ ଗଳ୍ପ, ହସୁଅଛି କେହୁ,

କେହି କା ଚାଲିଛି କହି ସୁଖଦୁଃଖ କଥା;

କେହି କହେ ଆଗୁଁ ବିକି ଖାଇଥିଲି ସବୁ

ବାକୀ ଥିଲା କଂସା ବଳାପଟେ, ଦେଇ ତାହା

 

ଆଣିଲି ଚାଉଳମାଣେ କାଲି ସଞ୍ଜବେଳେ,

କିନ୍ତୁ ଥିଲା ନାହିଁ ଲୁଣ, କି ରାନ୍ଧିବି ଆଉ

ପିଇଦେଇ ପାଣି ପେଟେ ପଡ଼ିଲି ମୁଁ ଶୋଇ ।

କେହି କହେ, ଜଞ୍ଜାଳିଆ ପିଲାଟା ମୋହର

 

କଲା ଅଳି ଦୁଧ ପାଇଁ କାଲି, କି କରିକି,

କାହୁଁ ବା ପାଇବି ଅର୍ଥ ଦେବି ଦୁଧ କିଣି,

ଭାବି ଭାବି ତହୁଁ, ଗୋଳି ପାଣିରେ ପିଠଉ,

ଦୁଧ ବୋଲି କହି ତାକୁ ଦେଲି ବହଲାଇ ।

 

ଏହିରୂପେ କହି କହି ସର୍ବେ ନାନା କଥା,

ମିଳିଲେ ଆସି ଉତ୍କଳ-ଜନନୀ ଛାମୁରେ ।

ଉପବିଷ୍ଟ ପୂର୍ବାଗଳ ଦୁଷ୍ଟଗଣେ ତହୁଁ

ଉଠି ଶଶବ୍ୟସ୍ତେ, ସର୍ବେ ପ୍ରସାରିଣ କର,

 

‘‘ଆସ ଗୋ ଦୀନତା ଭଗ୍ନି, ଆସ ଆସ’’ କହି

ଆଲିଙ୍ଗି ଆଦରେ ତାଙ୍କୁ, ବସାଇ ଗହଣେ

ଶିଷ୍ଟ ସମ୍ଭାଷଣେ ଦୁଷ୍ଟେ ରତ ପରସ୍ପରେ ।

ଅନନ୍ତର ନାରୀ ଏକ ଆରୋହି ଶିବିକା

 

ଉତ୍ତରିଲା ତ୍ୱରା ତହିଁ, ଅତି ଅଲକ୍ଷଣୀ

ନାରୀଏ ତାହାର ପୁଣି ଶିବିକା ବାହିକା-

ଧରିଅଛି ସେହୁ ଏକ ହସ୍ତେ ପଶାପାଲି,

ଆନେ ଜୁଆପେଡ଼ି, ଭୃତ୍ୟମଣ୍ଡଳୀ ତାହାର

 

ବେଢ଼ିଛନ୍ତି ଚଉପାଶେ ଶତ ପ୍ରହରଣେ;

ବସାଇଛି ଦକ୍ଷେତର ତର୍ଜନୀରେ କେହୁ

ଗୋବରା ଚଢ଼ାଇ, କେହି ପିନ୍ଧି ରଙ୍ଗଧଡ଼ି

ଲୁଗା, କୁଞ୍ଚ ଲେଉଟାଇ ଖୋଷିଣ କଟିରେ,

 

ଭଙ୍ଗୀରେ କୁସୁମ ତହିଁ କରିଛି ରଚନା;

ଚଉତାଇ କେହୁ ଅବା ପାକଲା ଗାମୁଛା

ତ୍ରିକୋଣେ, ମଣ୍ଡିଛି ତାହା ସ୍କନ୍ଧ ପୃଷ୍ଠଦେଶେ;

କେହି ଗାଏ ଗ୍ରାମ୍ୟଗୀତ, କେହି ରସଗୀତ

(ପଟଯୁକ୍ତ ଯାହା ଛଙ୍କା ଆଦିରସ ପୁଟେ)

 

କେହି ବା ଉଚ୍ଚରେ ଗାଏ ଦକ୍ଷିଣୀ ଚୌପଦୀ ।

ବେନି ବର୍ଣ୍ଣେ ପେଣ୍ଡାବାଳେ ଖୋଷିଛି କେ ଫୁଲ,

ଦୋଳଇ କଟିରେ କାର ରଙ୍ଗ ପାନମୁଣା

ମୃଦୁଳେ, କେହି ବା ବର ନାଗରପଣରେ

 

ବସାଇଛି ସୁନାଚାନ୍ଦି ଛାମୁଦାନ୍ତଦ୍ୱୟେ ।

କାହିଁ ବା ମାଦକସେବୀ କରଇ ବକ୍ତୃତା-

ହେ ମାନବେ ! ମହାଭାଗ୍ୟେ ଲଭିଛି ସକଳେ

ଦୁର୍ଲ୍ଲଭ ମାନବଜନ୍ନ, କିନ୍ତୁ କ୍ଷଣସ୍ଥାୟୀ

 

ତାହା, ଏହା ଜାଣି ତେଜି ପାପପୁଣ୍ୟ ଭ୍ରମ

କରିଯାଅ ସୁଖଭୋଗ, ପାପପୁଣ୍ୟ ସିନା

ତୁଚ୍ଛା ଶାସ୍ତ୍ରର ଡ଼ରାଣ, ନୋହି ତହିଁ ଭୀତ

କରିଯାଅ କରିଯାଅ ଯଦୃଚ୍ଛାଚରଣ ।

 

ଦେଖି ଏ ବ୍ୟାପାର ଲଭି ତାଟକା ଅପାର

ପୁଚ୍ଛିଲି ମୁଁ ସାନୁନୟେ କମଳାଙ୍କୁ ଡାକି,

ମାତଃ, କିଏ ଏ ରମଣୀ ଶିବିକାରୋହିଣୀ ।

ଉତ୍ତରିଲେ ମୃଦୁସ୍ୱରେ ଉତ୍କଳକମଳା-

 

ବତ୍ସ ! ଏ ‘‘ଅବିଦ୍ୟା’’, ଦୁଷ୍ଟା ସରସ୍ୱତୀ ବୋଲି

ଧରେ ଅନ୍ୟ ନାମ ଏକ, କାର୍ଯ୍ୟାକାର୍ଯ୍ୟଭେଦ

ନାହିଁ ଏ ଦୁଷ୍ଟାର କିଛି, ଚରିତ୍ରଗ୍ରାସିନୀ

ଏହୁ, ପଡ଼ିଲେ କୁହୁକେ ତାର, ମାନବର

 

ମାନବତା ବିବେକତା ଲୁପ୍ତ ହୁଏ ସବୁ ।

ଅନନ୍ତର ଦୋଳାରୋହୀ ଆନ ନାରୀ ଏକ

ଅତିବୃଦ୍ଧା ପ୍ରବେଶିଲା ଖରେ ଆସି ତହିଁ,

ବସିଛି ସେ ଶିର ନିହି ବେନି ଆଣ୍ଠୁ ପରେ

 

ଦୋଳା ମଧ୍ୟେ, ଛନ୍ଦିଦେଇ ହସ୍ତପଦଦ୍ୱୟେ,

ହୋଇଯାଇଅଛି ଅଙ୍ଗ ଅସାଢ଼ ତାହାର

ପକ୍ଷଘାତ ରୋଗୀ ପ୍ରାୟ, ମୂର୍ତ୍ତିରୁ ଆଭାସେ,

ଯାଇଛି ଅବଶ ହୋଇ ବୁଦ୍ଧି ସୁଦ୍ଧା ତାର ।

 

ସୂପ୍ତକି ସତେତ ସେହୁ ହେଉ ନାହିଁ ବାରି,

ନାହିଁ ତୁଣ୍ଡେ ଭାଷା, ମାତ୍ର ଥରେ ଥରେ କେବେ

ଉଠୁଛି ବିଳିବିଳାଇ ସୂପ୍ତ ଶିଶୁ ପ୍ରାୟ,

ପ୍ରଳାପୁ ପ୍ରଳାପୁ ପାଟି ଯାଏ ଖନି ବାଜି ।

 

ଦେଖି ତାକୁ ଉପବିଷ୍ଟ ଦୁଷ୍ଟଦୁଷ୍ଟାଗଣ,

ଉଠିଆସି ଖରେ, ନେଲେ କରି ଧରାଧରି

ବସାଇଲେ ପୁଣି ନେଇ ସ୍ୱକୀୟ ସମାଜେ ।

ନିରେଖି ଉତ୍କଳଲକ୍ଷ୍ମୀ ଏ ସର୍ବ ବ୍ୟାପାର,

 

ହସିଉଠେ ମୋତେ ଚାହିଁ ବୋଇଲେ ଏସନ,-

ରେ ପୁତ୍ର, ଚିହ୍ନିଲୁଟି କି ଏ ମହାଦୁଷ୍ଟାକୁ ?

ଜଡ଼ତା ଏହାର ନାମ, ସ୍ପର୍ଶମାତ୍ରେ ଏହୁ

କରିଦିଏ ମାନବକୁ ହୁଣ୍ଡା, ପଶୁପ୍ରାୟ,

 

ତେଣୁ ବଦ୍ଧବୁଦ୍ଧି ନର ପାରେ ନାହିଁ ବୁଝି

ବଜ୍ରାଘାତ, ପୁଷ୍ପଜାତ କିଛି, ସୁଖ ମଣେ

ଆହାରେ ବିହାରେ ଆଉ ଶୟନେ ବିଳାସେ,

ତହୁଁ ଲଭେ ଅଧୋଗତି, ଜନ୍ମ, ମୃତ୍ୟୁ ଜରା-

 

ଏ ତିନି କଷଣ ସୁଦ୍ଧା ଭୁଞ୍ଜେ ବାରମ୍ବାର ।

ଅତଃପର ନୀରବନ୍ତେ ଉତ୍କଳ-କମଳା,

ଦେଖିଲି ପୁରୁଷ ଏକ ଆସୁଛି ଅଦୂରେ

ପିନ୍ଧି ଗେରୁଆ ଗାମୁଛା, ଯାକିଅଛି କାଖେ

 

ମୋଡ଼ି ଧୋବଲୁଗା ଖଣ୍ଡେ, ଅଧୋବଦନରେ

ଡ଼େଇଁ ଡ଼େଇଁ ଚାଲୁଅଛି ଅତି ସାବଧାନେ,

ଦୈବେ ଯେବେ ମାଡ଼ିବ ସେ ବାଇଜି * ଖପରା

ପଥେ, ହୋଇଯିବ ତେବେ ଲୁଗାଖଣ୍ଡି ମାରୁ,

* ବର୍ଜିତ ଶବ୍ଦଜ

 

ବାନ୍ଧିଅଛି ଡ଼େଉଁରିଆ ଗଳାରେ ବାହୁରେ

ଦ୍ୱାରେ ଦ୍ୱାରେ, ତହିଁ ପୁଣି ବନ୍ଧାଅଛି ଦୃଢ଼େ

ଛାଞ୍ଚୁଣୀ କେରାଏ, ସେହୁ ରଖିବ ତାହାକୁ

ଭୂତ ପ୍ରେତ ଆକ୍ରମଣ-ଡାହାଣୀ କବଳୁ,

 

ପ୍ରମାଦୁ, ସଙ୍କଟୁ ପୁଣି ସକଳ ପୀଡ଼ାରୁ ।

ପଶ୍ଚାତେ ବେନି ପାରୁଶେ ସ୍ତାବକମଣ୍ଡଳୀ,

ଚାଲିଛନ୍ତି ହର୍ଷଭରେ କହି ନାନାକଥା ।

କେହି କହେ ଗତକାଲି ଭାଇବୋହୂ ମୋର

 

ବସିଥିଲା ଅଗଣାରେ, ନ ଜାଣି ମୁଁ ତାହା

ଚାଲିଯାନ୍ତେ ସେହି ପଥେ, ପଡ଼ିଗଲା ଛାୟା

ମୋର ତା ଉପରେ, ସର୍ବେ ଶୁଣିଣ ଏ କଥା

ଗଣିଲେ ପ୍ରବୀଣଗଣ ମହା ଅମଙ୍ଗଳ,

 

ତହୁଁ ଏ ମହା ଅଶୁଭ ପ୍ରତିକାର ପାଇଁ

ବୁଡ଼ି ଗାଳି ଗଙ୍ଗୋଦକ ପିଇ ତଦନ୍ତରେ

କଳଇ ବୁଲି ବୁଲି ଅଷ୍ଟସମ୍ଭୁ ଦରଶନ ।

କେହି କହେ ପାଠପଢ଼ା ନାହିଁ ଆମ୍ଭ କୁଳେ,

 

ବାଳକାଳୁ ବୁଦ୍ଧିମାନ ଦେଖିଣ ପୁତ୍ରକୁ

ବିଚାରିଲି ପଢ଼ାଇବି ତାକୁ ପାଠ କିଛି

କିନ୍ତୁ କି କହିବି ଭାଇ ଅମଙ୍ଗଳ କଥା,

ଦିନେମାତ୍ର ଯାଇଅଛି ସେହୁ ବିଦ୍ୟାଳୟେ,

 

ପରଦିନ ସଂଘଟିଲା ବିବିଧ ବିପଦ,

ହେଲା ତାକୁ ଭାରି ଜ୍ୱର, ବୃଦ୍ଧ ପିତା ମୋର

ଯାଉଁ ଯାଉ ତୁଚ୍ଛାଟାରେ ପଡ଼ିଲା କଚାଡ଼ି,

ମୁହଁ ମାଡ଼ି, ଗଲା ଝଡ଼ି ଦନ୍ତଧାଡ଼ି ତାର,

 

ତିନି ଦିନ ଯାଏଁ ପୁଣି ହଜିଲା ବଳଦ ।

ତହୁଁ ଲଭି ମହାଭୟ, ଜୁହାରିଣ ଦୁରୁଁ

ପାଠେ ନିଷେଧିଲି ପୁତ୍ରେ ପଢ଼ିବାକୁ ଆଉ ।

ସମର୍ଥି ଏ କଥା କେହୁ ବୋଲଇ ଏସନ, -

 

ପଢ଼ୁ ପଢ଼ୁ ନାତି ମୋର କୁସଙ୍ଗରେ ପଡ଼ି

ଯୋତା ମାଡ଼ି ଖାଉଥିଲା ପାନ, ଦେଖି ତାହା

ଦିନେ ମୁହିଁ, ଜାତିଧର୍ମ ଯିବା ଭୟେ, କିଛି

ନ କହି କାହାକୁ, ଡ଼ାକି ଗୋପନେ ତାହାକୁ

 

କରାଇଲି ସୁପବିତ୍ର ପଞ୍ଚଗବ୍ୟ ପାନେ,

ସେହି ଦିନୁ ପାଠପଢ଼ା ଛଡ଼ାଇଲି ତାର ।

କେହି କହେ ଏ କାଳେ ତ ପଢ଼ିଲେ ନାରୀଏ,

ଏ ହେତୁ ଘଟୁଛି ସଦା ନାନା ଦୁର୍ଘଟଣା,

 

ଲକ୍ଷ୍ମୀଅଂଶୁ ନାରୀଙ୍କର ଜନ୍ମ ଯେଣୁ, ତେଣୁ

ଲକ୍ଷ୍ମୀ ଆରାଧନା ସଦା କର୍ତ୍ତବ୍ୟ ତାଙ୍କର,

କିନ୍ତୁ ଏବେ ଛାଡ଼ି ତାଙ୍କୁ, ପୂଜନ୍ତି ସେମାନେ

ଚିର-ବିଦ୍ୱେଷିଣୀ ତାଙ୍କ ସପତଣୀ ପଦେ ।

 

ତହୁଁ ଲକ୍ଷ୍ମୀ ବହି କୋପ, ହରିଲେ ଧରାରୁ

ଶସ୍ୟ, ତାଙ୍କ ଅଭିଶାପୁଁ ତୁଟିଲା ଧରଣୀ-

ଶିରୀ, ହୋଇଗଲେ ନରେ ଦିନୁ ଦିନୁ ଦୀନ ।

କେ ବୋଲେ ଶୁଣ ମୁଁ କହେଁ ଦୃଷ୍ଟାନ୍ତ ଗୋଟିଏ,

 

ଶ୍ରୁତି-ଶ୍ରୁତ ନୁହେଁ ତାହା ଦୃଷ୍ଟି-ଦୃଷ୍ଟ କଥା,-

ଆମ୍ଭ ଗ୍ରାମେ ଥିଲେ ଏକ ଧନୀ ମହାଜନ,

କୁବେରପ୍ରତିମ, ମହାପ୍ରବଳପ୍ରତାପୀ

ଭୟେ ବାଟ ଛାଡ଼େ ତାଙ୍କୁ ପୁର୍ଣ୍ଣଗର୍ଭା ଗାଭୀ,

 

ଦ୍ୱାରେ ଲାଗିଥିଲା ତାଙ୍କ କଂସାର କବାଟ;

କିନ୍ତୁ ସେ ପଢ଼ାନ୍ତେ ତାଙ୍କ ନାତୁଣୀକୁ ପାଠ,

ଖଇକୁଲାରେ ପବନ ପଶିଲା ପରାଏ

ଗଲା ସବୁ ଧନରତ୍ନ କେଉଁଆଡ଼େ ଚାଲି,

 

ଅବଶେଷେ ବଂଶ ତାର ହୋଇଲା ନିର୍ମୂଳ ।

କେହି କହେ ଆମ୍ଭ ଘରେ ନ କରନ୍ତି କେହି

କୃଷ୍ଣବସ୍ତ୍ର ପରିଧାନ, ପିତାମହୁଙ୍କର-

ପିତାମହୀ ମୋର, ପିନ୍ଧି ଦିନେ କଳାଶାଢ଼ୀ

 

ଯାଇଥିଲେ ଧୋଇବାକୁ ତଡ଼ାଗେ ଚାଉଳ,

କିନ୍ତୁ ତହିଁ ପଡ଼ନ୍ତେ ସେ କୁମ୍ଭୀର କବଳେ,

ସେହି ଦିନୁ କଳାଲୁଗା ଆମ୍ଭ ଘରେ ମନା ।

ଏହିରୂପେ କହି କହି ସର୍ବେ ନାନା କଥା

 

ମିଳନ୍ତେ ପୂରବାଗତ ରିପୁଙ୍କ ପୁରତେ,

କଲେ ସେ ସକଳେ ତାଙ୍କୁ ପ୍ରେମେ ଆଲିଙ୍ଗନ,

ପ୍ରେମ ସମ୍ଭାଷଣ, ହୋଇ ଆନନ୍ଦେ ମଗନ,

ଯଥାଯୋଗ୍ୟ ସ୍ଥାନେ ଯାଇ ବସିଲେ ସକଳେ ।

 

ଲଭିଣ ବିସ୍ମୟ ମୁହିଁ ଏ ଦୃଶ୍ୟ ଦର୍ଶନେ

ଚାହିଁଲି ଜିଜ୍ଞାସୁ ନେତ୍ରେ ଦେବୀଙ୍କ ଆଡ଼କୁ ।

ବୁଝିପାରି ଆଶୟ ସେ ଆକାର ଇଙ୍ଗିତୁଁ

ମୋର, ହୋଇ ସୁପ୍ରସନ୍ନ ଭାଷିଲେ ଏ ଗୀର,

 

‘‘କୁସଂସ୍କାର’’ ଏ ଦୁଷ୍ଟର ନାମ, ଅଟେ ଏହୁ

ଅତୀବ ଦୁର୍ଦ୍ଧର୍ଷ, ଦୁଷ୍ଟ ବାନ୍ଧି ସମାଜର

ହସ୍ତପଦ ଦୃଢ଼ପାଶେ, କରିଦିଏ ତାକୁ

ନୈତିକ ବଳବିହୀନ, ଛନ୍ଦି ପୁଣି ନାନା-

 

ଦେଶାଚାରରୂପୀ ଲୌହ ନିଗଡ଼ ଶୃଙ୍ଖଳେ

ନିକ୍ଷେପେ ନେଇଣ ଘୋର ଅବନତି-କୂପେ ।

ଅନନ୍ତର ଉଭା ହୋଇ ଅନୈକ୍ୟ ସେକାଳେ,

ବୋଇଲା ସକଳ ମିତ୍ରେ ସମ୍ବୋଧି ଏସନ,-

 

ଶୁଣ ଭ୍ରାତୃଭଗ୍ନୀଗଣେ ମୋହର ପ୍ରସ୍ତାବ,

ଉପସ୍ଥିତ ହେଲେଣି ତ ସକଳ ବନ୍ଧୁଏ,

କିପାଇଁ ବିଳମ୍ବ ତେବେ ସ୍ୱକାର୍ଯ୍ୟ ସାଧନେ ?

ଉଠ ସର୍ବେ ଉଠ ଏହି ଶୁଭ ମୁହୂର୍ତ୍ତରେ ।

 

ତହୁଁ ଉଠିଣ ସକଳେ, ଗର୍ଜି ଘୋର ରବେ,

ଧାଇଁ ଯାଇ ଆକ୍ରମିଲେ ଚଉପାଶୁଁ ଖରେ

ଉତ୍କଳମାତାଙ୍କୁ, କେହି ଚଢ଼ିଲା ମସ୍ତକେ

କେହି ବନ୍ଧପରେ, କେହି ବିମର୍ଦ୍ଦିଲା ଅବା

 

ବକ୍ଷେ ଚଢ଼ି ଛାଡ଼ି ରଡ଼ି ରଗଡ଼ି ଦଶନ ।

ସେ ଗୁରୁ ଚାପନେ ଦେବୀ ଡ଼ାକି ପରିତ୍ରାହି,

ବିଳପିଲେ ସକରୁଣେ ମର୍ମଭେଦୀ ସ୍ୱରେ,-

‘‘ହା ପୁତ୍ରେ ! ଦେଖ ରେ ଭଲା ମୋର ଏ ଦୁର୍ଦ୍ଦଶା

 

ଅସହ୍ୟ, ଦାରୁଣ, ସ୍ମର ଭଲା ମନେ ଥରେ

ମାତୃ-ଉପକାର, ସର୍ବେ ମୋହଯୋଗୁଁ ସିନା

ଧରିଣ ସ୍ଥୂଳ ଶରୀର ରହିଛି ଜୀବନେ ?

ପୋଷୁଛି ମୁଁ ତୁମ୍ଭ ତନୁ ନିଜ ତନୁ ବ୍ୟୟେ,

 

ହାଣୁଛ ପିଟୁଛି ପୁଣି ପୋଡ଼ୁଛି ସତତ

ମୋତେ, କ୍ଷେପୁଛି ଅମେଧ୍ୟ କେତେ ମୋ ଉପରେ

ପୁଣି, କେତେ ବା ବକ୍ଷରେ ମୋର କରୁଅଛ

ମଳମୁନ ତ୍ୟାଗ, ମାତ୍ର ସେ ସକଳ ମୁହିଁ

 

ସହିଅଛି ଅକାତରେ, ଆଚରିଣ କ୍ଷମା

ପୁତ୍ର ବୋଲି, କିନ୍ତୁ ହାୟ ! ପାଷାଣେ କି ଗଢ଼ା

ତୁମ୍ଭ ହଆ, ନ ଦେଖ ରେ ମୋ ଯାତନା ବାରେ

ନେତ୍ରସତ୍ତ୍ୱେ, ଅନ୍ଧପ୍ରାୟ, ହା ! କି ଦୁର୍ବିପାକ !

 

କେଉଁ ପାପେ ନିହିଥିଲା ବିହି ମୋ କପାଳେ

ଏହା ହୋଇ ଆର୍ଯ୍ୟମାତା ମୁହିଁ, ହେବି ହାୟ,

ଆର୍ଯ୍ୟ ସତ୍ତ୍ୱହୀନା ! ପୁଣି ଭୁଞ୍ଜିବ ଲାଞ୍ଛନା

ମହାଦୁରାଚାରୀ ଏହି ପାପୀଙ୍କ ହସ୍ତରେ !

 

ହାୟ ପୁତ୍ରେ ! ଚିରୋଜ୍ଜ୍ୱଳ ବଦନ ମୋହର

କଳଙ୍କକାଳିମାଯୁକ୍ତ ଏବେ ତୁମ୍ଭ ଦୋଷେ !

ତୁମ୍ଭ ଦୋଷେ ସିନା, ହାୟ ଜୀବନ୍ମୃତା ମୁହିଁ !

ମୋହୋ ପୁତ୍ର ହୋଇ ହେଇ ଏଡ଼େ ଅଭାଜନ-

 

ସର୍ବେ ତୁମ୍ଭେ, ଜାତ ହୋଇ ଶୁକବଂଶେ, ଅହୋ

ଆଚରିଲ ଅମାପ୍ରୟ ଉଲୁକ ବେଭାର !

ହିତୈଷିଣୀ ଜନନୀର ନିରେଖି ଦୁର୍ଗତି,

ନିଶ୍ଚିନ୍ତ ସକଳେ ଅଛ, ହାୟ, ଏହି କି ରେ

 

ଅଟେ ତୁମ୍ଭ କୃତଜ୍ଞତା, ମାତୃବତ୍ସଳତା !’’

ଏସନ ବିଳସି ଦେବୀ ହେଲେ ଅଚେତନ ।

ଦେଖିଣ ମୂର୍ଚ୍ଛିତା ତାଙ୍କୁ ପରମ ଉଲ୍ଲାସେ

ବଜାଇ ବିଜୟ-ବାଦ୍ୟ ଦୁଷ୍ଟ ରିପୁଚୟେ,

ଯେ ଯାହା ଗନ୍ତବ୍ୟ ସ୍ଥାନେ ହେଲେ ପ୍ରତ୍ୟାଗତ ।

 

ପଞ୍ଚମ ସର୍ଗ

 

ଦେଖି ଦେଖି ଏ ସକଳ ଅଦ୍ଭୁତ ଅଶ୍ରୁତ

ମର୍ମନ୍ତୁଦ ଦୃଶ୍ୟ, ହୋଇ ଅତୀବ କାତର

ନିବେଦିଲି ଯୁକ୍ତକରେ ଦେବୀଙ୍କ ଛାମୁରେ-

‘‘ମାତଃ ! ହେଉ ଏବେ ଏହି ମହାନଟକର

 

ମହା ଅଭିନୟେ ଖରେ ଯବନିକାପାତ,

ଦେଖି ନେତ୍ରେ ମାତୃକ୍ଲେଶ, ଦମନେ ତାହାର

ନ ହୋଇ ସକ୍ଷମ, ହେବି ସିନା ଯନ୍ତ୍ରଣାରେ

ଛଟପଟ ଖାଲି ? ଧରି ମାନବ ଶରୀର,

 

ଜନ୍ମଦାତ୍ରୀ ଜନନୀର ବିଷମ ଲାଞ୍ଛନା

ନୀତ ହସ୍ତେ, ଦେଖିବ କି ବସି କେହି କେବେ

ସ୍ୱନୟନେ, ହେଲେ ସୁଦ୍ଧା କୁପୁତ୍ର ତାହାର ?

ଦେବି ! ଏହି ଶୋକ-ବାକ୍ୟ-ତୀବ୍ର କଟୁ ଭାବ

 

ଦୁର୍ବହ ମୋ ହୃଦପକ୍ଷେ, ଏଣୁ ମୋ ମିନତି

ସମ୍ବର ସମ୍ବର ମାତଃ ଏ ମାୟା ସତ୍ୱର ।’’

ଅମଳ-କମଳାନନା ଉତ୍କଳ-କମଳା

ଉତ୍ତରିଲେ ଈଷଦ୍ଧାସ୍ୟେ ତହୁଁ, ‘‘ବତ୍ସ ! କିପାଁ

 

ହେଉ ବ୍ୟାକୁଳ ଏସନ, ଗଲେଣି ତ ଚାଲି

ଦୁରନ୍ତ ରିପୁଏ, ଆଉ ନ ଆସିବେ ଆଜି,

ଏହିପରି ପ୍ରତିଦିନ ଆସି ଦୁଷ୍ଟଗଣ,

ଧର୍ଷନ୍ତି ସବଳେ ତାର ସଂଜ୍ଞାଲୋପ ଯାଏଁ,

 

ହେଲେ ସେ ମୂର୍ଚ୍ଛିତା, ଖରେ ହୁଅନ୍ତି ଅନ୍ତର ।’’

ଦେବୀଙ୍କ ଏ ସୁଧା-ସିକ୍ତ ମଞ୍ଜୁ ମଧୁବାଣୀ

ପ୍ରଦାନି ଆଶ୍ୱାସ ମୋତେ ହରନ୍ତେ ଅଧୃତି,

ପୁଚ୍ଛିଲି ମୁଁ ପୁଣି ତାଙ୍କୁ ଜୁହାରି ବିନୟେ,

 

‘‘ମାତଃ ! କେତେ କାଳେ ଆଉ ଉତ୍କଳ ମାତାର

ଖଣ୍ଡିବ ଏ ମହାରିଷ୍ଟ ? କେତେ କାଳ ଆଉ

କୋଷ୍ଠିରେ ତା ଅଧିଷ୍ଠିତ ଥିବେ ଦୁଷ୍ଟଗ୍ରହେ ?

କଷ୍ଟ-ପ୍ରଦାୟକ, ଅହୋ ! ଏ ଘୋର ଦୁର୍ଦ୍ଦିନେ

 

କେହି କି ନୋହିବେ ସାହା ପୁତ୍ରଗଣେ ତାର ?

ଦୀନା ରୁଗ୍‌ଣା ଜନନୀର ପରିଚର୍ଯ୍ୟା ପାଇଁ

କେହି କି ଗୋ ହେବେ ନାହିଁ ତିଳେହେଁ ତତ୍ପର ?

ମାତୃସେବା ଥିଲା ଯାଙ୍କ ଜୀବନର ବ୍ରତ,

 

ସେହି ଉତ୍କଳୀୟଙ୍କର ବଂଶଧରମାନେ

ଉଦ୍‌ଯାପି ସେ ପୁତବ୍ରତେ, କେତେ କାଳ ଆଉ

ପଡ଼ିଥିବେ ଅଧୋଗତି-କୂପେ ଅଧୋମୁଖେ

ଅଭିଶପ୍ତ ପ୍ରାୟ ? -ହୋଇ ଜଗତ ନୟନେ

 

ବିଘୃଣିତ, ଅବଜ୍ଞାତ, ଅହୋ ! କି ଦୁର୍ଦ୍ଦକ !

‘‘କି ଅଛି ଏ ଅଭାଗୀର ଭାବୀ ଅଦୃଷ୍ଟରେ,

ବହ ମାତଃ କୃପା ବହି ଶୁଣିବ ମୁଁ ତାହା ।’’

ଉତ୍ତରିଲେ ଦେବୀ, ‘‘ବତ୍ସ ! ସୁଖ ଅନ୍ତେ ଦୁଃଖ

 

ପୁଣି ଦୁଃଖ ଅନ୍ତେ ସୁଖ ଲାଗିଅଛି ଭବେ

ସଦା ସମସ୍ତଙ୍କ ଭାଗ୍ୟେ, ଅଟେ ଏହା ବିଧି-

ବିଧି, ଘୁରୁଛି ନିୟତି-ଚକ୍ର ଅବିରାମ

ସମସ୍ତଙ୍କ ଶିରୋଦେଶେ, ସୁଖଦୁଃଖ ବେନି

 

ବସି ଅଧଃ ଊର୍ଦ୍ଧ୍ୱେ ତାର ଘୁରନ୍ତି ତା ସହ,

ଘୁରୁ ଘୁରୁ ଯେତେବେଳେ ଯେ ଆସେ ନିକଟେ,

ବାଜିଯାଏ ତେତେବେଳେ ତାହାରି ଆଘାତ ।

ନ ଘଟେ କାହାରି ଭାଗ୍ୟେ ଭବେ ଚିରଦୁଃଖ

 

କିମ୍ବା ଚିରସୁଖ, ଘଟେ ପର୍ଯ୍ୟାୟରେ ତାହା ।

ଆଣିବ ନିଶ୍ଚୟ, ସେହି ପ୍ରକୃତି-ପର୍ଯ୍ୟାୟ

ଦିନେ ଏ ଉତ୍କଳଭାଗ୍ୟେ ସୌଭାଗ୍ୟ ସୁଦିନ

ଲାଗିଛି ଭବେ ଉତ୍ଥାନ ପତନ ବେନିର

 

ଘୋର ସଂଘର୍ଷଣ ସଦା, ତେଣୁ ଆଜି ଯହିଁ

ବହୁଅଛି ବିଷାଦର ବିଷ-ତରଙ୍ଗିଣୀ

ଭୀମ ବ୍ରଜ ଉଗ୍ରନାଦେ, ଖେଳିବ ନିଶ୍ଚୟ

କାଲି ତହିଁ ଆନନ୍ଦର ମଞ୍ଜୁମନ୍ଦାକିନୀ

 

କଳବଳ କଳନାଦେ, ସିଦ୍ଧାନ୍ତ ଏସନ,

ନୁହେଁ ଅନୁମିତ, -ଅଟେ ଅନୁଭୂତି କଥା ।

ଚୂଡ଼ାନ୍ତ ଅବନତିରେ ହୋଇ ଉପସ୍ଥିତ,

ବୁଝୁଛନ୍ତି କ୍ରମେ କ୍ରମେ ସ୍ୱକୀୟ ଦୁର୍ଦ୍ଦଶା

 

ଭ୍ରାତୃଗଣେ ତୋର, ଯଥା ରୋଗେ ଭୋଗି ରୋଗୀ

ବୁଝିପାରେ ସେ ରୋଗର ସୁତୀବ୍ର ଯନ୍ତ୍ରଣା ।

କରେଁ ଯେଉଁ ଅବନିତି ମାନବକୁ ହୀନ,

ଛୁଇଁଲେ ଚରମ ସୀମା ସେହି ଅବନତି,

 

ଖୋଜିଆଣି ଦିଏ ପୁଣି ଉଦ୍ଧାରର ପଥ ।

ପକ୍ଷାନ୍ତରେ ଶେଷସୀମା ଛୁଇଁଲେ ଉନ୍ନତି,

ପୁଣି ଘଟେ ଅବନତି, ପୌର୍ଣ୍ଣମାସୀ ପରେ

କଳା କଳା କ୍ଷୟ ଯଥା କଳାକର କଳା,

 

କି ଗତି ବିନ୍ଧ୍ୟର ଶେଷେ ଉନ୍ନତି ଆଶ୍ରୟି ?

ଏହି ନିୟତି ନିୟମେ, ଯିବ ନିଶ୍ଚେ ଫେଡ଼ି

ଜନନୀ କଷଣ ତୋର, ଦିଶିଲାଣି ଶୁଭ-

ସୂଚନା ତାହାର, ଯଥା ଉଆଁସ ତାମସୀ-

 

ଘୋର ତମିସ୍ରକୁ ଭେଦି ଦିଶଇ ସୁନ୍ଦର

ଉଷାର ସୀମନ୍ତ ରେଖା, କ୍ଷୀଣ ପାଟଲାଭ,

ସୁଖମୟ ପ୍ରଭାତର ଆଗମସୂଚକ;

ହେବେ ସମୁଦିତ ଏବେ ଭାଗ୍ୟ-ନଭେ ତାର

 

ବହୁଦିନ-ଅସ୍ତମିତ-ଉନ୍ନତି-ତପନ ।

ଖେଳିବ ଏକତା-ଢେଉ ସମଗ୍ର ଉତ୍କଳେ

ପୂର୍ବ ପରି, ପୂର୍ବ ପରି ଉଠିବ ବାଜିଣ

ମୃତସଞ୍ଜୀବନୀ ସେହି ସାରସ୍ୱତ ବୀଣା

 

ସୂତାନେ, ଉନ୍ନତି-ମନ୍ତ୍ର ଉଚ୍ଚାରି ଉଚ୍ଚରେ,

ଆସିଲିଣି ମୁହିଁ, ବତ୍ସ ! ଲକ୍ଷ୍ମୀ ଗନ୍ତାଘର

ତୋ ମାତାର, ପୂର୍ଣ୍ଣ ହେବ ଧନଧାନ୍ୟେ ଏବେ ।

ଭାଙ୍ଗିଅଛି ଗାଢ଼ନିଦ୍ରା ତୋ ଭ୍ରାତାଗଣର,

 

ମାତ୍ର ଭାଙ୍ଗି ନାହିଁ ନିଦ୍ରା-ଆଳସ୍ୟ କେବଳ,

ଯାବତ ନ ଭାଙ୍ଗେ ତାହା, ତାବତ ରେ ସୁତ !

ରହିବ ତୋ ମାତ୍ରୁନ୍ନତି ଦୂରବର୍ତ୍ତୀ ହୋଇ ।’’

ଶୁଣି ଏହି ଆଶା-ବାଣୀ ଦେବୀଙ୍କ ବଦନୁ

 

ପ୍ରାଣ ଉନ୍ମାଦିନୀ, ପୁଣି ପୁଚ୍ଛିଲି ଏସନି,-

‘‘ଦେବି ! କି ଶକୁନ ଦେଖି ତୁମ୍ଭେ କଳ ଏହି

ଭାବୀ ସୌଭାଗ୍ୟ ଗଣନା ଉତ୍କଳ ମାତାର,

ଶ୍ରବଣେ ତା ସମୁତ୍ସକ ମୋହର ମାନସ,

 

କହ ମାତଃ ସେହି କଥା ଦାସେ ଦୟା ବହି ।’’

ଉତ୍ତରିଲେ ଦେବୀ, ‘‘ବତ୍ସ ! ପୁଚ୍ଛିଲୁ ତୁ ଯାହା,

କହୁଛି ସେ ତଥ୍ୟ ଶୁଣ ଅବହିତେ ମନେ,-

ସମ୍ପ୍ରତି କେତେକ ଜଣ ଉତ୍କଳ ସନ୍ତାନ

 

ମାତୃପ୍ରାଣ, ଲାଗିଛନ୍ତି ଶକ୍ତି ଅନୁଯାୟୀ

ମାତାର ବିଚ୍ଛିନ୍ନ ଅଙ୍ଗ ଏକତ୍ରୀକରଣେ,

ତାହାଙ୍କ ଅଦମ୍ୟ ଚେଷ୍ଟା ଅଧ୍ୟବସାୟରେ

ହେଲାଣି ସଂଯୁକ୍ତ ଆସି ପଶ୍ଚିମ ଭୂଭାଗ, *

*ସମ୍ୱଲପୁର ପ୍ରଭୃତି କାଳକ୍ରମେ ଓଡ଼ିଶାରୁ ବିଚ୍ଛିନ୍ନ ହୋଇ ଥିଲା; ମାତ୍ର ସମ୍ପ୍ରତି ସଂଯୁକ୍ତ ହୋଇଅଛି ।

 

ଉତ୍କଳର ଦକ୍ଷହସ୍ତ ସେହୁ, ବହୁଦିନୁଁ

ପଡ଼ିଥିଲା ଛିନ୍ନ ଭିନ୍ନ ହୋଇ, ଅଛି ଆଉ

ଶିରଃ ପାଦ, ଯୁକ୍ତ ହେଲେ ତାହା, ଉଠିବ ସେ

ଶିର ତୋଳି, ପିଣ୍ଡେ ତାର ବସିବ ଚେତନା,

 

ତଦନ୍ତେ ଜାଗ୍ରତ ହେବେ ସୁପ୍ତସୁତେ ତାର,

ଧରିବ ଉତ୍କଳ-ମର୍ତ୍ତ୍ୟ ଅମର୍ତ୍ତ୍ୟ ମାଧୁରୀ ।

ଝଙ୍କାରିବେ ସେ ସମୟେ ଝଙ୍କଡ଼ବାସିନୀ

ବୀଣାପାଣି ବାଣୀ ଦେବୀ ବୀଣା ନବତାନେ,

 

ଶୁଣି ସେ ମହାଝଙ୍କାର ଦ୍ୱିଜାତି କୁଳର

ତୁଟିବ ସର୍ବାଗ୍ରେ ମୋହ, ଅବିଦ୍ୟା ତେଜିଣ

ପୂଜିବେ ସେମାନେ ବିଦ୍ୟା, ଖୋଜିବେ ଉନ୍ନତି,

ବିଦ୍ୟା ବିବେକିତା ଲୌହ-ଦୃଢ଼ କୂଟ-

 

ଗ୍ରନ୍ଥି, ହେବେ ନିଜେ ମୁକ୍ତ, ଉଦ୍ଧାରି ସମାଜେ ।

ବ୍ରାହ୍ମଣ ସାକ୍ଷାତ ଅଗ୍ନି, କାଳବଶେ ସେହୁ

ଯାଇଛି ଆଚ୍ଛାଦି ସିନା ଦୁର୍ନୀତି-ପାଉଁଶେ ?

ଉଡ଼ିଗଲେ ସେ ପାଉଁଶ ସଂସ୍କାର-ପବନେ,

 

ଉଠିବ ସେ ଅଗ୍ନି ପୁଣି ଦାଉ ଦାଉ ହୋଇ ।

ଦ୍ୱିଜାତିର ଉନ୍ନତିରେ ନାହିଁ ବତ୍ସ ଆଉ

ବିଳମ୍ୱ ଅଧିକ, ସ୍ପଷ୍ଟ ଆଭାସେ ଲକ୍ଷଣ

ତାହାର, ପ୍ରତ୍ୟକ୍ଷେ । ଉଇଁ ରାମଚନ୍ଦ୍ର ଦାଶେ

 

ଦ୍ୱିଜକୁଳେ ଦ୍ୱିଜରାଜରୂପେ, ଆରମ୍ଭିଲା

ଯେଉଁ ବ୍ରାହ୍ମଣ ସମିତିରୂପୀ ମହାଯାଗେ

ନୀଳାଚଳେ, ସ୍ପର୍ଶେ ପୂତ ଉଗ୍ରଧୂମ ତାର

ପଳାଇବ ଛାଡ଼ି ଖରେ ଅଜ୍ଞତା-ପେତୁଣୀ

 

ଉତ୍କଳ ଦ୍ୱିଜାତି ଦେହୁଁ, ହେବେ ସେ ଜାଗ୍ରତ ।

ସମାଜର କଳ୍ପବୃକ୍ଷ ଦ୍ୱିଜାତି ଉତ୍ଥାନେ

ଉଠିବ ସକଳ ଜାତି ନିଖିଳ ଉତ୍କଳେ ।

ଯୁଗେ ଯୁଗେ ସମାଜର ଚାଳକ ବ୍ରାହ୍ମଣ,

 

ଚାଲିବ ସେ ଯେଉଁ ପଥେ, ଚାଲିବ ସମାଜ

ସେହି ପଥେ, ହିନ୍ଦୁର ଏ ଚିରନ୍ତନ ଧାରା ।

ମନୁ ପରାଶର ବଂଶେ ଯାହାଙ୍କ ଉଦ୍ଭବ,

ସେହି ଦ୍ୱିଜେ ଭୁଲି ସିନା କୃତକାର୍ଯ୍ୟ ହେତୁ

 

ସ୍ୱୀୟ ବଂଶୀୟ ମହିମା, ଆଚାର, ବେଭାର-

ଆଦି ପୂତ ଦ୍ୱିଜ ଧର୍ମେ, ହୋଇଛନ୍ତି ହୀନ ?

ଯୁଗଧର୍ମେ ଏବେ ତାଙ୍କୁ ପରଶିବ ଖରେ

ବିଦ୍ୟୁତ ବେଗରେ ପୂର୍ବ ଜାତୀୟ ପ୍ରତିଭା,

 

ସେହି ପୁଣ୍ୟଜ୍ୟୋତି ସ୍ପର୍ଶେ, (ଅଭିହିତ ଯେହୁ

ବ୍ରହ୍ମତେଜ ଅଭିଧାନେ) ଜଳିଯିବ ଖରେ

ଉତ୍କଳ ଦ୍ୱିଜାତି ଦେହୁଁ ଦୁଷ୍କୃତି କଳୁଷ,

କନକ କଳୁଷରାଶି ଅନଳେ ଯେସନ ।

 

ତହୁଁ ହେବେ ଦ୍ୱିଜାତିଏ ଷଟ୍‌କର୍ମ-ନିରତ,

ନ କରି ଯା ଦ୍ୱିଜାତିଏ, ଯାଇଥିଲେ ଭୁଲି

ସ୍ୱୀୟ ପ୍ରାଧାନ୍ୟ ଗୌରବ ଖ୍ୟାତି ପଉରୁଷ

ଏତେ କାଳଯାଏଁ, ଏବେ ପରିଗ୍ରହି ତାହା

 

ହେବେ ପୁରି ପୂର୍ବ ପରି ସଦ୍ଗୁଣ-ମଣ୍ଡିତ ।

କର୍ମଭୂମି ବସୁନ୍ଧରା, କର୍ମ ପାଇଁ ସିନା

ହୋଇଛନ୍ତି ଜୀବଗଣେ ଅବତୀର୍ଣ୍ଣ ଏଥି ?

କର୍ମଯୋଗେ ଲଭେ ଜୀବ ଉନ୍ନତିପଦବୀ,

 

କର୍ମାଭାବେ ଅଧୋଗତି, ଏହା ସୁନିଶ୍ଚୟ ।

ଛାଡ଼ି ସେହି କର୍ମ ଦ୍ୱିଜେ, ଦ୍ୱିଜସଙ୍ଗେ ପୁଣି

ଅପର ଜାତିଏ, ହେଲେ ସିନା ଏତେ ସରି,

ଛତ୍ରିଶ ବର୍ଣ୍ଣର ଗୁରୁ ସେହି ଦ୍ୱିଜାତିର

 

ଉନ୍ନତି ଦେଖି ଉଠିବେ ଅପର ଜାତିଏ,

ଖେଳିବ ସେକାଳେ ଦେଶେ ଉନ୍ନତିର ଢେଉ

ନାନାରଙ୍ଗେ, ନାନାଭାବେ । ଉତ୍କଳ ନନ୍ଦନେ

ଶିଖିବେ ବିଦେଶେ ଯାଇ ବିଦ୍ୟା ନାନାବିଧ,

 

କେହି ଚାଷେ, କେହି ଶିଳ୍ପେ ବାଣିଜ୍ୟରେ କେହି,

କେହି ବା ବିଜ୍ଞାନେ, କେହି ସାହିତ୍ୟେ ସଙ୍ଗୀତେ

ନିବେଶିବେ ମନ, ଦେଶ ଲଭିବ ଉନ୍ନତି ।

ଆଚରିବେ ସାମ୍ୟନୀତି ସେକାଳେ ସକଳେ,

 

ତୁଟିଯିବ ଦ୍ୱିଜାତିର ସ୍ୱାର୍ଥର ଶୃଙ୍ଖଳ,

ନ ରହିବ ଆଉ ବେଦ ପୁରାଣ ପାଠରେ

ଏକାଧିପତ୍ୟ ତାଙ୍କର, ପ୍ରେତାନ୍ନ ଗ୍ରହଣେ

ନ ମଣିବେ ସୁଖ ସେହୁ କିମ୍ବା ଭୈକ୍ଷ୍ୟବ୍ରତେ,

 

ନ ମଣିବେ କେହି ପୁଣି କାହାରି ପରଶେ

ନିଜକୁ ଅଶୁଚି, ସେହି ଭାବୀ ଶୁଭକାଳେ ।

‘‘ଏହି ଯେ ବିରାଜେ ବତ୍ସ ! ବଟତରୁବର

ପୁରତରେ, ବହୁଶାଖ ବହୁଦୂରବ୍ୟାପୀ,

 

ଉତ୍କଳ ଜାତୀୟ ମହାସମ୍ମିଳନୀ ଏହା,

(କଳ୍ପପାଦପ ସଦୃଶ ଉତ୍କଳ-ତ୍ରିଦିବେ)

ଘୁଞ୍ଚାଇବ ନିଶ୍ଚେ ସେହୁ ଉତ୍କଳ-ଦୁର୍ଗତି

ଭବିଷ୍ୟେ । ଚୌଦିଗବ୍ୟାପି ଚେରରୁ ତାହାର

ବାହାରି ଅସଂଖ୍ୟ ଗଜା, ପ୍ରାକୃତ ଉତ୍କଳେ

 

ବହିଛନ୍ତି ସର୍ବେ ଗ୍ରାମ୍ୟସମିତି ଅଭିଧା,

ବଡ଼ିଣ ସକଳେ ସେହୁ ଦେବେ ସମାଚ୍ଛାଦି

ଉତ୍କଳମଣ୍ଡଳେ, ସ୍ନିଗ୍‌ଧ ଶୀତଳ ଛାୟାରେ,

ଭଜିବ ସୁଶାନ୍ତି ତହୁଁ ତାର ଦୁଃଖଦାହ ।

 

ସାମ୍ୟ ଐକ୍ୟ-ସୁରସାଳ ଫଳଦାନେ ପୁଣି

ମେଣ୍ଟାଇବେ ତାର ଆଶା-ତୃଷ୍ଣା, ଯଥାକାଳେ

ବତ୍ସ, ! ଏହି ମୂକ ମହାତରୁ, ଫେଡ଼ିବ ତୋ

ମ୍ରିୟମାଣା ଜନନୀର ଦୁଃସହ କଷଣ,

 

ତେଣୁ ସେ ଦୁଃଖିନୀ ତାକୁ ବସିଛି ଆଉଜି

ନିଭରି ତା ପ୍ରତି ଆଶା, ଆଣିଦେବ ସେହୁ

ଅତୀବ ଗୌରବ ପୁଣି ସମ୍ପଦ ତାହାକୁ ।

ଉତ୍କଳ ବିଚ୍ଛିନ୍ନ ଅଙ୍ଗେ ନିବସନ୍ତି ଯହିଁ

 

ଉତ୍କଳୀୟ ଯେତେ, ସର୍ବେ ଭିନ୍ନ ଭିନ୍ନ ନାମେ,

ମାତ୍ର ନାହିଁ ଶୋଣିତରେ ଭେଦାଭେଦ କିଛି,

ନଦୀ, କୂପ, ତଡ଼ାଗାଦି ବିଭିନ୍ନ ଆଧାରେ

ରହି ଜଳ, ଧରେ ଯଥା ଭିନ୍ନ ଭିନ୍ନ ନାମ,

 

ମାତ୍ର ପଦାର୍ଥରେ ଏକ, ଅଟେ ଧ୍ରୁବ ଏହା ।

ଏହି ମହା ବୀଜମନ୍ତ୍ରେ ଦେବ ଜୀବନ୍ୟାସ

ଉତ୍କଳ-ଜାତୀୟ-ମହାସମିତି ଉତ୍କଳେ ।

ବତ୍ସ ! ଏ ମହାତରୁର ମୂଳ ଏକା ସେହି

 

ଜଗତଜନକ ପ୍ରଭୁ ଜଗନ୍ନାଥ କୃପା,

ଶାଖା, -ତୋର କତିପୟ ଯୋଗ୍ୟତମ ଭ୍ରାତା,

ଉପଶାଖା, ପତ୍ର ତାର ଆନ ଉତ୍କଳୀୟେ ।

ପ୍ରତିବର୍ଷ ରୁଣ୍ଡ ହୋଇ ଏ ମାତୃମଣ୍ଡପେ

 

ଉତ୍କଳର ଯୋଗ୍ୟ ସୁତେ, ମହା ସମାରୋହେ

ଆଚରନ୍ତି ମାତୃଯଜ୍ଞ, ଦୀନା ଜନନୀର

ଭାବୀ ଶୁଭ ଅଭିପ୍ରାୟେ, ପୂଜି ନାନାଭାବେ

ମାତୃଭୂମି ପାଦପଦ୍ମେ ଦୁଇଦନ ଯାଏଁ,

 

ସାଙ୍ଗ କରି ଯାଗ ସର୍ବେ ଗମନ୍ତି ନିଳୟେ ।

ସେ ପୁଣ୍ୟ ଦିବସଦ୍ୱୟ ପର୍ବତିଥି ପ୍ରାୟ

ଉତ୍କଳେ ପାଳିତ ହେବ ପ୍ରତ୍ୟେକ ଗୃହରେ,

ଆସିବ ସେ ଶୁଭଦିନ ଅଦୁର-ଭବିଷ୍ୟେ ।

 

ସେ ଦିନ ଆବାଳବୃଦ୍ଧ ଉତ୍କଳବାସୀଏ,

ହୋଇଣ ସକଳେ ମାତୃବ୍ରତପରାୟଣ

ବାନ୍ଧିବେ ଭକ୍ତିରେ ବାହେ ମହାବ୍ରତ-ଡ଼ୋର

ମନ୍ତ୍ରି ତାକୁ ମାତୃ-ମହାମନ୍ତ୍ରେ, ପୁଣି ତହିଁ

 

ପକାଇ ପ୍ରତିଜ୍ଞା-ଗଣ୍ଠଠି ଏକତା ନାମରେ ।

ଖେଳିବ ମାତୃମମତା ସମସ୍ତଙ୍କ ହୃଦେ

ନାନାରଙ୍ଗେ, ସିନ୍ଧୁବକ୍ଷେ ବୀଚିମାଳାପ୍ରାୟ,

ଜାଗିବ ଜାତୀୟ ଭାବ, ଉତ୍ସାହ ଉଦ୍ୟମ,

 

ନୈତିକ ବଳରେ ସର୍ବେ ହେବେ ବଳବାନ,

ଛାଡ଼ିଯିବ ଦେହୁଁ ତହୁଁ କାପୁରୁଷ ଭାବ ।

ଭାବୀ ଶୁଭଦାତ୍ରୀ ଏହି ମହାସମ୍ମିଳନୀ

ସମ୍ପ୍ରତି ପୌଗଣ୍ଡ ଶିଶୁ, ନବମ ବରଷେ

 

କରିଛି ସେ ପଦାର୍ପଣ ଅଳ୍ପଦିନ ହେଲା ।

ହୋଇ ନାହିଁ କର୍ଯ୍ୟକ୍ଷମ, ଭାଷୁଛି କେବଳ

ମଧୁର କୋମଳ ବାଣୀ, ଆଶା ଉଦ୍ଦୀପନୀ,

ଶୁଣୁଛି ତା ଅବିହିତେ ଉତ୍କଣ୍ଠେ ଉତ୍କଳ,

 

ଅବ୍ୟର୍ଥ ସେ ବାଣୀ, ଗୁରୁ ଚଳନ ସମୟେ-

ଉଇଁଲା ମେଘର ଘୋଷ ଅବ୍ୟର୍ଥ ଯେସନ ।

ପୁଷ୍ପ ଦୃଷ୍ଟେ ଫଳ ଆଶା ପ୍ରାୟ, ଦେଖି ତାର

କୈଶୋର ପ୍ରତିଭା ଦୀପ୍ତି ପ୍ରତେ ହୁଏ ମନେ,-

 

ପାଇଲେ ମୁଣ୍ଡକୁ ହାତ ଏ ଶିଶୁର, ହେବ

କର୍ମବୀର, ପୁଣି କର୍ମ ଶିଖାଇବ ମନେ,

ପ୍ରଚାରିବ ମହାଦୀକ୍ଷା, ଆତ୍ମନିର୍ଭରତା

ସମଗ୍ର ଉତ୍କଳେ, ବାଇ ଚୈତନ୍ୟ-ଧେଣ୍ଡୁରା ।

 

ଏହିରୂପେ ସର୍ବମତେ ଗୁରୁରୂପେ ସେହୁ

ଦେବ ଉନ୍ନତିର ସନ୍ଥ, ଅଭ୍ୟାସିଣ ତାହା

ମୁକ୍ତ ହେବେ ଉତ୍କଳୀୟେ ଅନ୍ନବସ୍ତ୍ରାଭାବୁଁ ।

ଗାର୍ହସ୍ଥ୍ୟ ଅଭାବ ମଧ୍ୟେ ଅନ୍ନବସ୍ତ୍ରାଭାବ

 

ଅଟଇ ପ୍ରଧାନ ସିନା, ମୁକ୍ତ ହୋଇ ତହୁଁ,

ରତ ହେବେ ଜାତିଦେଶ ସ୍ୱଧର୍ମ ଚିନ୍ତାରେ

ଉତ୍କଳୀୟେ, ଲୁପ୍ତରତ୍ନ କରିବେ ଉଦ୍ଧାର ।

‘‘ସକଳ ଉନ୍ନତି ମୂଳ ସ୍ୱଧର୍ମ ଉନ୍ନତି,

 

ଅସାର ସଂସାର ମଧ୍ୟ ଧର୍ମ ହିଁ କେବଳ

ସତ୍ୟ ନିତ୍ୟବସ୍ତୁ, ପୁଣି ସେହୁ ଦାନ, ଦୟା,

କ୍ଷମା, ସତ୍ୟ ସରଳତା, ସ୍ନେହ, ଭକ୍ତି, ପ୍ରୀତି,

ନତି, କୃତଜ୍ଞତା, ଆଉ ପରୋପକାରାଦି-

 

ଅପାର୍ଥିବ ଉପାଦାନେ ଅତି ଉପାଦେୟ,

ପରମେଷ୍ଠି ସୃଷ୍ଟିମଧ୍ୟେ ଧର୍ମଛଡ଼ା ହୋଇ

ନାହିଁ ରେ ଗୋଟିଏ ସୁଦ୍ଧା କେହି ଚରାଚରେ,

ଧର୍ମ ବଳେ ମହାଶୂନ୍ୟେ ରହିଛି ଧରଣୀ,

 

ଧର୍ମଯୋଗେ ବେଳା ମଧ୍ୟେ ମହା ପାରାବାର

ରହିଛି ଆବଦ୍ଧ ସଦା, ସମ୍ୱରି ନିଜର

ଚରାଚରଗ୍ରାସୀ ରୁଦ୍ର ବିରାଟ ପ୍ରଭାବ ।

ଧର୍ମେ ଚନ୍ଦ୍ର ସୂର୍ଯ୍ୟ ବେନି ପର୍ଯ୍ୟାୟକ୍ରମରେ

 

ହେଉଛନ୍ତି ଆତଯାତ ସୃଷ୍ଟି ପ୍ରାରମ୍ଭରୁ,

ବହୁଛି ପବନ ଦେଇ ଜୀବେ ଜୀବଦାନ ।

ପରିଦୃଶ୍ୟମାନ ଏହି ଜଗତ ମଧ୍ୟରେ

ବୋଲାନ୍ତି ଯେମାନେ ବଡ଼, ତାଙ୍କ ବଡ଼ପଣ

 

ଏକା ସିନା ଧର୍ମ ଯୋଗୁଁ ! ଦେହାନ୍ତେ ଦେହୀର

ମୁକ୍ତିଲାଭ, ଅଟେ ସିନା ମର୍ତ୍ତ ଉପାର୍ଜିତ-

ଧର୍ମ ପରମ ଫଳ ! ମଧୁର, ରସାଳ ।

ଧର୍ମ ଇହପରକାଳେ ବନ୍ଧୁ ମାନବର,

 

ପୁଣି ତାହା ସମାଜର ବନ୍ଧନୀସ୍ୱରୂପ,

ସେ ବନ୍ଧନୀ ଯେତେ ଦୃଢ଼ ଯେଉଁ ସମାଜର,

ସେ ସମାଜ ଧରଣୀରେ ତେତିକି ଉନ୍ନତ ।

ଅତଃ ଧର୍ମହୀନ ନର ପଶୁର ସମାନ,

 

ଶରୀରର ଭାରମାତ୍ର ଧର୍ମହୀନ ପ୍ରାଣ ।

ସର୍ବୋନ୍ନତି ଅଗ୍ରଦୂତୀ ସେହି ଧର୍ମୋନ୍ନତି

ଛୁଇଁବ ଉତ୍କଳେ ଯେବେ, ନିଶ୍ଚେ ସେହି ଦିନ,

ଜାଣିବୁ ତୋ ଜନନୀର ଘୁଞ୍ଚିବ କୁଗ୍ରହ,

 

ସେହି ଦିନ ଘୂଞ୍ଚିବ ତା ଅଭାଗୀ ଅଭିଧା ।

‘‘ସମ୍ପର୍କିତ ସର୍ବୋନ୍ନତି ମାତୃଭାଷା ସହ,

ଶିର ସଙ୍ଗେ ଯଥା ଅଙ୍ଗପ୍ରତ୍ୟଙ୍ଗନିଚୟ,

ଏ ବିରାଟ ନରସୃଷ୍ଟି-ଶୃଙ୍ଖଳା ଭିତ୍ତିକା,

 

ଅଛି ସିନା ପ୍ରତିଷ୍ଠିତ ମାତୃଭାଷା ପୃଷ୍ଠେ ।

ଏକା ତାହା ଯୋଗେ ଏହି ମାନବ ଜଗତ

ସୁପରିଚାଳିତ ସଦା, ପୁଣି ନିୟନ୍ତ୍ରିତ,

ଯନ୍ତ୍ରୀ ଯୋଗେ ଯନ୍ତ୍ର ଯଥା । ଦୁର୍ବଳ ମାନବ

 

ଭାଷାବଳେ ବଳୀୟାନ, ମେଧାବୀ, କର୍ମଠ,

ଜାତୀୟ ସାହିତ୍ୟ ସର୍ବ ଜାତିର ସମ୍ୱଳ,

ଜନନୀ ତାହାର ଭାଷା, ପ୍ରତିପାଳେ ସେହୁ

ଆମରଣ ନରକୁଳେ, ଅଭାବେ ତାହାର

 

ହୋଇଯିବ ସୃଷ୍ଟି-ସିନ୍ଧୁ ଚିର ନିର୍ଲହର,

ବତ୍ସ ! ମାତୃସମା ତୋର ସେହି ମାତୃଭାଷା

ଲଭିବ ଶ୍ରୀବୃଦ୍ଧି ଏହି ସମ୍ମିଳନୀ ଯୋଗେ ।

ଏ ମହା ଜାତୀୟ ସଭା ଅଟେ ଉତ୍କଳର

 

କାମଧେନୁ, ପିଆଇ ସେ ଉନ୍ନତିସ୍ୱରୂପ

ଦୁଗ୍‌ଧଧାରେ, ପ୍ରାକୃତିକ ଉତ୍କଳ ମଣ୍ଡଳେ,

ଗଢ଼ିବ ତା ଭବିଷ୍ୟତ ଜାତୀୟ ଜୀବନ

ନବେ ଭାବେ, ତହୁଁ ଲଭି ସେହୁ ନବପ୍ରାଣ-

 

ନବବଳ, ନିୟୋଜିବ ମନପ୍ରାଣ ଦେହ

ସୁଶିକ୍ଷାରେ ଦିବାରାତ୍ର, ଶିଷ୍ଟ ଚାଟପ୍ରାୟ

ମଣିବ ସେ ସଦା ଶିକ୍ଷା ଜ୍ଞାନ, ଶିକ୍ଷା ଧ୍ୟାନ,

ଶିକ୍ଷା ହିଁ ସମ୍ୱଳ, ପୁଣି ବଳ ଦୁର୍ବଳର ।

 

ବିଶ୍ୱାତ୍ମା ଦର୍ଶନ ପାଇଁ ଭକ୍ତ ଆତ୍ମା ଯଥା

ସତତ ଆତୁର, ତଥା ଉନ୍ନତି ସକାଶେ

ହୋଇ ସେ ବ୍ୟାକୁଳଚିତ୍ତ, ଅନ୍ୱେଷିବ ତାକୁ

ବଜ୍ରଦୃଢ଼ ନିଷ୍ଠାଯତ୍ନ ଏକାଗ୍ରତା ସହ ।

 

ଦେଖିଣ ଏ ସୁକଠୋର ସାଧନା ତାହାର,

ପରିତୃଷ୍ଟି ଲଭି ଦେବ ନୀଳାଚଳପତି,

ବରଗିବେ ବେଗେ ଏହି ଉତ୍କଳ ଭୁବନେ

ଉନ୍ନତି ଦେବୀଙ୍କି, ତହୁଁ ଆସିଣ ସେ ଦେବୀ

 

ସ୍ୱୀୟ ଦିବ୍ୟଜ୍ୟୋତି-ଜଳେ, (ଶୀତ, ସ୍ୱଚ୍ଛ, ପୁତ)

କରିବେ ବିଧୌତ ତୋର ଜନନୀ ଶରୀରୁ

ବହୁ ଦିବସ-ନିବଦ୍ଧ ଅବନତି-ମଳ,

ପୂର୍ବ ପରି ଦାଉ ଦାଉ ଦିଶିବ ତା ତେଜ,

 

ଗଣା ହେବ ଧନୀ ତେବେ ଦଶଜଣ ସହ ।

ଉତ୍କଳ-ଆଶା-ଆକାଶ-ନବଧ୍ରୁବ ତାରା

ଏହି ବାଳ ସମ୍ମିଳନୀ, ଛୁଇଁଲେ ଯୌବନ

ପ୍ରକାଶିବ ସ୍ୱମହିମା ଦିଗନ୍ତବ୍ୟାପିନୀ ।

 

କହ ବତ୍ସ ! ଯାଇ ଏବେ ଭ୍ରାତୃଗଣେ ତୋର,

କରି ନାହିଁ ଅତିକ୍ରମ ଯାବତ ଶିଶୁ

ପୌଗଣ୍ଡେ, କରନ୍ତୁ ତାକୁ ତାବତ ସକଳେ

ସାଦରେ ସସ୍ନେହ ମନେ ଲାଳନପାଳନ ।

 

ତା ଯୋଗୁଁ ତୋ ଜନନୀର ଘଟିବ ନିକର

ଅଦ୍ଭୁତ ପରିବର୍ତ୍ତନ, ବିଷମ ବ୍ୟାଧିରୁ

ଦୈବେ ମୁକ୍ତ ହେଲେ ରୋଗୀ ଘଟେ ଯଥା ତାର

ରୋଗକ୍ଷୀଣ ଶରୀରର ଆଶ୍ଚର୍ଯ୍ୟ ଉନ୍ନତି,

 

ଆସିବ ସେ ଶୁଭଦିନ ସ୍ୱଳ୍ପ ଭବିଷ୍ୟତେ ।

ଅବନତି-ଫଣିନୀର ସୁତୀବ୍ର ଗରଳେ

ଘାରିଛି ଉତ୍କଳ, ଏହି ଜାତୀୟ ସମାଜ,

ହୋଇ ଗାରୁଡ଼ିଆ ପ୍ରାୟ, ଉଡ଼ାଇ ସେ ବିଷେ

 

ଜାତୀୟ ସଙ୍ଗୀତରୂପୀ ଗାରୁଡ଼ି ମନ୍ତ୍ରରେ,

କରିବ ନିର୍ବଷ ତାକୁ, ଉଠିବ ସେ ତହୁଁ

ଚେତା ଲଭି, ପୂର୍ବ ପରି ହେବ କାଯ୍ୟକ୍ଷମ ।

ସେହି ଭାବୀ ଶୁଭକାଳେ ବର୍ଷିବ ତା ଭାଗ୍ୟେ

 

ରାଜକୃପା, ମହିମିତ ଦେବ-କୃପା ସମ,

ହେବ ତାହା ବତ୍ସ ! ମଣିକାଞ୍ଚନ ସଂଯୋଗ ।

ରାଜାଦେଶେ ଲାଗିବ ତୋ ଜନନୀ ଶରୀରେ

ଛିନ୍ନ ଉତ୍ତମାଙ୍ଗ ଆସି ଦକ୍ଷିଣ ପ୍ରଦେଶୁ,

 

ହସିବ ସେ ମଥା ଲଭି ଭୁଲି ସବୁ ବ୍ୟଥା,

ଉତ୍କଳର କୋଟିକଣ୍ଠୁ ଉଠିବ ସେକାଳେ-

ଜୟ ଭାରତର ଭାଗ୍ୟ ଭାରତ-ସମ୍ରାଟ !

‘‘ବତ୍ସ ! ତୋ ବିନତିକ୍ରମେ ବଖାଣିଲି ସବୁ

 

ଉତ୍କଳର ଭାବୀ, ଭୂତ, ବର୍ତ୍ତମାନ ଦଶା,

ଶୁଣିଲୁ ସକଳ, ପୁଣି ଦେଖିଲୁ ନୟନେ

ନାନା ଚିତ୍ର, ( ବିଷମୟ ବିଭୀଷିକାମୟ )

ଯିବି ଏବେ ମୁହିଁ ବତ୍ସ ! ଉନ୍ନତିଙ୍କ ପାଶେ,

 

ନୀଳାଚଳପତିଙ୍କର ପବିତ୍ର ଆଦେଶେ

ଆଣି ସେ ଦେବୀଙ୍କି, ଖରେ ସ୍ଥାପିବି ଉତ୍କଳେ,

ଲଭିବ ସେ ପୂର୍ବ ପରି ସୁଖ ଷୋଳକଳା,

ଘେନୁଛି ବିଦାୟ ଏବେ ଥାଅ ରେ କାଳୁତ ।’’

 

ଏହା ଭାଷି ଦେବୀ ଉଭା ହୁଅନ୍ତେ ଚଞ୍ଚଳେ,

ହଲିଲା ମୁକୁଟ ପୁଣି ଉଡ଼ିଲା ପଣତ

ଝଟକାଇ ମହାବିଭା, ସେହି ଦିବ୍ୟଜ୍ୟୋତିଃ

ନ ପାରି ସହି ମୋ ଆଖି ଗଲା ବୁଜି ହୋଇ,

 

ପଲକାନ୍ତେ ନେତ୍ର ଫେଡ଼ି ଦେଖିଲି ବିସ୍ମୟେ,

ନାହାନ୍ତି ସେ ସ୍ଥାନେ ଆଉ ଉତ୍କଳ-କମଳା

କିମ୍ବା ଉତ୍କଳଜନନୀ-ବିଷାଦ-ବିଦଶା !

ନାହିଁ ସେହି ମାୟାତରୁ, ମାୟାଦୃଶ୍ୟ ଆଦି,

 

ବସିଛି ମୁଁ ପୂର୍ବସ୍ଥାନେ ଏକୁଟିଆଭାବେ

ପୂର୍ବ ପରି, ଅନ୍ୟ ସବୁ ହୋଇଛି ଅନ୍ତର

ଛାୟାବାଜି ପ୍ରାୟ, ଦେଖି ହେଲି ମୁଁ ସ୍ତମ୍ଭିତ,

ଅଦୃଷ୍ଟ ଅଶ୍ରୁତପୂର୍ବ ସେ ମାୟା ଘଟନା,

 

ସଞ୍ଚାରିଲା ଆଶା ମୋର ମୁମୂର୍ଷୁ ଜୀବନେ,

ତହୁଁ ରହିଛି ମୁଁ ସଦା ଉତ୍ପକ୍ଷ୍ମ ନେତ୍ରରେ

ସ୍ୱଦେଶର ଭାବୀ ଭାଗ୍ୟ ଦର୍ଶନ ଆଶ୍ରୟେ ।